ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ମୁଣ୍ଡରାଗୁଡା ଗୌନ୍ତିଆ ଜୟନ୍ତ କୁମାର ବେହେରାଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଯାଇଛି। ସ୍ବର୍ଗତ ଜୟନ୍ତ କୁମାର ବେହେରା ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ଲକ୍ଷ୍ମଣ ପ୍ରସାଦ ବେହେରାଙ୍କ ନାତି ତଥା ସ୍ବର୍ଗତ ଯୋଗେଶ୍ୱର ବେହେରାଙ୍କ ଜ୍ୟୈଷ୍ଠ ପୁତ୍ର ଏବଂ ପ୍ରଫେସର ଭୂବନେଶ୍ୱର ବେହେରାଙ୍କ ପୁତୁରା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଯାଜ୍ଞସେନୀ ବେହେରା, ଦୁଇ ଭାଇ ଶ୍ରୀକାନ୍ତ ବେହେରା ଓ ବସନ୍ତ ବେହେରା, ଦୁଇ ପୁଅ ବିଧାନ, ଓ ସିଦ୍ଧାର୍ଥ, ଦୁଇ ବୋହୂ ରେଖା ଓ କୁନି, ଜାମାତା ବ୍ରଜେନ୍ଦ୍ର, ଶରତ, ଅଜିତ, ସୁନୀଲ, ଶେଷଦେବ, କନ୍ଯା ମଧୁଛନ୍ଦା, ଅନୁରାଧା, ସୁନନ୍ଦା, ଆରତୀ, ଏବଂ ସମସ୍ତ ବେହେରା ପରିବାର ଉପସ୍ଥିତ ଥିଲେ। ତାଙ୍କ ଜୈଷ୍ଠ ପୁତ୍ର ବିଧାନ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ବେହେରା ଜଣେ ମେଳାପି ଏବଂ ମିଷ୍ଟ ଭାଷି ବ୍ୟକ୍ତି ଥିଲେ। ସେ ୧୯୭୨ ମସିହାରେ ଭୂବନେଶ୍ୱର ଠାରେ ଉନ୍ନତ ମାନର କୃଷି ପାଇଁ ତତ୍କାଳୀନ କୃଷି ମନ୍ତ୍ରୀ ରାଜ ବଲ୍ଲଭ ମିଶ୍ରଙ୍କ ହାତରେ ସମ୍ବର୍ଦ୍ଧିତ ହୋଇଥିଲେ। ୨୦୧୫ରେ ଘୁମୁରା ମହୋତ୍ସବରେ ଉନ୍ନତ ମାନର କୃଷି ପାଇଁ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ହାତରୁ କଳାହାଣ୍ଡି ବରପୁତ୍ର ସମ୍ମାନରେ ସମ୍ବର୍ଦ୍ଧିତ ହୋଇ ଥିଲେ। ଜୟନ୍ତ କୁମାର ବେହେରାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।




