ମୁକୁନ୍ଦପୁର ଛକରୁ ମେଲଘୁଟୁ ଭାୟା କନେର ରାସ୍ତା ଶୋଚନୀୟ: ରାସ୍ତାରୋକ ଆନ୍ଦୋଳନ ପରେ ଦାବି ପୂରଣ ନୋହିଲା

ନିଜ ପ୍ରତିଶ୍ରୁତି ଭୁଲିଗଲା ଗ୍ରାମ୍ୟ ଉନ୍ନୟନ ବିଭାଗ, ଧିରେ ଧିରେ ତେଜୁଛି ଜନ ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ଅନ୍ତର୍ଗତ ୧୭ଗୋଟି ଗାଁ ଲୋକଙ୍କ ପାଇଁ ଗତ ୨୦୧୯-୨୦ ବର୍ଷରେ ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ହୋଇଥିଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ଏହି ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବାବେଳେ ଟେଣ୍ଡର ନେଇଥିବା ଠିକାଦାର ନିଜର ପାଞ୍ଚବର୍ଷ ଅବଧି ମଧ୍ୟରେ ରକ୍ଷଣାବେକ୍ଷଣ ତ ଦୂରର କଥା ଏହାର ସାମାନ୍ୟ ମରାମତି ମଧ୍ୟ କଲେ ନାହିଁ। ଫଳରେ ରାସ୍ତା ନିର୍ମାଣ ହେବାର ବର୍ଷକ ମଧ୍ୟରେ ରାସ୍ତା ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିଲା। ସେଇଦିନଠୁ ଆଜିକୁ ଛଅବର୍ଷ ହେଲା ଏହି ରାସ୍ତାରେ ଯାତାୟତ କରିବା ମୁସ୍କିଲ ହୋଇପଡିଛି। ଏପରିକି ସାତ କିମି ଦୂର ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଶହ ଶହ ଖାଲଖମା ଭରି ରହିଥିବାବେଳେ ବର୍ଷା ଦିନରେ ଜୀବନ ଦୁର୍ବିସହ ହୋଇପଡିଛି। ରାସ୍ତାରେ କୌଣସି ଯାନବାହନ ଯିବା ଅସମ୍ଭବ ହୋଇଯାଉଥିବାବେଳେ ରୋଗୀ, ଗର୍ଭବତୀ ମହିଳାଙ୍କୁ ନେବା ଆଣିବା ପାଇଁ ଅଞ୍ଚଳକୁ ଆମ୍ବୁଲାନ୍ସଟିଏ ଆସି ପାରୁନାହିଁ। ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜ ଯିବାକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାକୁ ନେଇ ଅଞ୍ଚଳର ୧୭ ଗୋଟି ଗାଁର ପ୍ରାୟ ପାଞ୍ଚ ହଜାର ଲୋକେ ମରଣ ଯନ୍ତ୍ରଣା ଭୋଗୁଥିବାବେଳେ ବାରମ୍ବାର ଦାବି ଓ ଅଭିଯୋଗ ପରେ ବି ଗ୍ରାମ୍ୟ ଉନ୍ନୟନ ବିଭାଗ ଆଦୌ ଦୃଷ୍ଟିପାତ କରୁନାହିଁ। ଏପରିକି ବାରମ୍ବାର ଦାବି ଓ ଅଭିଯୋଗ କରି ଥକିଯିବା ପରେ ଅଞ୍ଚଳବାସୀ ପୋଖରୀବନ୍ଧ ଛକରେ ୬ ନମ୍ବର ରାଜ୍ୟ ପଥ ଉପରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ସେହି ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପନ୍ଦର ଦିନ ମଧ୍ୟରେ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ, ତହସିଲଦାର ପ୍ରମୁଖ ସାକ୍ଷୀ ଭାବେ ଉପସ୍ଥିତ ଥିଲେ। କିନ୍ତୁ ଛଅ ମାସ ବିତିଯିବା ପରେ ବି ରାସ୍ତା ନିର୍ମାଣ ତ ଦୂରର କଥା ସାମାନ୍ୟ ମରାମତି ବି କରାଗଲା ନାହିଁ। ଯାହାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ରୂପ ଧାରଣ କରୁଥିବାବେଳେ ଅସନ୍ତୁଷ୍ଟ ଲୋକେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ତହସିଲଦାର ବନମାଳୀ ମେହେରଙ୍କ ସହିତ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଏହି ଘଟଣାରେ ଜିଲ୍ଲାପାଳ ହସ୍ତକ୍ଷେପ କରିବା ସହିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାସ୍ତା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.