ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ: ପାଣି ପାଇଁ ୨୦୦ ପରିବାର ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ପଞ୍ଚାୟତ ସଦର ବଡ଼ସାହିରେ ସୋଲାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁନଥିବାରୁ ପାଣି ପାଇଁ ୨୦୦ ପରିବାର ହନ୍ତସନ୍ତ ହେଉଥିବା ଜଣାପଡିଛି । ସାହିର ୱାର୍ଡ ନଂ ୧୨, ୧୩ ଓ ୧୪ରେ ସ୍ଥାପିତ ସୋଲାର ପାଣି ଯୋଗାଣ ଦୀର୍ଘଦିନ ଧରି ଅଚଳ ରହିଥିବାରୁ ପ୍ରାୟ ୨୦୦ ପରିବାର ପାଣି ପାଇଁ ହୀନସ୍ତା ଭୋଗୁଛନ୍ତି । ସୋଲାର ବ୍ୟବସ୍ଥା ବନ୍ଦ ହୋଇଯିବା ପରେ ଗ୍ରାମରେ ଥିବା ଏକମାତ୍ର ନଳକୂପ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି । ପ୍ରତିଦିନ ସକାଳୁ ନଳକୂପ ପାଖରେ ଗରା ମାଠିଆ ଧରି ମହିଳାମାନେ ଲମ୍ବା ଲାଇନ ଲଗାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ପାଣି ଆଣିବାକୁ ପଡ଼ୁଥିବାରୁ ଦୈନିକ ଜୀବନ ବ୍ୟାପକ ଭାବରେ ପ୍ରଭାବିତ ହେଉଛି । ପାନୀୟଜଳ ପାଇଁ ଏହି ଅଞ୍ଚଳରେ ସବୁବେଳେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବା କହିଛନ୍ତି ଗ୍ରାମବାସୀ । ଗ୍ରାମର ରୁଦ୍ର ନାରାୟଣ ଭତ୍ରା, ବୀର କେଶରୀ କୌଶଲ୍ୟା, ଭକ୍ତ ଚରଣ କ‌ୌଶଲ୍ୟା ଓ ଅନ୍ୟାନ୍ୟ ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ସମସ୍ୟା ସମ୍ପର୍କରେ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ । ବର୍ତମାନ ଗ୍ରୀଷ୍ମର ପ୍ରକୋପ ବଢ଼ୁଥିବା ବ‌େଳେ ପାଣି ସମସ୍ୟା ଆହୁରି ଉତ୍କଟ ହେବା ସମ୍ଭାବନା ଥିବାରୁ ଗ୍ରାମବାସୀ ଚିନ୍ତା ବ୍ୟକ୍ତ କରିଛନ୍ତି । ଗ୍ରାମବାସୀ ମାନେ ଶୀଘ୍ର ସୋଲାର ପାଣି ବ୍ୟବସ୍ଥାକୁ ମରାମତି କରି ପିଇବା ପାଣିର ସ୍ଥାୟୀ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ଦାବୀ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.