ରୋହିଣୀ ନନ୍ଦନ ପ୍ରଭୁ ହଳାୟୁଧଙ୍କ ଜନ୍ମ କାହାଣୀ

ପାଣ୍ଡଵ ଭାଇମାନେ ବନବାସ କାଳରେ କାମ୍ୟକ ବନରେ ବାସ କରୁଥାନ୍ତି l ତୃତୀୟ ପାଣ୍ଡଵ ଅର୍ଜୁନ ଦିବ୍ୟାସ୍ତ୍ର ସନ୍ଧାନରେ ଚାଲି ଯାଇ ଥାନ୍ତି l ଅର୍ଜୁନଙ୍କ ବିନେ ଧର୍ମରାଜ ଯୁଧିଷ୍ଠିରଙ୍କ ମନ ଲାଗୁ ନ ଥାଏ l ଦିନେ ସେ ଇତସ୍ତତଃ ବୁଲିବୁଲି ଯାଇ ରେବାନଦୀ ତଟରେ ରୈବତ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ l ଯୁଧିଷ୍ଠିର ତାଙ୍କୁ ଯଥାମାନ୍ୟ କରିବାରୁ ଋଷି ତାଙ୍କ ସର୍ବ କୁଶଳ ଜିଜ୍ଞାସା କଲେ l ଋଷିଙ୍କ ବିଷୟରେ ଯୁଧିଷ୍ଠିର ଜାଣିବାପାଇଁ ଚାହିଁବାରୁ ସେ ତାଙ୍କ କଥା ଆରମ୍ଭ କଲେ l ଋଷି କହିଲେ ମୁଁ ଏଠିକାର ବହୁପୂର୍ବେ ରାଜା ଥିବା ବିଶ୍ଵାବସୁଙ୍କ କୂଳରେ ସମ୍ଭୁତ l ମୋ ପିତାଙ୍କ ନାମ ଜୟନ୍ତୀକ l ମୁଁ ସମସ୍ତ ବିଦ୍ୟା ତଥା ଯୋଗ ସାଧନ କରିଛି l ଏକଦା ରଜନୀ ଦଶ ଦଣ୍ଡ ହୋଇଛି ମୋ ଅଙ୍ଗରୁ ଏକ କନ୍ୟା ଜନ୍ମ ଲାଭ କଲା l ସେ କନ୍ୟା ଥିଲା ଲକ୍ଷ୍ମୀ ସ୍ୱରୂପା, ଗୁଣବତୀ ଏବଂ ରୂପବତୀ l ଜନ୍ମ ହେବା ମାତ୍ରେ ସେ ବେଦ ଧ୍ୱନୀ କଲା l ମାତ୍ର ସେ କୌଣସି ପାନ ଆହାର କଲାନାହିଁ l ଏହିପରି ଲକ୍ଷେକ ବର୍ଷ ବିତି ଗଲା l ମନେ ମନେ ଶୁକ୍ଲାମ୍ବର ଭଗବାନଙ୍କୁ ସେ ଧ୍ୟାନକରୁଥାଏ l କନ୍ୟାର ବିବାହ ବୟସ ହୋଇ ଯାଇ ଥାଏ l ତାହାର ଇଚ୍ଛା କଅଣ ବୋଲି ମୁଁ ଦିନେ ପ୍ରଶ୍ନ କଲି l ସେ କହିଲା ମୋର ପତିହେବା ଯୋଗ୍ୟ ପୁରୁଷ ଏ ସଂସାରରେ କେହି ବି ନାହାଁନ୍ତି l ମୋପାଇଁ ପ୍ରଜାପତି କୌଣସି ପୁରୁଷ ସୃଷ୍ଟି କରି ନାହାଁନ୍ତି l ପୁତ୍ରୀ ଠାରୁ ଏ କଥା ଶୁଣି ମୁଁ ଯାଇ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲି l ସେତେବେଳେ ସେ ସନ୍ଧ୍ୟା ତର୍ପଣ କରୁଥାନ୍ତି l ତର୍ପଣ ଶେଷ କରି ସେ ମୋ ଆଡ଼କୁ ଚାହିଁଲେ l ତାଙ୍କୁ ମୁଁ ଯଥାମାନ୍ୟ କରି ପଚାରିଲି,ଭଗବନ୍ ! ମୋର କନ୍ୟା ଗୋଟିଏ ଅଛି,ତାହା ପାଇଁ କଅଣ ଆପଣ କୌଣସି ପୁରୁଷ ସୃଷ୍ଟି କରି ନାହାଁନ୍ତି? ବ୍ରହ୍ମା କହିଲେ ତୋ ପୁତ୍ରୀର ବହୁପୁଣ୍ୟବଳ ଅଛି l ସେ ଯାହାର ଭାର୍ଯ୍ୟା ହେବ କହୁଛି ଶୁଣ l ଯମୁନା ତଟରେ ମଥୁରା ନାମକ ନଗର ଅଛି l ନିକଟରେ ରହିଛି ଗୋପପୁର l ଅଶିପଦ୍ମ ଗୋପାଳଙ୍କ ରାଜା ସେଠାରେ, ନନ୍ଦ ମହାଖୁଡ଼ l ଗୋପାଳ ମାନଙ୍କର ଷୋଳସହସ୍ର ଗାଈ ସେଠାରେ ପଞ୍ଚକ୍ରୋଶ ବ୍ୟାପ୍ତ ଭୂମି ମାଡ଼ି ଚରୁଛନ୍ତି l ପ୍ରଥମେ ନନ୍ଦଙ୍କର ଗୋଟିଏ କପିଳା ନାମରେ ଗାଈ ଥିଲା l କପିଳା ଠାରୁ ଜନ୍ମ ହେଲା ବଉଳା l ବଉଳା ଠାରୁ ନନ୍ଦିନୀ ଓ ଅବନୀ ଜନ୍ମ ହେଲେ l ଅବନୀର ଝିଅ ଅଶ୍ୱିନୀ ଓ ଅଶ୍ଵିନୀ ଝିଅ ସୁରଭି l ସୁରଭିର ବତ୍ସା ମହାଦେବୀ l ବତ୍ସା ମହାଦେବୀ କ୍ଷୁଧାରେ ଥରେ ଚଉବିଂଶ ଯୋଜନ ବିସ୍ତାର କ୍ଷୀର ସାଗରକୁ ପାନ କରି ଦେଇଥିଲା l ଏହି ମହାଦେବୀ ବତ୍ସାର ଝିଅ ନନ୍ଦିନୀ ଓ ତାହା ଠାରୁ ଜନ୍ମ କୃତ୍ତିକା l କୃତ୍ତିକା ଠାରୁ ସମ୍ଭବ ହୋଇ ଅଛନ୍ତି ଅଶି ପଦ୍ମ ଗାଈ l କୃତ୍ତିକା ଗାଭୀର ଜ୍ୟେଷ୍ଠ ଦୁହିତା ରୋହିଣୀ l ରୋହିଣୀ ଥରେ ଯମୁନାରେ ଜଳପାନ କରୁଥିଲା ବେଳେ ଜଳରେ ଶୁଦ୍ଧ ସ୍ଫଟିକ ବର୍ଣ୍ଣର ଏକ ବିନ୍ଦୁ ଭାସିଆସିଲା l ସେ ବିନ୍ଦୁଟି ଜଳ ପାନ ସହିତ ରୋହିଣୀଙ୍କ ଗର୍ଭ ମଧ୍ୟରେ ପ୍ରବେଶ କଲା l ସେହି ବିନ୍ଦୁ ଗୋଟିଏ ସନ୍ତାନ ରୂପ ନେଇ ରୋହିଣୀଙ୍କ ହୃଦୟମଣ୍ଡଳରେ ବିହାର କରି କାଳ କ୍ରମେ ତାଙ୍କ ବାମନେତ୍ର ମଧ୍ୟରୁ ଜନ୍ମଲାଭ କଲା l ଶୁକ୍ଲ ବର୍ଣ୍ଣର ସେହି ପୁତ୍ର ଶରୀରର ଅପୂର୍ଵ ଦେହ କାନ୍ତି ଦେଖି ରୋହିଣୀ ମୁର୍ଚ୍ଛାଗଲେ l ସେ ପୁତ୍ରର ଶିରରେ ସପ୍ତଫଣୀ ଶୋଭା ପାଉଥାଏ ଓ ତା ପଦ ଆଘାତରେ ମେଦିନୀ ପ୍ରକମ୍ପିତ ହେଉଥିଲା l ସେ ପୁଅର ଡୋଳାର ଅପୂର୍ଵ ତେଜରେ ସୂର୍ଯ୍ୟଙ୍କ କାନ୍ତି ମଳିନ ପଡ଼ିଗଲା l ତା ଦୃଷ୍ଟିର ତେଜ ଦେଖି ସବୁ ଗାଈ ମାନେ ପଳାଇ ଗଲେ l ସେହି ପୁତ୍ରକୁ ନେଇ ଅଣାକାର ନାମକ ବଳଦ ରଖିଲା l ଗୋରୁ ମାନେ ତ୍ରସ୍ତ ହୋଇ ପଳାଇ ଯାଉଥିବା ଦେଖି ନନ୍ଦ ଦଉଡ଼ି ଯାଇ ଗୁହାଳରେ ସେ ଅପୂର୍ବ କାନ୍ତି ଯୁକ୍ତ ପୁଅଟିକୁ ଦେଖି ଆନନ୍ଦ ହେଲେ l ସେ ଭାବୁଥାନ୍ତି କିଏ ଏହି ପୁଅଟିକୁ ପ୍ରସବକଲା l ଏହି ସମୟରେ ନନ୍ଦରାଜା ଦେଖିଲେ ପାଖରେ ତାଙ୍କ ରୋହିଣୀ ଗାଈଟି ମୂର୍ଚ୍ଛା ହୋଇ ପଡ଼ିଛି l ଚକିତ ହୋଇ ନନ୍ଦ ଦେଖୁଛନ୍ତି, ଏହି ସମୟରେ ସ୍ୱର୍ଗରୁ ବାଣୀହେଲା,”ହେ ନନ୍ଦ ! ଏ ପୁଅଟିକୁ ନେଇ ପାଳନ କର, ଏ ପୁଅ କାହାରି ନୁହେଁ”l
ଆକାଶର ବାଣୀ ତାକୁ ଶୁଭେ ଘନ ଘନ l
ପ୍ରତିପାଳ ଆହେ ନନ୍ଦ ନୁହେଁ କା ନନ୍ଦନ ll

ଅନ୍ତରୀକ୍ଷରୁ ଏହି ଅଦ୍ଭୁତ ବାଣୀ ଶ୍ରବଣ କରି ନନ୍ଦ ସେ ପୁଅକୁ କୋଳ କରିବାକୁ ଧାଇଁଲେ l ଆଶ୍ଚର୍ଯ୍ୟ, ସେ ପୁଅଟି ଯେ ମନ୍ଦରପର୍ବତ ଠାରୁ ଅଧିକ ଗରୁ l ନନ୍ଦବାବା ପୁଅକୁ ଉଠାଇବାକୁ ଚେଷ୍ଟା କରି ମୁର୍ଚ୍ଛା ହୋଇଗଲେ l ଅମୃତ ଦୃଷ୍ଟିରେ ପୁଅଟି ଚାହିଁବାରୁ ନନ୍ଦ ସାଷ୍ଟମ ହେଲେ l ସେହି ପୁଅ କାହା ଘରକୁ ନଯାଇ ସେହିଠାରେ ରହିଲା l ପୁଅକୁ ଦେଖି ରୋହିଣୀ କହିଲେ ଘୋର ସଙ୍କଟରୁ ଏହି ପୁଅଟି ପରିତ୍ରାଣ କରିଛି ଏଣୁ ଏହାର ନାମ ହେଉ ସଙ୍କର୍ଷଣ l ନନ୍ଦ କହିଲେ ଯେହେତୁ ତୋର ବଳ ଅପ୍ରମିତ, ତୋ’ର ନାମ ହେବ ବଳରାମ ଓ ଯଶୋଦା କହିଲେ ତୋ ନୀଳ ଜୀମୂତ କଳେବର ହେତୁ ତୋର ନାମ ନୀଳାମ୍ବର l
ଯଶୋଦା ବୋଲେ ତୋ ନୀଳଜୀମୂତ ଶରୀର l
ମୁହିଁ ନାମ ଦେଲି ତୁହି ସ୍ୱୟଂ ନୀଳାମ୍ବର ll

ଗୋପାଳୁଣୀ ମାନେ କହିଲେ, ତୋର ପୁଣ୍ୟ ଜନ୍ମ ହୋଇ ଥିବାରୁ,ଆମେ ନାମ ଦେଉଛୁ କାମପାଳ l‌ ଏହି ସମୟରେ ବଳାନ୍ତକ ବୋଲି ଜଣେ ଗୋପ ଲଙ୍ଗଳଟିଏ ଧରି ସେଠାରେ ପହଞ୍ଚିଲେ l ପଞ୍ଚବକ୍ର ସେହି ଲଙ୍ଗଳର ଗଠନକୁ ଦେଖି ଅତୀବ ହର୍ଷରେ ବଳରାମ ତାକୁ ଗ୍ରହଣ କଲେ l ସେ ବାମହସ୍ତରେ ଲଙ୍ଗଳ ଓ ଡାହାଣ ହସ୍ତରେ ମୁଷଳ ଧାରଣ କରି ଗୋଗୋଷ୍ଠରେ ବିହାର କଲେ l

ବ୍ରହ୍ମା ରୈବତକ ଋଷିଙ୍କୁ ବଳଦେବଙ୍କର ଏପରି ଜନ୍ମ କାହାଣୀ ଶୁଣାଇ କହିଲେ, ସେହି ବଳରାମ ତୋର ରେବତୀ କନ୍ୟା ପାଇଁ ଉପଯୁକ୍ତ ବର l ତାଙ୍କୁ ଯାଇ ତୋ କନ୍ୟାକୁ ସମର୍ପଣ କର l ଧରା ଭାର ଉଶ୍ୱାସ ପାଇଁ ସେ ଯୁଗେ ଯୁଗେ ଦେହ ଧାରଣ କରନ୍ତି l
କାଳ ଅନୁରୂପେ ଯୁଗ କରେ ଉଦ୍ଧାରଣ l
ନାନାରୂପ ପୃଥିବୀରେ ଧରେ କ୍ଷଣ କ୍ଷଣ ll

ସେ ପୁଣି କହିଲେ, ତ୍ରେତୟା ଯୁଗରେ ପ୍ରଭୁ ରାମ ଚନ୍ଦ୍ର ଦଣ୍ଡକ ବନରେ ବନବାସ କରୁଥିଲା ବେଳେ ଦିନେ ତୃଷାର୍ତ୍ତ ହେଲେ l ପ୍ରଭୁଙ୍କୁ ଗୋପାଳ ମାନେ କ୍ଷୀର ପାନ କରାଇ ତୃଷା ନିବାରଣ କରାଇଲେ l ସେ ସମୟରେ ପ୍ରଭୁଙ୍କ ଠାରୁ ବର ପାଇ ନନ୍ଦ ଓ ଯଶୋଦା ଏ ଦ୍ୱାପର ଯୁଗରେ ବଳରାମଙ୍କୁ ପାଳନ ପୋଷଣ କରୁଛନ୍ତି l ଯୁଧିଷ୍ଠିର ମୁନି ରୈବତକଙ୍କ ଠାରୁ ହଳାୟୁଧଙ୍କ ଏହି ଅଦ୍ଭୁତ ଜନ୍ମକାହାଣୀ ଶୁଣି ନିଜକୁ କୃତ୍ୟ କୃତ୍ୟ ମନେକଲେ ଏବଂ ମହର୍ଷିଙ୍କୁ ପ୍ରଣିପାତ କରି ଆଶ୍ରମକୁ ଫେରି ଆସିଲେ l
ଶ୍ରୀବଳଦେବ ହେଉଛନ୍ତି ହଳାୟୁଧ l ସେ କୃଷି ଓ ଗୋ ସମ୍ପଦର ଦେବତା l ତାଙ୍କ ଜନ୍ମ ତିଥି ଶ୍ରାବଣ ପୂର୍ଣ୍ଣିମାକୁ ଗହ୍ମାପୂର୍ଣ୍ଣିମା ଭାବେ ପାଳନକରାଯାଏ l କୃଷକ ସମ୍ପ୍ରଦାୟରେ ପ୍ରଭୁ ଇଷ୍ଟ ଭାବେ ପୂଜାପାଇ ଥାନ୍ତି l ତାଙ୍କ ଜନ୍ମ ଦିବସରେ ଗୋ ସମ୍ପଦର ପୂଜା କରାଯାଇ ଥାଏ l ଭାଗବତ ଏବଂ ମହାଭାରତରୁ ଜ୍ଞାତ ହୁଏ ଯେ ବଳରାମ ବସୁଦେବଙ୍କ ଅନ୍ୟତମା ମହିଷୀ ରୋହିଣୀଙ୍କ ଗର୍ଭରୁ ଜାତ ହୋଇଥିଲେ l କିନ୍ତୁ ଶାରଳା ମହାଭାରତ ଅନୁସାରେ ବଳରାମ ରୋହିଣୀ ନାମକ ଗାଭୀ ଗର୍ଭରୁ ସମ୍ଭୁତ l

ଅର୍ଜୁନୀ ଚରଣ ବେହେରା
ମୋ -7693091971

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.