ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବିଶ୍ୱ କିଡନୀ ଦିବସ ଅବସରରେ ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ “K&N Performance Review” ନାମରେ ଏକ ନୂତନ ସାର୍ବଜନୀନ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଡନୀ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଆଗୁଆ ଚେକ୍ ଅପ୍ କରିବାକୁ ପ୍ରୋତ୍ସାହନ ଦେବା। ଏହା ମାଧ୍ୟମରେ କେବଳ ଚିକିତ୍ସା ନୁହେଁ, ବରଂ ରୋଗ ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯାଉଛି, ଯାହା ଦ୍ୱାରା ଲୋକମାନେ ନିଜ କିଡନୀ କେତେ ଭଲ ଭାବରେ କାମ କରୁଛି ସେଥିପାଇଁ ସଚେତନ ହେବେ ଏବଂ ନିୟମିତ ସ୍କ୍ରିନିଂର ଆବଶ୍ୟକତା ବୁଝି ପାରିବେ। ୧୨ ମାର୍ଚ୍ଚ ୨୦୨୬ ତାରିଖରେ ହସ୍ପିଟାଲ୍ ପରିସରରୁ ଏହି ଅଭିଯାନର ଔପଚାରିକ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଏକ ଇଣ୍ଟରଆକ୍ଟିଭ୍ ସେସନରେ ଅନେକ ଲୋକ ଯୋଗଦେଇ କିଡନୀ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିଥିଲେ ଏବଂ ସେମାନଙ୍କର ମୌଳିକ ସ୍ୱାସ୍ଥ୍ୟ ପାରାମିଟର୍ ମଧ୍ୟ ପରୀକ୍ଷା କରାଇଥିଲେ।
ଏହି ଅଭିଯାନକୁ ଆକର୍ଷଣୀୟ କରିବା ପାଇଁ ହସ୍ପିଟାଲ୍ ପକ୍ଷରୁ “Kid” ଓ “Ney” ନାମରେ ଦୁଇଟି ମାସକଟ୍ ମଧ୍ୟ ପ୍ରବର୍ତ୍ତନ କରାଯାଇଛି। ଏହି ମାସକଟ୍ ମାନେ ଆସନ୍ତା ଏକ ସପ୍ତାହ ଧରି ଭୁବନେଶ୍ୱର ଓ କଟକର ଭିଡ଼ ଅଞ୍ଚଳଗୁଡ଼ିକରେ ଘୁରି ଲୋକମାନଙ୍କୁ କିଡନୀ ସ୍ୱାସ୍ଥ୍ୟ ବିଷୟରେ ସଚେତନ କରିବେ। ସେମାନଙ୍କ ପାଖରେ ଥିବା କ୍ୟୁଆର୍ କୋଡ଼କୁ ସ୍କାନ୍ କରି ଲୋକମାନେ କିଛି ପ୍ରଶ୍ନର ଉତ୍ତର ଦେଇ ନିଜ କିଡନୀ ପରୀକ୍ଷା କରାଇବାର ଆବଶ୍ୟକତା ଅଛି କି ନାହିଁ ଜାଣିପାରିବେ। ଜନସଚେତନତାକୁ ପ୍ରାୟୋଗିକ ପଦକ୍ଷେପରେ ପରିଣତ କରିବା ପାଇଁ ହସ୍ପିଟାଲ୍ ପକ୍ଷରୁ ବୃକକ୍ ଆପଦ ମୂଲ୍ୟାଙ୍କନ ଫର୍ମ ପୂରଣ କରୁଥିବା ଲୋକମାନଙ୍କ ପାଇଁ ବିଶେଷ କିଡନୀ ସ୍କ୍ରିନିଂ ପ୍ୟାକେଜ୍ ମଧ୍ୟ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ କିଡନୀ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ରିପୋର୍ଟ ମିଳିପାରିବ। ଏହି ପ୍ୟାକେଜ୍ ଗୁଡ଼ିକ ବେସିକ୍, ଇଣ୍ଟରମିଡିଏଟ୍ ଓ ଆଡଭାନସ୍ଡ ଭଳି ତିନୋଟି ଭିନ୍ନ ସ୍ତରରେ ଉପଲବ୍ଧ ରହିଛି ଏବଂ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଏହା ବୈଧ ରହିବ। ଏହି ଅଭିଯାନକୁ ଏକ ଅଭିଜ୍ଞ ଡାକ୍ତର ଦଳ ନେତୃତ୍ୱ ଦେଉଛନ୍ତି। ଏଥିରେ ମୂତ୍ରରୋଗ ବିଶେଷଜ୍ଞ ଡାକ୍ତର ମାନବ ରଞ୍ଜନ ପ୍ରଧାନ, ଡାକ୍ତର ସୁବୋଧ ଦାଶଙ୍କ ସମେତ କିଡନୀ ରୋଗ ବିଶେଷଜ୍ଞ ଡାକ୍ତର ସାଇ ପ୍ରସାଦ ସାହୁ ଏବଂ ଡାକ୍ତର ସୁକାନ୍ତ କିଶୋର ଦାଶଙ୍କ ଭଳି ବିଶେଷଜ୍ଞ ଡାକ୍ତରମାନେ ଅନ୍ତର୍ଭୁକ୍ତ ଅଛନ୍ତି।
ଡାକ୍ତରମାନେ କହିଛନ୍ତି ଯେ ଅନେକ କିଡନୀ ରୋଗ ଧୀରେ ଧୀରେ ବଢ଼ିଥାଏ ଓ ଆରମ୍ଭରେ କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। ଫଳରେ ଏହା ଅଧିକାଂଶ ସମୟରେ ଗୁରୁତର ଅବସ୍ଥାରେ ପହଞ୍ଚିଲେ ହିଁ ଧରାପଡ଼େ। ସେଥିପାଇଁ ‘କେଏଣ୍ଡଏନ୍ ପର୍ଫର୍ମାନ୍ସ ରିଭ୍ୟୁ’ ଅଭିଯାନ ମାଧ୍ୟମରେ କିଡନୀ ସ୍ୱାସ୍ଥ୍ୟକୁ ଲୋକମାନଙ୍କ ପାଇଁ ସହଜରେ ବୁଝିବା ଓ ନିୟମିତ ଭାବେ ନଜରରେ ରଖିବାକୁ ସହାୟତା କରାଯାଉଛି। ନିୟମିତ ସ୍କ୍ରିନିଂ ଓ ପ୍ରତିରୋଧମୂଳକ ଚିକିତ୍ସା ମାଧ୍ୟମରେ ଲୋକମାନେ ଆଗରୁ ବିପଦକୁ ଚିହ୍ନଟ କରି ସଠିକ୍ ପଦକ୍ଷେପ ନେଇ ନିଜ କିଡନୀ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ମଣିପାଲ କମ୍ୟୁନିଟି କନେକ୍ଟ ପେଜ୍ ଦେଖିବାକୁ ହସ୍ପିଟାଲ୍ ପକ୍ଷରୁ ଅନୁରୋଧ କରାଯାଇଛି।




