ସୋଲାର ପ୍ୟାନେଲରେ ନିଆଁ ଲଗାଇଲେ ଦୁର୍ବୁତ୍ତ: ଚାଷୀଙ୍କ ସ୍ୱପ୍ନ ପୋଡ଼ି ଛାରଖାର 

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ଳ ହଳଦୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେହି ଦୁର୍ବୁତ୍ତ ଚାଷ ଜମିରେ ଥିବା ସରକାରୀ ସୋଲାର ପ୍ୟାନେଲରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ଜଣେ ଗରିବ ଚାଷୀଙ୍କ ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ହଳଦୀ ଗ୍ରାମର ଚାଷୀ ବିରାଜ ମହାକୁଡ଼ଙ୍କ ଜମିରେ ‘ପିଏମ୍ କୁସୁମ’ ଯୋଜନାରେ ଏକ ସୌରଚାଳିତ ଜଳ ସେଚନ ପ୍ରକଳ୍ପ ସ୍ଥାପନ କରିଥିଲେ। ଗତ ୧୪/୦୩/୨୦୨୬ ତାରିଖ ଦିନ ପ୍ରାୟ ଦିବା ସମୟରେ କେହି ଦୁର୍ବୁତ୍ତ ଜମି ମଧ୍ୟକୁ ପ୍ରବେଶ କରି ସୋଲାର ପ୍ୟାନେଲ ତଳେ ଥିବା ଶୁଖିଲା ଘାସରେ ନିଆଁ ଲଗାଇ ଦେଇଥିଲେ। ଦେଖୁ ଦେଖୁ ନିଆଁର ପ୍ରକୋପ ବଢ଼ି ଯାଇଥିଲା ଏବଂ ସମ୍ପୂର୍ଣ୍ଣ ସୋଲାର ପ୍ୟାନେଲ୍,ତାର ଓ ଅନ୍ୟାନ୍ୟ ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରକଳ୍ପଟି ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିବାରୁ ବିରାଜ ମହାକୁଡ଼ ଏବେ ଭାଙ୍ଗି ପଡ଼ିଛନ୍ତି। ଉକ୍ତ ସୋଲାର ପ୍ୟାନେଲ ଟି ପାଖାପାଖି ୩ ଲକ୍ଷ ୯୩ ହଜାର ୮୧୮ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଅଗ୍ନିକାଣ୍ଡ ପରେ ପ୍ରକଳ୍ପରୁ ଆଉ ପାଣି ବାହାରୁ ନଥିବାରୁ ଆଗାମୀ ଦିନରେ ଚାଷ କାମ କିଭଳି ହେବ। ସେ ନେଇ ଚାଷୀ ଚିନ୍ତିତ ହୋଇପଡିଛନ୍ତି। ସେ ଘଟଣା ସମ୍ପର୍କରେ ମୁରିବାହାଲ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।ଏ ନେଇ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି। ଉପଯୁକ୍ତ ତଦନ୍ତ ଓ ଦୁର୍ବୁତ୍ତଙ୍କୁ ଚି଼ହ୍ନଟ କରି ତୁରନ୍ତ ଗିରଫ କରିବା ପାଇଁ ପୀଡ଼ିତା ଓ ହଳଦୀ ଗ୍ରାମବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.