ଋତୁରାଜ ବସନ୍ତର ଆଗମନରେ ଲାଞ୍ଜିଗଡ଼ର ଚାରିଆଡ଼େ ଶୋଭା ପାଉଛି ପଳାଶ ଫୁଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଯୁଆଡେ ଦେଖିଲେ ଲାଲ ରଙ୍ଗରେ ରଙ୍ଗିନ୍ ହୋଇଛି ପଳାଶ ଫୁଲ। ପଳାଶ ଫୁଲ ରଂଙ୍ଗିନ୍ ରଂଙ୍ଗରେ ଧରାପୃଷ୍ଠରେ ଭରିଦେଇଛି ସୌନ୍ଦର୍ଯ୍ୟ। ଥିରିଥିରି ପବନର ସ୍ପର୍ଶରେ ଉତଫୁଲିତ ହୋଇ ଉଠୁଛି ପଳାଶ ଫୁଲ। ଚାରିଆଡେ କୋଇଲିର କୁହୁ କୁହୁ ଶବ୍ଦ ସାଙ୍ଗକୁ ମନ ମତାଣିଆ ସ୍ବର ସୃଷ୍ଟି କରୁଛି ଅପୂର୍ବ ମୁଛାନାଁ। କ୍ଲାନ୍ତ କୃଷକଟିଏ ହେଉ ଅବା ତୃଷାର୍ଥ ପଥକଟିଏ ହେଉ ପଳାଶ ଫୁଲକୁ ଦେଖୁ ଦେଖୁ କ୍ଷଣିକ ପାଇଁ ଭୁଲିଯାଏ ସବୁ ଦୁଃଖ ଓ କଷ୍ଟ। ଭରିଦିଏ ମନରେ ଅସୁମାରି ଆନନ୍ଦ। ଏହା ସହିତ ପ୍ରକୃତିର ନୂଆ ସଜାଇ ହେଉଛି ପ୍ରକୃତି ରାଣୀ। ଲାଞ୍ଜିଗଡ଼ ଅଞ୍ଚଳର ଜଙ୍ଗଲ ଓ ପାହାଡ଼ ଏବଂ ରାସ୍ତା, ଗହୀର ବିଲ ହୁଡ଼ା ଅଞ୍ଚଳରେ ଏବେ ନାଲି ରଙ୍ଗର ପଳାଶ ଫୁଲ ପ୍ରକୃତିକୁ ଅପୂର୍ବ ସୌନ୍ଦର୍ଯ୍ୟ ଦେଇଛି। ବାସ ନଥିବା ସତ୍ତ୍ୱେ ମଧ୍ୟ ଏହି ପଳାଶ ଫୁଲ ତାହାର ରଙ୍ଗ ଓ ରୂପରେ ସମସ୍ତଙ୍କ ମନକୁ ଆକର୍ଷିତ କରୁଛି। ବସନ୍ତ ଆସିଲେ ପଳାଶ ଗଛର ଡାଳ ଭରି ନାଲି ଫୁଲ ଖିଲି ଖିଲି ହସିବା ସହିତ ଦୂରରୁ ଦେଖିଲେ ଲାଗେ ଯେ ପ୍ରକୃତି ଧରଣୀ ରାଣୀକୁ ନାଲି ପାଟରେ ସଜାଇ ଦେଇଛି। କବି ଓ ଭାବୁକ ପାଇଁ ପଳାଶ ଆଣିଛି ନୂଆ ଆଶାରେ ଆଲୋକ।ପଳାଶ ଫୁଲ ରେ ଜଙ୍ଗଲ ଅଞ୍ଚଳର ଦୃଶ୍ୟ ବହୁତ ଆକର୍ଷଣୀୟ ହୋଇଯାଏ। ପଳାଶ ଗଛର ଡାଳରେ କୋଇଲି ବସି କୁହୁକୁହୁ ସ୍ୱରରେ ଗୀତ ଗାଉଥାଏ। ବସନ୍ତର ହାଲୁକା ପବନ ବହିଲେ ପେନ୍ଥା ପେନ୍ଥା ପଳାଶ ଫୁଲ ଦୋହଲି ଉଠି ପ୍ରକୃତିର ଅପୂର୍ବ ରୂପକୁ ଆହୁରି ଦ୍ଵିଗୁଣିତ ସହିତ ଆକର୍ଷଣୀୟ କରିଦିଏ। ଏହି ଦୃଶ୍ୟ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ବହୁତ ଆନନ୍ଦ ଦେଇଥାଏ।ପଲାଶ ଫୁଲର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଥିବା ବେଳେ ବିଶେଷକରି ଦୋଳ ଯାତ୍ରା, ମଙ୍ଗଳା ପୀଠ ଓ ବିଭିନ୍ନ ଦେବୀଦେବତାଙ୍କ ପୂଜାରେ ପଲାଶ ଫୁଲ ବ୍ୟବହାର କରାଯାଏ। ପୁରାତନ କାଳରୁ ଦୋଳ ପୂର୍ଣ୍ଣିମା ଅବସରରେ ପଲାଶ ଫୁଲ ଦ୍ୱାରା ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି ଦୋଳ ଉତ୍ସବରେ ବ୍ୟବହାର କରାଯାଉଥିବା ପରମ୍ପରା ରହିଆସିଛି। ଏହି କାରଣରୁ ପଳାଶ ଫୁଲକୁ ବସନ୍ତ ଋତୁର ପ୍ରତୀକ ଭାବେ ମଧ୍ୟ ଦେଖାଯାଏ। ସୌନ୍ଦର୍ଯ୍ୟ ସହିତ ପଲାଶ ଗଛର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଆୟୁର୍ବେଦ ଅନୁଯାୟୀ ପଳାଶ ଗଛର ଫୁଲ, ଚେର ଓ ଛାଲି ବିଭିନ୍ନ ରୋଗର ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୁଏ। ଗ୍ରାମାଞ୍ଚଳର ଲୋକମାନେ ପୁରୁଣା ସମୟରୁ ଏହାକୁ ପାରମ୍ପରିକ ଔଷଧ ଭାବେ ବ୍ୟବହାର କରୁଥିବା ଦେଖାଯାଏ।ବର୍ତ୍ତମାନ ବସନ୍ତ ଋତୁରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ, ବିଲ ହୁଡ଼ା, ଜାତୀୟ ଓ ଗ୍ରାମ୍ୟ ସଡ଼କ କଡ଼ରେ ପଳାଶ ଫୁଲ ପ୍ରକୃତିକୁ ଏକ ନୂଆ ରୂପ ଦେଇଛି। ବସନ୍ତ ଋତୁରେ ଏହି ନାଲି ପଳାଶ ଫୁଲ ପ୍ରକୃତିକୁ ଆହୁରି ସଜାଇ ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.