ଗୋଇମୁଣ୍ଡରେ ବସୁଧା ଯୋଜନା ବାଟବଣା, ସରିଗଲାଣି ନିର୍ମାଣ ଅବଧି ହେଲେ ବିଶୁଦ୍ଧ ଜଳ ସାତ ସପନ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ମୁଖ୍ୟାଳୟରେ ବସୁଧା ଯୋଜନାରୁ ନିର୍ମାଣ ହେଉଥିବା ଓ଼ଭରହେଡ଼ ପାଣିଟାଙ୍କି ଠିକାଦାରଙ୍କ ଅବହେଳା କାରଣରୁ ଅଧାପନ୍ତରିଆ ଭାବେ ପଡ଼ିରହିଛି। ଗାଁରେ ପାନୀୟ ଜଳ ସଙ୍କଟ ଥିବାବେଳେ ଏବେ ଏକ ମାତ୍ର ସାହା ଭରଷା ଲୌହ ମିଶ୍ରିତ ନଳକୂପ ପାଣି। ଗୋଇମୁଣ୍ଡ ଖେଳ ପଡିଆ ପାର୍ଶ୍ୱରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ୨୦୨୫ରେ କାର୍ଯ୍ୟ ଆରମ୍ଭ ହୋଇ ଏ ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇ ନ ଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ଠିକାଦାରଙ୍କ ଅବହେଳା ଯୋଗୁଁ ବିନା ତାର ବାଡ଼ ବା ସଚେତନ ବୋର୍ଡ଼ ନ ଥିବା କାରଣରୁ ଖେଳ ପଡ଼ିଆ ପାଖରେ କାର୍ଯ୍ୟ ଅଧା ହୋଇ ପଡ଼ିଥିବା ଓଭରହେଡ଼ ଟ୍ୟାଙ୍କରେ ବ୍ୟବହାର ହୋଇଥିବା ଓଜନିଆ ସାମଗ୍ରୀ କାହା ଉପରେ ପଡ଼ି ଦୁର୍ଘଟଣା ଘଟିପାରେ ବୋଲି ମଧ୍ୟ ଲୋକେ ଭୟଭୀତ ହୋଇ ଅଭିଯୋଗ କରିଛନ୍ତି। ସରକାରୀ ଯୋଜନା ଥାଇ ମଧ୍ୟ କେଉଁଠି ପାଣି ମିଳୁ ନ ଥିବାବଳେ ଏବେ ଖରା ଦିନରେ ଗାଁ ଗାଁରେ ଟ୍ରାକ୍ଟର ପାଣି ଟାଙ୍କିରେ ପାଣି ଯୋଗାଣ କରି ବ୍ୟବସାୟୀ ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ନେଇ ମାଲାମାଲ ହେଉଥିବା କହିଛନ୍ତି ଗ୍ରାମବାସୀ। ସେହିପରି ଗୋଇମୁଣ୍ଡ ପଂଚାୟତ ଗୁରୁଣ୍ଡା ଗ୍ରାମରେ ୨୫୪ ପରିବାର ଥାଇ ମଧ୍ୟ ପିଇବା ପାଣି ପାଇ କେବଳ ନଳକୂପ ଭରଷା ଥିବାରୁ ଏକ ଓଭରହେଡ଼ ଟ୍ୟାଙ୍କ ହେଲେ ବିଶୁଦ୍ଧ ଜଳ ପାଇ ପାରିବୁ ବୋଲି ଲୋକେ କହିଛନ୍ତି। କାର୍ଯ୍ୟ ଶୀଘ୍ର ଆରମ୍ଭ କରି ଖରା ମାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗୋଇମୁଣ୍ଡ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ବିଶ୍ୱଜିତ ଜେନାକୁ ଫୋନରେ ଯୋଗାଯୋଗ କରିବାରୁ ମୁଁ ଛୁଟିରେ ଅଛି କାର୍ଯ୍ୟରେ ଯୋଗ ଦେଲେ କଣ ଅସୁବିଧା ହୋଇଛି ବୁଝିବି ବୋଲି ପ୍ରତିକ୍ରିୟା ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.