ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଗାନ୍ଧୀଛକସ୍ଥିତ ଦୁର୍ଗା ମନ୍ଦିର ସମ୍ମୁଖରେ ପତଞ୍ଜଳି ଯୋଗ ସମିତି ଓ ଗାୟତ୍ରୀ ପରିବାର କଳାହାଣ୍ଡି ପକ୍ଷରୁ ବିଶ୍ୱ ଶାନ୍ତି ମହାଯଜ୍ଞ ଆୟୋଜିତ ହୋଇଯାଇଛି। ପତଞ୍ଜଳି ଯୋଗ ସମିତି ଜିଲ୍ଲା ପ୍ରଭାରୀ ଡ଼ା. ନିହାରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏଥିରେ ବିଶ୍ୱର ସାମୂହିକ କଲ୍ୟାଣ ପାଇଁ ଆହୁତି ସମର୍ପିତ କରିଥିଲେ। ଏ ଅବସରରେ ପୂର୍ବାହ୍ନ ୧୦ ଘଣ୍ଟା ସମୟରୁ ୧୨.୩୦ ଘଣ୍ଟା ଯାଏଁ ଘଣ୍ଟାଏ ଧରି ଯଜ୍ଞ ଆୟୋଜିତ ହୋଇଥିଲା। ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱର ସମୂହ କଲ୍ୟାଣ, ଉପୁଜୁଥିବା ଥିବା ଅନିଶ୍ଚିତତା, ଯୁଦ୍ଧ ପରିଣାମକୁ ଲକ୍ଷ୍ୟ କରି କିଭଳି ବିଶ୍ୱରେ ଶାନ୍ତି ସ୍ଥାପନ ହୋଇପାରିବ, ସେଥି ନିମିତ୍ତ ଯଜ୍ଞ ଆୟୋଜନ ହୋଇଛି ବୋଲି ଆୟୋଜକ ମାନେ ପ୍ରକାଶ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ପତଞ୍ଜଳି ଯୋଗ ସମିତି ଜିଲ୍ଲା ମହାମନ୍ତ୍ରୀ ଗଜେନ୍ଦ୍ର ପାଢ଼ୀ ସଂଯୋଜନା କରିଥିଲେ। ସମୂହ ଶାନ୍ତି ପାଇଁ ସମର୍ପିତ ଦୁର୍ଗା ମନ୍ଦିର ସମ୍ମୁଖରେ ଏଭଳି ଆୟୋଜନକୁ ସାଧାରଣ ମହଲରେ ବେଶ୍ ପ୍ରଶଂସା କରାଯାଉଛି।




