ରେଳ ମଦଦ୍‌ ପୋର୍ଟାଲ ସହଯୋଗରେ ହଜିଥିବା ଲଗେଜ୍ ଉଦ୍ଧାର କରି ଯାତ୍ରୀଙ୍କୁ ଫେରାଇବା ବ୍ୟବସ୍ଥା କଲା ରେଳବାଇ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ରେଳ ମଦଦ୍ ପୋର୍ଟାଲ୍‌ରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଖଡ଼ଗପୁର ଡିଭିଜନ୍‌ର ବାଣିଜ୍ୟ ବିଭାଗ ଜଣେ ଯାତ୍ରୀଙ୍କ ହଜି ଯାଇଥିବା ଲଗେଜ୍ ଉଦ୍ଧାର କରିବା ସହ ତାହାକୁ ଚେନ୍ନାଇ ପଠାଇବାର ବ୍ୟବସ୍ଥା କରିଛି। ଯାତ୍ରୀଜଣକ ୧୨୮୪୧ ନମ୍ବର ହାୱଡ଼ା–ଚେନ୍ନାଇ ଏକ୍ସପ୍ରେସ୍‌ର ଏ୧ କୋଚ୍‌ରେ ହାୱଡ଼ାରୁ ଚେନ୍ନାଇ ଯାତ୍ରା କରୁଥିବା ବେଳେ ତାଙ୍କ ଲଗେଜ୍ ମିଳୁନଥିବା ନେଇ ରେଳ ମଦଦ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜଣା ପଡ଼ିଥିଲା ଯେ, ସେହି କୋଚ୍‌ରେ ପାଖ ସିଟ୍‌ରେ ଯାତ୍ରା କରୁଥିବା ଏକ ପରିବାର ଭୁଲବଶତଃ ଯାତ୍ରୀଙ୍କ ଲଗେଜ୍‌କୁ ନିଜ ଲଗେଜ୍ ବୋଲି ଭାବି ବାଲେଶ୍ଵର ରେଳ ଷ୍ଟେସନ୍‌ରେ ଓହ୍ଲାଇ ନେଇଥିଲେ। ଖଡ଼ଗପୁର ଡିଭିଜନ୍‌ର ବାଣିଜ୍ୟ ନିୟନ୍ତ୍ରଣ କକ୍ଷ ତୁରନ୍ତ ବାଲେଶ୍ଵରରେ ଓହ୍ଲାଇଥିବା ଯାତ୍ରୀମାନଙ୍କ ବିବରଣୀ ଓ ଯୋଗାଯୋଗ ନମ୍ବର ଠାବ କରି ବାଲେଶ୍ଵରର ବାଣିଜ୍ୟ ନିରୀକ୍ଷକଙ୍କୁ ଜଣାଇଥିଲା। ବାଣିଜ୍ୟ ନିରୀକ୍ଷକ ସମ୍ପୃକ୍ତ ଯାତ୍ରୀଙ୍କ ସହ ଯୋଗାଯୋଗ କରି ଲଗେଜ୍ ଭୁଲରେ ନେଇଯାଇଥିବା ବିଷୟରେ ଜଣାଇଥିଲେ। ଭୁଲ୍ ବୁଝିବା ପରେ ଯାତ୍ରୀ ମନୋଜ ଚନ୍ଦକ୍ ତୁରନ୍ତ ବାଲେଶ୍ଵର ରେଳ ଷ୍ଟେସନ୍‌କୁ ଆସି ଲଗେଜ୍‌ଟି ହସ୍ତାନ୍ତର କରିଥିଲେ। ପରେ ବାଣିଜ୍ୟ ନିରୀକ୍ଷକ ଅଭିଯୋଗକାରୀ ଯାତ୍ରୀଙ୍କ ସହ ଯୋଗାଯୋଗ କରି ତାଙ୍କ ସମ୍ମତିକ୍ରମେ ୧୨୬୬୩ ନମ୍ବର ପରବର୍ତ୍ତୀ ଉପଲବ୍ଧ ଟ୍ରେନ୍‌ର ପ୍ୟାଣ୍ଟ୍ରି କାର୍ ମ୍ୟାନେଜରଙ୍କ ମାଧ୍ୟମରେ ଉଦ୍ଧାର ହୋଇଥିବା ଲଗେଜ୍‌କୁ ଚେନ୍ନାଇ ପଠାଇବାର ବ୍ୟବସ୍ଥା କରିଥିଲେ। ଚେନ୍ନାଇରେ ପହଞ୍ଚିବା ପରେ ଲଗେଜ୍‌ଟି ଏହାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଖଡ଼ଗପୁର ବାଣିଜ୍ୟ ନିୟନ୍ତ୍ରଣ କକ୍ଷ ଏବଂ ବାଲେଶ୍ଵର ବାଣିଜ୍ୟ ନିରୀକ୍ଷକଙ୍କ ସମନ୍ୱିତ ପ୍ରୟାସ ଯୋଗୁଁ ଅତି ଶୀଘ୍ର ଲଗେଜ୍ ଉଦ୍ଧାର ହୋଇପାରିଥିଲା ଏବଂ ଯାତ୍ରୀଙ୍କୁ ଅଧିକ ଅସୁବିଧାରୁ ରକ୍ଷା କରାଯାଇଥିଲା। ଏହି ଘଟଣା ଖଡ଼ଗପୁର ଡିଭିଜନ୍‌ର ଯାତ୍ରୀକୈନ୍ଦ୍ରିକ ଆଭିମୁଖ୍ୟ ଓ ତ୍ୱରିତ ସେବାର ଉଦାହରଣ ହୋଇଥିବା ବେଳେ, ଯାତ୍ରୀଙ୍କ ଅଭିଯୋଗର ତ୍ୱରିତ ସମାଧାନରେ ରେଳ ମଦଦ୍ ବ୍ୟବସ୍ଥାର ପ୍ରଭାବଶୀଳତାକୁ ମଧ୍ୟ ପ୍ରମାଣିତ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.