ଓଡ଼ିିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ଯୁବ ସଂଗଠକ ବିଦ୍ୟାର୍ଥୀ ପରିଷଦର ପୁରାତନ ଛାତ୍ରନେତା ଧର୍ମେନ୍ଦ୍ର କୁମାର ବାହୁକଙ୍କୁ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚାର କଳାହାଣ୍ଡି ଜିଲ୍ଲା ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କ ନିଯୁକ୍ତିକୁ ନେଇ ନର୍ଲା ସମେତ କଳାହାଣ୍ଡି ଜିଲ୍ଲାର ଯୁବ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଧର୍ମେନ୍ଦ୍ର କୁମାର ବାହୁକ ଛାତ୍ର ଜୀବନରୁ ସାମାଜିକ ଓ ସାଙ୍ଗଠନିକ କାର୍ଯ୍ୟକଳାପ ସହ ଜଡ଼ିତ ରହିଆସିଛନ୍ତି। ବିଦ୍ୟାର୍ଥୀ ପରିଷଦର ପୁରାତନ ଛାତ୍ରନେତା ଭାବେ ଛାତ୍ର ଓ ଯୁବମାନଙ୍କ ବିଭିନ୍ନ ପ୍ରସଙ୍ଗରେ ସକ୍ରିୟ ଭୂମିକା ନେବା ସହ ସାଙ୍ଗଠନିକ କାର୍ଯ୍ୟକୁ ଆଗେଇ ନେବାରେ ତାଙ୍କର ଅନେକ ଅବଦାନ ରହିଛି। ନର୍ଲା ନିର୍ବାଚନ ମଣ୍ଡଳୀରେ ଯୁବମାନଙ୍କୁ ସଂଗଠିତ କରିବା, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ଯୋଡ଼ିବା ଏବଂ ସାଙ୍ଗଠନିକ କାର୍ଯ୍ୟକଳାପକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ସେ ସକ୍ରିୟ ରହିଆସିଥିବା ଦଳୀୟ ମହଲରେ କୁହାଯାଇଛି। ନୂତନ ଦାୟିତ୍ୱ ପାଇବା ପରେ ଶ୍ରୀ ବାହୁକ କହିଛନ୍ତି ଯେ, ଦଳ ପକ୍ଷରୁ ତାଙ୍କ ଉପରେ ରଖାଯାଇଥିବା ବିଶ୍ୱାସ ଓ ଦାୟିତ୍ୱକୁ ସେ ନିଷ୍ଠାର ସହ ପାଳନ କରିବେ। କଳାହାଣ୍ଡି ଜିଲ୍ଲାରେ ଯୁବ ମୋର୍ଚ୍ଚାକୁ ଆହୁରି ସକ୍ରିୟ ଓ ସୁଦୃଢ଼ କରିବା ସହ ଅଧିକରୁ ଅଧିକ ଯୁବକ-ଯୁବତୀଙ୍କୁ ସଂଗଠନ ସହ ଯୋଡ଼ିବା ଦିଗରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।ତାଙ୍କ ନୂତନ ଦାୟିତ୍ୱ ପାଇଁ ନର୍ଲା ବ୍ଲକ ତଥା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦଳୀୟ ନେତା, କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ମାନେ ଅଭିନନ୍ଦନ ଜଣାଇଛନ୍ତି।





