ଓଡ଼ିଆ ବାର୍ତ୍ତା/ ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଳକ ନିଲଜି ସ୍ଥିତ ମହିମା ଆଶ୍ରମରେ ଶୁକ୍ରବାର ନବାନ୍ନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରାବଣ ପୂର୍ଣ୍ଣିମାର ଶୁଭ ଅବସରରେ ଅଖଣ୍ଡ ବ୍ରହ୍ମ ଧୁନି ପ୍ରଜ୍ବଳନ, ଭଜନ କୀର୍ତ୍ତନ ଆୟୋଜିତ ହୋଇଥିଲା। ପ୍ରଭୁଙ୍କୁ ନବାନ୍ନ ଅର୍ପଣ କଲା ପରେ ସମସ୍ତ ମହିମା ଧର୍ମାବଲମ୍ବୀ ଏକାଠି ବସି ନୂଆ ଖାଇଥିଲେ। ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗର୍ଦଶକ ମଣ୍ଡଳୀ ସଦସ୍ୟ, ଅଖିଳ ଭାରତୀୟ ଧର୍ମ ବିଭାଗର ପ୍ରଚାରକ ସାଧୁ ପ୍ରଭାକର ଦାସ ମହାରାଜ ସମସ୍ତ ଭକ୍ତ ବୃନ୍ଦଙ୍କୁ ନବାନ୍ନ ଭୋଗ ସ୍ଵହସ୍ତରେ ଅର୍ପଣ କରିଥିଲେ। ସମସ୍ତେ ନବାନ୍ନ ଭକ୍ଷଣ କଲା ପରେ ପୂଜ୍ୟ ସାଧୁଙ୍କୁ ଶରଣ ମାନ୍ୟ କରି ଆଶୀର୍ବାଦ କାମନା କରିଥିଲେ। ପରେ ସମସ୍ତ ଭକ୍ତବୃନ୍ଦ ପରସ୍ପର ମଧ୍ୟରେ ଶରଣ ମାନ୍ୟ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ନିଲଜି ଗ୍ରାମର ୬୦ରୁ ଉର୍ଦ୍ଧ୍ବ ପରିବାର ସତ୍ୟ ସନାତନ ମହିମା ଧର୍ମର ପଥିକ ହୋଇ ପରସ୍ପର ମଧ୍ୟରେ ଭାଇଚାରାର ଶକ୍ତ ଶୃଙ୍ଖଳ ସୃଷ୍ଟି କରି ପାରିଛନ୍ତି। ତେବେ ମହିମା ଆଶ୍ରମରେ ପାଳିତ ହୋଇଥିବା ନବାନ୍ନ ଉତ୍ସବକୁ ଗୋବିନ୍ଦ ତ୍ୟାଗିଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।





