କ୍ରାନ୍ତିକ୍ଷେତ୍ର/ ସୁବର୍ଣ୍ଣପୁର: ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦେବୀପ୍ରସାଦ ମହାପାତ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ପ୍ରକାଶ ଦଣ୍ଡସେନା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ରାମେଶ୍ୱର ଜେନା, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଅଧିକାରୀ ଏବଂ କାର୍ଯକ୍ରମ ପରିଚାଳକମାନେ ଉପସ୍ଥିତ ଥିଲେ। ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ। ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି। ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମଟିକୁ ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଂଯୋଜନା କରିଥିଲେ।





