‘ଦ୍ବିତୀୟ ଲିଙ୍ଗରାଜ’ ଶ୍ରୀ ଜଳେଶ୍ବର ମହାଦେବ

ରାଜଧାନୀ ଭୁବନେଶ୍ୱରର ଅନତିଦୂର ପୁରୁଣା ପଟିଆଗଡ଼ ଟପି ସାରିବା ପରେ କଳାରାହାଙ୍ଗ ଗାଁ ଭିତରେ ରହିଛନ୍ତି ଶ୍ରୀ ଜଳେଶ୍ବର ମହାଦେବ। ଭୁବନେଶ୍ୱରର ପଟିଆ ଛକଠାରୁ ପ୍ରାୟ ୬ କିମି ଦୂରରେ ଥିବା ଉପକଣ୍ଠ ସ୍ଥିତ କଳାରାହାଙ୍ଗ ଗାଁର ସମ୍ପୂର୍ଣ୍ଣ ଶେଷ ମୁଣ୍ଡରେ ଥାଇ ତିନି ପଟୁ ବିଲ ଓ ଗୋଟିଏ ପଟେ ପୁଷ୍କରିଣୀ ଦ୍ବାରା ବେଢ଼ି ରହିଛି ଏକାଦଶ ଶତାବ୍ଦୀର ଜଳେଶ୍ୱର ମହାଦେବଙ୍କ ଦେଉଳ। ଶ୍ରୀଜଳେଶ୍ଵରଙ୍କ ‘ଦ୍ବିତୀୟ ଲିଙ୍ଗରାଜ’ ରୂପେ ଖ୍ୟାତିର ପୃଷ୍ଠଭୂମି ଏପରି –

ଇତିହାସ ଅନୁଯାୟୀ କଟକ ଓ ଭୁବନେଶ୍ବର ପଥ ଦେଇ ଆସିବା ମୁହୂର୍ତ୍ତରେ ଉପକଣ୍ଠ ସ୍ଥିତ ବର୍ତ୍ତମାନର ସାରଙ୍ଗଗଡ଼ ବା ଚୂଡ଼ଙ୍ଗଗଡ଼ର ତତ୍କାଳୀନ ଗଡ଼ରାଜା ପଦ୍ମକେଶରୀ ଦେବ ପ୍ରତ୍ୟହ ନିଜ ଗଡ଼ରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ନିମନ୍ତେ ଦୂର ବାଟ ଅତିକ୍ରମ କରି ଆସି ଦର୍ଶନ ପରେ ହିଁ ଅନ୍ନଜଳ ଗ୍ରହଣ ଗ୍ରହଣ କରନ୍ତି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିବିଡ଼ ଭକ୍ତ ଭାବରେ ସେ ନିରନ୍ତର ନିଜ ଶାସନ କାଳରେ ଦର୍ଶନ ଜାରି ରଖିଥିଲେ ମାତ୍ର, ଏକଦା ବର୍ଷକାଳ ହେବା ପରେ ସ୍ଥାନୀୟ ନଦୀ ପଥ ପାର ହୋଇ ଯିବାକୁ ବହୁତ ଅସୁବିଧା ହୁଏ। ତେଣୁ ନିଜ ଇଷ୍ଟଦେବତାଙ୍କ ଦୈନିକ ଦର୍ଶନରୁ ଅନେକ ସମୟ ପର୍ଯ୍ୟନ୍ତ ବଞ୍ଚିତ ରହି ମ୍ରିୟମାଣ ହୋଇ ପଡ଼ିଥିଲେ ରାଜା ପଦ୍ମକେଶରୀ। ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ବିନା ଅନ୍ନଜଳ ଗ୍ରହଣ ନ କରି ଅନଶନରେ ଅନେକ ଦିନ ବ୍ୟଥିତ ରହିବା ଫଳସ୍ବରୂପ ଭକ୍ତର ମନୋବ୍ୟଥା ବୁଝି ଭକ୍ତବତ୍ସଳ ମହାପ୍ରଭୁ ରାଜାଙ୍କୁ ଦିନେ ସ୍ଵପ୍ନାଦେଶ କରନ୍ତି, ତାଙ୍କ ଗଡ଼ର ଉତ୍ତର ଦିଗରେ ଏକ ଗ୍ରାମ ମଧ୍ୟବର୍ତ୍ତୀ ବିଶାଳ ପଦ୍ମ ପୋଖରୀ ମଧ୍ୟ ଭାଗରେ ସ୍ବୟଂ ଶ୍ରୀଲିଙ୍ଗରାଜ ଅନ୍ୟ ଏକ ସ୍ୱରୂପରେ ଜଳଶାୟୀ ରହିଛନ୍ତି। ତାଙ୍କୁ ଠାବ କରି ପୁଷ୍କରିଣୀ ମଧ୍ୟରୁ ଉଦ୍ଧାର ସହ ତାଙ୍କର ପୂଜାର୍ଚ୍ଚନା ଦ୍ବାରା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସାକ୍ଷାତ ଦର୍ଶନ ଓ ପୂଜାର୍ଚ୍ଚନାର ଫଳଲାଭ ହେବ ବୋଲି ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଅବଲୀଳାକ୍ରମେ ପରବର୍ତ୍ତୀ ଦିନ ସପାରିଷଦବର୍ଗ ରାଜା ନିଜ ଗଡ଼ରୁ ବାହାରି ଉତ୍ତର ଦିଗକୁ ଯାତ୍ରା କରି ବାସ୍ତବରେ ଗୋଟିଏ ଗ୍ରାମରେ ପହଞ୍ଚିଲେ ଯେଉଁଠି ଏକ ବିଶାଳ ପଦ୍ମଦଳ ଭର୍ତ୍ତି ପୁଷ୍କରିଣୀ ରହିଛି। ତାହାର ମଧ୍ୟଭାଗରେ ଏକ ଷୋଡ଼ଶ ପାଖୁଡ଼ାଦଳ ବିଶିଷ୍ଟ ଅଲୌକିକ ପଦ୍ମ ପୁଷ୍ପ ତଳେ ଦିବ୍ୟ ଲିଙ୍ଗ ଠାବ ହୋଇଥିଲେ। ମହାପ୍ରଭୁଙ୍କ ଆଦେଶାନୁସାରେ ରାଜା ପଦ୍ମକେଶରୀ ସମ୍ପୃକ୍ତ ପୁଷ୍କରିଣୀର ପଶ୍ଚିମ ତଟ ନିକଟରେ ତାଙ୍କ ପ୍ରତିଷ୍ଠା କରି ଏହି ପଶ୍ଚିମାଭିମୁଖୀ ଦେଉଳ ନିର୍ମାଣ କରିଥିଲେ। ଏଥି ସହ ଦେବତାଙ୍କ ଉଦ୍ଦେଶ୍ୟରେ ଦୈନଦିନ ନୀତିକାନ୍ତି ଓ ପୂଜା ପାର୍ବଣ ନିମନ୍ତେ ପୁରୀ ଜିଲ୍ଲାର ରାହାଙ୍ଗ ଶାସନର ବ୍ରାହ୍ମଣଙ୍କ ନିମନ୍ତେ ଏଠାରେ ଜମି ଖଞ୍ଜା ଦେଇଥିଲେ। ତେଣୁ ଏହି ସ୍ଥାନର ନାମ ‘କଳାରାହାଙ୍ଗ’ ରୂପେ ଅଭିହିତ ହୋଇଥିଲା। ଏହା ସହ ଲିଙ୍ଗରାଜ ଦ୍ଵିତୀୟ ସ୍ଵରୂପ ରୂପେ ପୂଜା ପାଇଥିବାରୁ ‘ଦ୍ବିତୀ ଲିଙ୍ଗରାଜ’ ରୂପେ ସେ ସର୍ବଜନବିଦିତ ହୋଇଛନ୍ତି।  

ବର୍ତ୍ତମାନର ଦେଉଳ ୧୦ମ-୧୧ଶ ଶତାବ୍ଦୀ ମଧ୍ୟଭାଗର ନିର୍ମାଣ।ଆଉ ଏହି ସମ୍ପୂର୍ଣ୍ଣ ଦେଉଳ ଓ ତାର ସୁନ୍ଦର କାରୁକାର୍ଯ୍ୟସମ୍ପନ୍ନ ବେଢ଼ା କେଶରୀ ରାଜବଂଶର କୀର୍ତ୍ତି। ଶ୍ରୀଜଳେଶ୍ବରଙ୍କ ଦେଉଳ ପଶ୍ଚିମାଭିମୁଖୀ ବା ପଶ୍ଚିମମୁଖା ଓ ଏହି ଶିବଲିଙ୍ଗ ପ୍ରତିଷ୍ଠିତ ଦେବତା ଯିଏ ଦେଉଳର ଗର୍ଭଗୃହ ଭିତରେ ପ୍ରାୟ ଭୂପତ୍ତନଠାରୁ ସୁଦ୍ଧା ଆହୁରି ୨ ମିଟର ତଳକୁ ରହିଛନ୍ତି। ଆଉ ତାଙ୍କର ପ୍ରତି ବର୍ଷ ଚନ୍ଦନଯାତ୍ରା, ଶୀତଳଷଷ୍ଠୀ, ମହାଶିବରାତ୍ରୀ, ପ୍ରତି ସୋମବାର ପାଳି, ସଂକ୍ରାନ୍ତି, ପୂର୍ଣ୍ଣିମା ପଙ୍ଗତ ଏମିତି ବହୁତ ନୀତି ଜଡ଼ିତ ଥିବା ବେଳେ ବିଭିନ୍ନ ଅଞ୍ଚଳରୁ ବ୍ରାହ୍ମଣମାନେ ଆସି ଏଠି ମାନସିକ ସ୍ବରୂପ ରୁଦ୍ରାଭିଷେକ, ଜଳଲାଗି, ବ୍ରାହ୍ମଣ ଭୋଜନ, ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠାନ କରିଥାନ୍ତି। ଜଳେଶ୍ୱରଙ୍କ ଦେଉଳଟି ପ୍ରାଚୀନ ଉତ୍କଳୀୟ ସ୍ଥାପତ୍ୟ ରୀତିରେ ନିର୍ମାଣ କରାଯାଉଛି, ଯାହାର ମୁଖ୍ୟ ରେଖଶୈଳୀ ବିଶିଷ୍ଟ ‘ବିମାନ’/’ଦେଉଳ’, ଜଗମୋହନ ଓ ଟିକେ ଛାଡ଼ିକି ଦ୍ବାରଦେଶ ସମ୍ମୁଖରେ ତଥା ବେଢ଼ାର କେନ୍ଦ୍ରସ୍ଥଳରେ ନାଟମଣ୍ଡପ ରହିଛି। ଏହି ଗୋଟିଏ ଦେଉଳ ଏକାମ୍ରକ୍ଷେତ୍ର ଭୁବନେଶ୍ଵରର ପ୍ରାୟ ବିଭିନ୍ନ ପ୍ରସିଦ୍ଧ ମନ୍ଦିରମାନଙ୍କ କାରୁକାର୍ଯ୍ୟ ଏକାଧାରରେ ବହନ କରେ, ଯଥା ଏହାର ଦ୍ୱାରଦେଶରେ ଥିବା ନାଗମୂର୍ତ୍ତି ସ୍ତମ୍ଭ ଉଭୟ ଟଙ୍କପାଣି ରୋଡରେ ଥିବା ମେଘେଶ୍ବର ଦେଉଳର ଦ୍ବାର ଭଳି ତିଆରି ନିର୍ମିତ, ଏହାର ମୁଖ୍ଯ ଜଗମୋହନ ଏବଂ ବିମାନର ମସ୍ତକ, କଳସ ସହିତ ଜଗମୋହନର ଗବାକ୍ଷ ଦୁଇ ପଟ ସବୁ ପ୍ରସିଦ୍ଧ ରାଜରାଣୀ ମନ୍ଦିରର ଗଠନଶୈଳୀ ସହିତ ସମାନ, ଦେଉଳର ଶୈବ ଦ୍ବାରପାଳ ଯଥା ଦ୍ବାରଦେଶର ତଳ ଦୁଇ ପାର୍ଶ୍ୱରେ ଥିବା ଗଙ୍ଗା-ଯମୁନା, ନନ୍ଦୀ ମହାକାଳଙ୍କ ଚିତ୍ରଣ ମେଘେଶ୍ଵର ଦେଉଳର ଦ୍ବାରପାଳଙ୍କ ଗଠନ ପ୍ରକରଣ ସହ ଯଥେଷ୍ଟ ସାମଞ୍ଜସ୍ୟ ରଖେ। ତା ସହିତ ପୀଢ଼ ଶୈଳୀ ବିଶିଷ୍ଟ ଜଗମୋହନର ଖାକରାମୁଣ୍ଡି ଖୋଲର ଆଠଟା ଦିଗରେ ଅଷ୍ଟ ଦିଗପାଳ ରହିଛନ୍ତି, ସେମାନଙ୍କ ମଧ୍ୟରେ କୁବେର ଓ ଅଗ୍ନିଙ୍କ ନିର୍ମାଣ ଶୈଳୀ କଟକ ଜିଲ୍ଲା ବଡ଼ମ୍ବା ସିଂହନାଥ ଦେଉଳର ଅଗ୍ନି ଓ କୁବେରଙ୍କ ଅବିକଳ ବୋଲି ପରିଲକ୍ଷିତ ହୁଏ। କେବଳ ସେତିକି ନୁହେଁ, ଦେଉଳର ଚତୁଷ୍ପାର୍ଶ୍ବ ଗାତ୍ର ଦେହରେ ଯେତେକ ଦେବତାମାନଙ୍କ ମୂର୍ତ୍ତି ଗଠନ କରାଯାଇଛି, ସେମାନଙ୍କ ଗଠନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦେଉଳର ଦେବଦେବୀଙ୍କ ଗଠନ କାରୁକାର୍ଯ୍ୟ ସହ ଯଥେଷ୍ଟ ସମାନ ଦିଶେ ତଥା ଶୃଙ୍ଗାର ରସର ପରିଚୟ ପ୍ରଦାନ କରୁଥିବା ଅଳସକନ୍ୟାଙ୍କ ରୂପରେଖ ବି କେଶରୀ ରାଜବଂଶ ସମୟରେ ଗଠିତ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦେଉଳର ବିଭିନ୍ନ ଅଳସକନ୍ୟାଙ୍କ ସ୍ଥାପତ୍ୟ ସମାନ୍ତରାଳରେ ନିର୍ମାଣ କରାଯାଇଥିବାର ଜଣେ ଦେଖଣାହାରୀ ଭାବରେ ଲକ୍ଷ୍ଯ କରିପାରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.