ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର କତାଗୁଡା ଗ୍ରାମରେ ଏକ ସୁନା ଲୁଟ ଘଟଣା ଘଟିଛି । ଗ୍ରାମର ସୀତାଇ ହିକକା (୫୨)ଙ୍କ କାନରେ ପିନ୍ଧିଥିବା ପ୍ରାୟ ଏକ ତୁଳା ସୁନାର କାନଫୁଲ (ନାଂଗୁଲ) ଦୁର୍ବୁତ୍ତ ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ କାଲି ମାଝୀଗୁଡା ହାଟ ଥିବାରୁ ସକାଳ ସମୟରେ ସୀତାଇ ହିକକା ଓ ଆଙ୍କୁ ହିକକା ପନିପରିବା ବିକ୍ରି କରି ଘରକୁ ଫେରୁଥିଲେ । ସେମାନେ ଜିଲୁଣ୍ଡା ଶିବ ମନ୍ଦିର ଓ ଧାନ କଲ ମଧ୍ୟଭାଗରେ ପହଞ୍ଚିଥିବା ବେଳେ ଏକ ଅଜଣା ଦୁର୍ବୁତ୍ତ ବାଇକରେ ଆସି ପଛ ଦିଗରୁ ଆକ୍ରମଣ କରି ସୁନାର କାନାଫୁଲ ଝାମ୍ପି ନେଇ ଫେରାର ହୋଇଯାଇଥିଲା । ଘଟଣା ପରେ ପୀଡିତାଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି । ଏଏସଆଇ ଦିଲ୍ଲୀପ କୁମାର ମାଝୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛନ୍ତି । ସମ୍ପ୍ରତି ସୁନାର ଦର ବୃଦ୍ଧି ପାଉଥିବାରୁ ଏପରି ଝାମ୍ପି ନେବା ଘଟଣା ବଢ଼ୁଥିବା ଦେଖାଯାଉଛି ।




