ନିରୀହତା ସାହିତ୍ୟର ପ୍ରଥମ ବର୍ଣ୍ଣମାଳା : ଗୌରହରି ଦାସ
ଓଡ଼ିଆ ବାର୍ତ୍ତା/ ଚିକିଟୀ: ସାହିତ୍ୟ ଅକାଦେମି ଓ ଚିକିଟୀ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମିଳିତ ଆନୁକୂଲ୍ୟରେ ଏକ ସାରସ୍ୱତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ‘ଦକ୍ଷିଣ ଓଡ଼ିଶା ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥିତି’ ଶୀର୍ଷକ ଏହି ଏକଦିବସୀୟ ଆଲୋଚନାଚକ୍ରରେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡ. ଗୌରହରି ଦାସ ପୌରୋହିତ୍ୟ କରିଥିଲେ।
ଉଦ୍ଘାଟନୀ ପର୍ବରେ ସଭାମୁଖ୍ୟ ଭାବେ ଉଦବୋଧନ ଦେଇ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡ. ଗୌରହରି ଦାସ କେତୋଟି ଗଳ୍ପର ଅବତାରଣା ପୂର୍ବକ କହିଥିଲେ, “ନିରୀହତା ସାହିତ୍ୟର ପ୍ରଥମ ବର୍ଣ୍ଣମାଳା । ସମସ୍ତଙ୍କ ପାଖରେ ଦୃଷ୍ଟିଶକ୍ତି ଅଛି, ମାତ୍ର ସମସ୍ତଙ୍କର ଦୃଷ୍ଟିଭଙ୍ଗୀ ନ ଥାଏ । ଶବ୍ଦର ସାମର୍ଥ୍ୟ ଅପରିସୀମ । ଶବ୍ଦ ନିମିଷକେ କ୍ଷତାକ୍ତ କରିଦିଏ, ପୁଣି ଅବିଳମ୍ବେ କୋମଳ ସ୍ପର୍ଶରେ ପିଠି ଥାପୁଡ଼ାଇ ଅଭୟ ଆଶ୍ୱାସନା ଦିଏ । ସାହିତ୍ୟ ମଣିଷକୁ ଉନ୍ନତ ଦୃଷ୍ଟିଭଙ୍ଗୀ ଦିଏ ।” ବେଦୋକ୍ତ ଆଖ୍ୟାୟିକାର ଉଦ୍ଧାର ପୂର୍ବକ ସେ କହିଥିଲେ, ଋଷି ଯାଜ୍ଞବଲ୍କ୍ୟଙ୍କ ବିବେକ ହେଉଛି ସାହିତ୍ୟ । ଏବଂ ବିଜ୍ଞାନ ଦିଏ ବେଗ, ସାହିତ୍ୟ ଦିଏ ଆବେଗ ବୋଲି ଡ. ଦାସ ମତବ୍ୟକ୍ତ କରିଥିଲେ।
ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଦକ୍ଷିଣ ଉପାନ୍ତ ସାହିତ୍ୟିକ ଓ ସାହିତ୍ୟର ମୌଳିକ ଭିତ୍ତି ବିଷୟରେ ବର୍ଣ୍ଣନା କରିଥିଲେ। ଖ୍ୟାତିପ୍ରାପ୍ତ ସଂସ୍କୃତି ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀ ମୂଳ-ପ୍ରବନ୍ଧ ଉପସ୍ଥାପନ ପୂର୍ବକ ଦକ୍ଷିଣ ଉପାନ୍ତ ଅଞ୍ଚଳର ସାରସ୍ୱତ ସୃଷ୍ଟି ଓ ସ୍ରଷ୍ଟାମାନଙ୍କ ସମ୍ପର୍କରେ ସବିଶେଷ ଚର୍ଚ୍ଚା କରିଥିଲେ।
ସାହିତ୍ୟ ଅକାଦେମିର କୋଲକାତା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସହକାରୀ ସମ୍ପାଦକ ଡ. କ୍ଷେତ୍ରବାସୀ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଭବାନୀ ପ୍ରସାଦ ପଣ୍ଡା ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଦକ୍ଷିଣ ଉପାନ୍ତ ଅଞ୍ଚଳର ଭାଷା-ସାହିତ୍ୟ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିବା ଦୁଇ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ଡ. ଅଲେଖ ଚନ୍ଦ୍ର ପ୍ରଧାନ ଓ ଡ. ଅଶୋକ କୁମାର ପଣ୍ଡାଙ୍କୁ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଚିକିଟୀ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ. ସଞ୍ଜୟ କୁମାର ପଣ୍ଡା ଉଦ୍ଘାଟନୀ ଉତ୍ସବର ସଂଯୋଜନା କରିଥିଲେ ଏବଂ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରଥମ ବୈଷୟିକ ଅଧିବେଶନରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ବିପିନ ନାୟକ ପୌରୋହିତ୍ୟ କରି ଦକ୍ଷିଣ ଉପାନ୍ତ ଅଞ୍ଚଳ ଭାଷା-ସାହିତ୍ୟର ଅତୀତ ଓ ବର୍ତ୍ତମାନର ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଏହି ଅଧିବେଶନରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. ଉଷାରାଣୀ ରଥ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ସହଯୋଗୀ ପ୍ରଫେସର ଡ. ଦେବୀପ୍ରସାଦ ଶତପଥୀ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଡ. ରଥ ଦକ୍ଷିଣ ଉପାନ୍ତ ଅଞ୍ଚଳର ବ୍ୟାକରଣ ସ୍ରଷ୍ଟାଙ୍କ ସମ୍ପର୍କରେ ଆଲୋଚନା କରିଥିବା ବେଳେ ଡ. ଶତପଥୀ ଦକ୍ଷିଣ ଉପାନ୍ତ ଅଞ୍ଚଳ କଥିତ ଓଡ଼ିଆ ଭାଷା ସମ୍ବନ୍ଧରେ ଆଲୋକପାତ କରିଥିଲେ।
ଅପରାହ୍ଣରେ ଅନୁଷ୍ଠିତ ଦ୍ଵିତୀୟ ବୈଷୟିକ ଅଧିବେଶନରେ ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. କୁଳମଣି ଓଝା ପୌରୋହିତ୍ୟ କରିବା ସହ ପାରଳାଖେମୁଣ୍ଡି, ବୁଢାରସିଂ, ତରଳା, ଜଳନ୍ତର, ମଞ୍ଜୁଷା, ଜରଡ଼ା ଓ ଚିକିଟୀ ଆଦି ଉପାନ୍ତ ଅଞ୍ଚଳର ପ୍ରମୁଖ ସାରସ୍ୱତ ସାଧକ ଓ ସୃଷ୍ଟି ସମ୍ଭାର ବିଷୟ ଉଲ୍ଲେଖ ପୂର୍ବକ ସାଙ୍ଗୀତିକ ପରମ୍ପରା ପ୍ରସଙ୍ଗ ବର୍ଣ୍ଣନା କରିଥିଲେ। ଏହି ଅଧିବେଶନରେ ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ. ହୃଷୀକେଶ ପଣ୍ଡା ପ୍ରବନ୍ଧ ଉପସ୍ଥାପନ ପୂର୍ବକ ଦକ୍ଷିଣ ଉପାନ୍ତ ଅଞ୍ଚଳର ସାମାଜିକ, ସାଂସ୍କୃତିକ ପ୍ରେକ୍ଷାପଟ, ସାରସ୍ୱତ ପରିମଣ୍ଡଳ ଓ ପ୍ରଦର୍ଶନଶୀଳ କଳା ବିଷୟରେ ବ୍ୟାଖ୍ୟା କରିଥିଲେ। ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଦୁଇ ଜଣ ଛାତ୍ରୀ ସୁଶ୍ରୀ ସଂଗୀତା ଦାସ ଓ ରୂପାଲି ମହାନ୍ତି ଦ୍ଵିତୀୟ ଅଧିବେଶନରେ ଦକ୍ଷିଣ ଉପାନ୍ତ ଅଞ୍ଚଳ ବ୍ୟାବହାରିକ ଭାଷା ସମ୍ପର୍କିତ ପ୍ରବନ୍ଧ ପାଠ କରିଥିଲେ।
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବିଦ୍ୱାନ ବ୍ୟକ୍ତିଙ୍କ ସମେତ ପ୍ରାଧ୍ୟାପକ ଲକ୍ଷ୍ମୀନାରାୟଣ ପଣ୍ଡା, ଡ. ସୁମିତା ମିଶ୍ର, ଡ. ରୀନା ସାହୁ, ଡ. ରାଜେନ୍ଦ୍ର ମହାପାତ୍ର, ଅଧ୍ୟାପିକା ମୌସୁମୀ ପାଢ଼ୀ, ଗବେଷକ କୁରେସୁ ମହାରଣା, ଅଧ୍ୟାପକ ତୋଫାନ ସାହୁ, ଅଧ୍ୟାପକ ତ୍ରିଲୋଚନ ଦାଶଙ୍କ ସମେତ ଓଡ଼ିଆ ବିଭାଗର ସମସ୍ତ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡ. ବିଶ୍ୱନାଥ ପାଣିଗ୍ରାହୀ, ଡ. ବାବୁଲି ବେହେରା ଓ ଅଧ୍ୟାପିକା ନୀଳିମା ବେହେରା ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।




