ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବୁଧବାର ବୁରାଟ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତରଫରୁ ଏବିଇଓ ସୂର୍ଯ୍ୟଦେବ ବାଗଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନର୍ଲା ବିଆରସିସି ଗୋବର୍ଦ୍ଧନ ମାଝୀ, ଅନ୍ୟତମ ଏବିଇଓ ସୁଢ଼ଲ ଦେବ ମୁଣ୍ଡ, ବରିଷ୍ଠ ଶିକ୍ଷକ ହରି ଅର୍ଜୁନ ସିଂ, ତ୍ରିବିକ୍ରମ ଷଡ଼ଙ୍ଗୀ, ସରୋଜ କୁମାର ବେହେରା ଅତିଥି ଭାବରେ ଯୋଗ ଦେଇଥିବାବେଳେ ସିଆରସିସି ଶ୍ରବଣ କୁମାର ରଥ ସଭାପତିତ୍ବ କରିଥିଲେ। ବୁରାଟ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶ୍ରୀ ବାଗ ଙ୍କର ବିଗତ ଦିନର କାର୍ଯ୍ୟକଳାପ, ସହଯୋଗୀ ମନୋବୃତି, କିପରି ଶିକ୍ଷକ ମାନଙ୍କୁ ଶୈକ୍ଷିକ ଅଗ୍ରଗତି ନିମନ୍ତେ ସୁପରାମର୍ଶ ଦେଉଥିଲେ ସେ ବିଷୟରେ ଆଲୋଚନା କରିଥିଲେ। ଏଫଏନଏଲ ହେଉ କି ଏନ ଆଇଏଲପି ହେଉ କି ଇଲେକ୍ସନ କାର୍ଯ୍ୟକ୍ରମ ହେଉ ସବୁଠାରେ ସେ ନିଜର ବହୁମୂଲ୍ୟ ମତାମତ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ସହ ନର୍ଲା ବ୍ଲକକୁ ଶୀର୍ଷରେ ପହଞ୍ଚାଇ ପାରୁଥିଲେ। ଶେଷରେ ଶ୍ରୀ ବାଗଙ୍କୁ କ୍ଲଷ୍ଟର ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗୁଣପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ ଶ୍ରୀ ବାଗଙ୍କ ଉଦ୍ଦେଶ୍ୟରେ ଏକ ସ୍ଵରଚିତ କବିତା ପାଠ କରିଥିଲେ। ଗୋହିରା ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ କେଶପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଅର୍ଜୁନ ସିଂ ଧନ୍ୟବାଦ ଦେଇ ଥିଲେ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।





