ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ରାୟଗଡ଼ା ଭାୟ ମୂଷାନାଳକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ଦ୍ଵାରା ୧ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏକ ନୂତନ ରାସ୍ତା କାମ ଚାଲିଛି।ଏହି ରାସ୍ତା ମଧ୍ୟରୁ ଭବାନୀପାଟଣା ଠାରୁ ମୂଷାନାଳ ରାସ୍ତା ଟି ବର୍ଷେ ହେଲା ଆରମ୍ଭ ହୋଇଥିବା ବେଳେ ଦାଇତ୍ଵରେ ଥିବା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅବହେଳା ଯୋଗୁଁ ରାସ୍ତା କାମଟି ଅତି ମନ୍ଥର ଗତିରେ ଓ ନିମ୍ନମାନର କାମ ହେଉଥିବା ନେଇ ଲାଞ୍ଜି ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଉକ୍ତ ରାସ୍ତାଟି ଗତ ବର୍ଷ ବର୍ଷା ଦିନ ପୂର୍ବରୁ କାମ ଆରମ୍ଭ ହୋଇଥିବା ବେଳେ କାମଟି ନିୟମିତ ଭାବରେ ନକରି ବହୁ ସ୍ଥାନରେ ଅଳ୍ପଅଳ୍ପ କାମ କରି ଛାଡି ଦେଇ ଥିଲେ। ଯାହା ଫଳରେ ବର୍ଷା ଦିନରେ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବର୍ତ୍ତମାନ କିଛି ମାସ କାମ ବନ୍ଦ କରିବା ପରେ ପୁଣି ଥରେ କାମ ଆରମ୍ଭ ହୋଇଛି। ଏବେ ରାସ୍ତାର କିଛି ସ୍ଥାନରେ ମେଟାଲିଙ୍ଗ କରି ତଛାଡ଼ି ଦେଇଛନ୍ତି। ଅନ୍ୟ କିଛି ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ଖୋଳି ଛାଡ଼ି ଦେଇଥିବା ଦ୍ୱାରା ଯାତାୟାତ କରୁଥିବା ଲୋକଙ୍କୁ ଧୂଳି ନାକେ ଦମ୍ କରୁଛି।ଏହି ୨୭ କି:ମି ରାସ୍ତାଟି ଲାଞ୍ଜି ପଞ୍ଚାୟତ ମୂଷାନାଳ ଠାରୁ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାକୁ ସଂଯୋଗ କରୁଥିବା ବେଳେ ଲାଞ୍ଜିଗଡ଼ ବ୍ଳକର ଦୁର୍ଗମ ଘାଟି ଅଞ୍ଚଳ ଥିବା ବିଜେପୁର, ମାଳିଯୁବାଙ୍ଗ,ପାହାଡ଼ପଦର, ଲାଖବାହିଲି, ବେନଗାଁ,ଲାଞ୍ଜି, କାନକୁଟୁରୁ, ବନ୍ଧପାରି, କୁମଖାଲ ଓ ବେଡାଗାଁ ଆଦି ୧୦ ଗୋଟି ପଞ୍ଚାୟତବାସୀଙ୍କ ପାଇଁ ସରକାରୀ, ବେସରକାରୀ, ମେଡ଼ିକାଲ ତଥା ଉଚ୍ଚଶିକ୍ଷା ନିମନ୍ତେ ଛାତ୍ରଛାତ୍ରୀଙ୍କ ପାଇଁ ଲାଇଫ ଲାଇନ୍ କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।ରାସ୍ତାର ଯେଉଁ ସ୍ଥାନରେ କଲଭର୍ଟ ମରାମତି କାମ ହେଉଛି, ସେହି ସ୍ଥାନରେ ଗତି ପରିବର୍ତ୍ତନ କରିବା ପାଇଁ ରାସ୍ତା ତ ହୋଇଛି କିନ୍ତୁ କୌଣସି ସୂଚନା ଫଳକ ଲାଗି ନାହିଁ। ଯାହା ଫଳରେ ଲୋକ ଜାଣି ନପାରି ଦୁର୍ଘଟଣାର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।ଏହାକୁ ନେଇ ବାରମ୍ବାର ବିଭାଗୀୟ କର୍ତ୍ତପକ୍ଷଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳି ପାରୁନଥିବା ଲୋକେ ପ୍ରକାଶ କରିଛନ୍ତି। ଏନେଇ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କୁ ପଚାରିବାରୁ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଘାଟି ରହିଛି। ତେଣୁ ରାସ୍ତା କାମରେ ବିଳମ୍ବ ହେଉଛି। ୨୦୨୭ ମାର୍ଚ୍ଚ ମାସ ସୁଦ୍ଧା କାମ ଶେଷ ହେବ ଓ ଏହି ଦିନେ ଦୁଇଦିନ ଭିତରେ କଲଭଟ୍ କାମ ଚାଲିଥିବା ସ୍ଥାନରେ ସୂଚନା ଫଳକ ଲାଗିବ ବୋଲି ସେ କହିଛନ୍ତି।ଏଣୁ କଳାହାଣ୍ଡି ଜିଲ୍ଲାପାଳ ବର୍ଷା ଦିନ ପୂର୍ବରୁ ଏହି ରାସ୍ତାକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଲାଞ୍ଜି ପଞ୍ଚାୟତବାସୀ ଅନୁରୋଧ କରିଛନ୍ତି।




