ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତି ପ୍ରାୟ ୧୧ ଘଣ୍ଟା ସମୟରେ ନର୍ଲା ଥାନା ଅଧିନସ୍ଥ ବାଗପୁର ଗ୍ରାମ ପଞ୍ଚାୟତର ଜାମପଡା ନିକଟରେ ଏକ ବିଦେଶୀ ମଦ ବୋଝେଇ ପିକପ ଭ୍ୟାନ ନଂ ଓଡି ୧୭ ଏନ ୯୩୩୨କୁ ମାଡିବସି କାବୁ କରି ନର୍ଲା ଥାନାକୁ ନେଇ ଆସିଛି। ଖବର ନେବାରୁ ଜାଣିବାକୁ ମିଳିଛି ବେଆଇନ ମଦ ବୋଝେଇ ପିକପ ଭ୍ୟାନଟି ଭବାନୀପାଟଣାରୁ ଏମ. ରାମପୁର ବିଦେଶୀ ମଦ ଦୋକାନକୁ ଯାଉଥିଲା। ବାସ୍ତବରେ ଏହି ମଦ ଟ୍ରିପ ଭବାନୀପାଟଣାରୁ କେସିଙ୍ଗା ରାସ୍ତାରେ ଥିବା ୭ ନମ୍ବର ଏଫଏଲ ସପ ନାମରେ ବିଲ ରହିଥିବା ଜଣାପଡିଛି। ନର୍ଲା ପୋଲିସ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଆଇନ ମଦ ବୋଝେଇ ପିକପ ଭ୍ୟାନକୁ ଜବତ କରି ନର୍ଲା ଥାନାକୁ ନେଇ ଆସିଥିବା ଜଣାପଡିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ନର୍ଲା ଅଞ୍ଚଳରେ ଦିନକୁ ଦିନ ଚୋରୀ ରାହାଜାନୀ ଭଳି ଘଟଣା ବଢି ବଢି ଚାଲିଥିବା ବେଳେ ସମାଜରେ ମଦ୍ୟପଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ବିଶେଷ କରି ଯୁବ ପିଢୀ ମଦ କବଳରେ କବଳିତ ହୋଇ ବିପଥ ଗାମୀ ହେବା ସହ ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ଯୁବ ପିଢୀଙ୍କ ମଦ୍ୟପାନ ପ୍ରତି ଆକର୍ଷଣକୁ ଦୃଷ୍ଟିରେ ରଖି ଦେଶୀ ଓ ବିଦେଶୀ ଅବୈଧ ମଦ ବ୍ୟବସାୟ ମଧ୍ୟ ବଢିବାରେ ଲାଗିଛି। ଏବଂ ଏଥିପ୍ରତି ଅବକାରୀ ବିଭାଗ ର ସ୍ୱଚ୍ଛତା ଉପରେ ଅଙ୍ଗୁଳି ଉଠୁଛି।ଏବେ ଡବଲ ଇଞ୍ଜିନ ସରକାରରେ ଏହାକୁ କିଭଳି ଅଙ୍କୁଶ ଲାଗିବ ସେଥିପ୍ରତି କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେବାପାଇଁ ସାଧାରଣରେ ଅନୁରୋଧ କରାଯାଉଛି।






