ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ପାଳିତ ହେଲା କବି ବ୍ରଜନାଥ ରଥଙ୍କର ଦ୍ଵାଦଶ ପୁଣ୍ୟତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପ୍ରଥିତଯଶା କବି ତଥା ମାନବୀୟ ମୁଲ୍ୟବୋଧର ଅନନ୍ୟ ସ୍ରଷ୍ଟା କବି ଡ଼କ୍ଟର ବ୍ରଜନାଥ ରଥଙ୍କର ଦ୍ଵାଦଶ ପୁଣ୍ୟତିଥି କବିତୀର୍ଥ ଶାନ୍ତି କାନନରେ ପାଳିତ ହୋଇଯାଇଛି। ବିଶିଷ୍ଟ କବି ଡ଼କ୍ଟର ମନୋରମା ବିଶ୍ୱାଳ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ କବି ରଥଙ୍କର କବିତା ମୋ ଭଳି ନୂଆ ଲେଖୁଥିବା ସେ ବେଳର କବିଙ୍କ ପାଇଁ ଥିଲା ଗୀତା ଭାଗବତ। ସେ ଆହୁରି କହିଲେ ଯେ କବି ବ୍ରଜନାଥ ସତରେ ଥିଲେ ଓଡ଼ିଆ ସାରସ୍ୱତ ଜଗତର ଏନସାଇକ୍ଲୋପେଡ଼ିଆ ବା ଶବ୍ଦକୋଷ। କାରଣ ଯେତେବେଳେ ଯେଉଁ ପୁସ୍ତକ, ପତ୍ରିକା ବା ଲେଖକଙ୍କ ସମ୍ପର୍କରେ କିଛି ତଥ୍ୟ ଆବଶ୍ୟକ ପଡେ କବି ରଥଙ୍କ ପାଖରୁ ସହଜରେ ଉପଲବ୍ଧ ହେଉଥିଲା। ସେ ଥିଲେ ମୋର ସାରସ୍ୱତ ସାଧନାର ଅନନ୍ୟ ପ୍ରେରଣା।

ଏଥିରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ କବି ରଥଙ୍କର ପୁତ୍ରପ୍ରତିମ ସାରସ୍ୱତ ସାଧକ କବି ଡ଼କ୍ଟର କାଳିକିଙ୍କର ଦାସ କବି ରଥଙ୍କର ଜୀବନ ସଂଗ୍ରାମ ଓ ସାରସ୍ୱତ ଯାତ୍ରା ସମ୍ପର୍କରେ ବହୁ ଉପାଦେୟ ତଥ୍ୟ ଉପସ୍ଥାପନ କଲେ। ସେ କହିଲେ ଯେ କବି ବ୍ରଜନାଥ ରଥ ଥିଲେ ମାନବୀୟ ମୂଲ୍ୟବୋଧ ଓ ମାନବବାଦର ସ୍ୱତନ୍ତ୍ର ସ୍ରଷ୍ଟା । ସଂସାରର ଦୁଃଖ, ଦୈନ୍ୟ, ଅନ୍ୟାୟ, ଅତ୍ୟାଚାରକୁ ତାଙ୍କ କବିତା ମାଧ୍ୟମରେ ପରିପ୍ରକାଶ କରି ସୁନ୍ଦର ସଂସାରର ସ୍ୱପ୍ନ ନିର୍ମାଣ କରୁଥିଲେ। ପରିଷଦର ସମ୍ପାଦକ ଡ଼କ୍ଟର ରତ୍ନାକର ସିଂହ କବି ରଥଙ୍କର ସମସ୍ତ କୃତି ଓ ସମ୍ମାନ ସବୁର ବିଶେଷ ବିବରଣୀ ପ୍ରଦାନ କରିବା ସହ ସେ ଯେ ବ୍ୟାସକବି ଫକୀରମୋହନଙ୍କର ଯଥାର୍ଥ ଦାୟାଦ ବୋଲି ଉଲ୍ଲେଖ କରିଥିଲେ।

ପରିଷଦର ସଭାପତି ଡ଼କ୍ଟର ସୁବାସ ଚନ୍ଦ୍ର ପାତ୍ର କବି ରଥଙ୍କ ସହିତ ତାଙ୍କର ସମ୍ପର୍କକୁ ଉପସ୍ଥାପନ କରି କହିଲେ ଯେ ବ୍ରଜବାବୁ ଆମ ସାରସ୍ୱତ ସଂସାରର ଯଥାର୍ଥ ମୁରବୀ ଥିଲେ। ମନୋଜ ଦାସ ଓ ବ୍ରଜନାଥ ରଥଙ୍କର ବନ୍ଧୁତ୍ୱକୁ ସ୍ମରଣ କରି ଡ଼କ୍ଟର ପାତ୍ର କହିଲେ ଯେ ଜୀବନର ଯଥାର୍ଥ ଭଲପାଇବା ଓ ବନ୍ଧୁତ୍ୱର ମୂଲ୍ୟ ଏମାନଙ୍କ ସମ୍ପର୍କ ଦେଖିଲେ ବୁଝିହୁଏ । ପରିଷଦର ଯୁଗ୍ମ ସମ୍ପାଦକ ରାଜେଶ ଗିରି ମଞ୍ଚ ଆହ୍ୱାନ କରିଥିଲା ବେଳେ ଅନ୍ୟତମ ଯୁଗ୍ମ ସମ୍ପାଦିକା ଶ୍ରୀମତୀ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଶରତ କର ଓ ନୀଳିମା କର ଫାଉଣ୍ଡେସନର ସଭାପତି ଶୋଭନ କର ସମେତ ରବି ନାରାୟଣ ଦାଶ, କବି ବିମଳ ଜେନା, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, କବି ହରିଶ୍ଚନ୍ଦ୍ର ବେହେରା, ଗାଳ୍ପିକା ପୁଷ୍ପାଞ୍ଜଳି ନାୟକ ଆଦି ବହୁ କବି, ଲେଖକ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ବ୍ରଜନାଥ ରଥଙ୍କ ପରିବାରରୁ ତାଙ୍କ କନ୍ୟା ମନସ୍ୱିନୀ, ଓଜସ୍ୱିନୀ, ଜ୍ୱାଇଁ ମୃତ୍ୟୁଞ୍ଜୟ, ପୁତ୍ର ବ୍ୟୋମନାଥ, ବିଧୁନାଥ, ବ୍ରହ୍ମନାଥ, ପୁତ୍ରବଧୂ ଅନିତା, ସୌଭାଗିନୀ, ଅର୍ଚ୍ଚନା, ନାତୁଣି ଆନନ୍ଦିତା, ନାତୁଣୀ ଜ୍ୱାଇଁ ଅନୁରାଗ ଓ ନାତି ବହ୍ନିମାନ ସମେତ ଅଧିକାଂଶ ସଦସ୍ୟ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.