ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଆଜି ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ମନ୍ଦିରର ୯ ଟି ଦାନହୁଣ୍ଡି ଖୋଲା ଯାଇଛି । ସକାଳ ୧୦ଟା ବେଳେ ଏହି ଦାନ ହୁଣ୍ଡି ସବୁ କଡ଼ା ସୁରକ୍ଷା ବଳୟରେ ୧୦୦ରୁ ଅଧିକ ସ୍ବେଛାସେବୀଙ୍କ ଦ୍ବାରା ଟଙ୍କା ସୁନା ଗଣତି ଆରମ୍ଭ ହୋଇଛି । ଆଜି ସକାଳ ୧୦ଟା ବେଳେ ରାୟଗଡା ତହସିଲ କର୍ମଚାରୀ ଓ ପୁଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିରର ୯ଟି ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା । ମନ୍ଦିର ପରିଚାଳନା କମିଟିର ସଭ୍ୟ ମାନେ ଉପସ୍ଥିତ ରହି ଗଣତି ସୁପରିଚାଳନା ପାଇଁ ବ୍ୟବସ୍ଥା କରିଛନ୍ତି | ମାଁ ଙ୍କ ମନ୍ଦିରକୁ ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ଅନ୍ୟାନ୍ୟ ରାଜ୍ୟ ଓ ବିଦେଶରେ ରହୁଥିବା ଭକ୍ତ ମାନେ ଆସି ଦାନ ହୁଣ୍ଡିରେ ଦାନ ଦେଇଥାନ୍ତି । ଆଜିର ଗଣତି ବେଳେ ମନ୍ଦିର ପରଚାଳନ କମିଟିର ସଭ୍ୟ ଦେବେନ୍ଦ୍ର ବେହେରା, ପି ବାସୁଦେବ, ରାଧାକୃଷ୍ନ ଦଳାଇ, କୋଷାଧକ୍ଷ ଏସ ଭେଙ୍କଟ ରାଓ, ମନ୍ଦିର ସୁପରିଟେଣ୍ଡେଣ୍ଟ ଜାନକୀବଲ୍ଲଭ ମାହାନ୍ତି, ଏଣ୍ଡୋମେଣ୍ଟ ଇନିସ୍ପେକଟର ପୁଷ୍ପିତା ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଗଣତି ଆରମ୍ଭ ହୋଇଛି । ଏଠାରେ ସୂଚନାଯୋଗ୍ୟଯେ ମାଁ ଙ୍କ ଦାନ ହୁଣ୍ଡିରୁ ଗତ ଜୁନ ମାସ ୨୯ ତାରିଖରେ ହୋଇଥିବା ଗଣିତରେ ନଗଦ ଏକ କୋଟି ୨୨ଲକ୍ଷ ୨୯ ହଜାର ୬୨୩ ଟଙ୍କା, ୩୨ଗ୍ରାମ ସୁନା, ୧୩୦୦ଗ୍ରାମ ରୂପା ଓ ବିଦେଶୀ ମୁଦ୍ରା ମିଳିଥିଲା I ଆଜିର ଗଣତି ଆଦାୟ ଦାନ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜମା ହେବ ବୋଲି ମନ୍ଦିର ପରିଚାଳନା କର୍ତୃପକ୍ଷ ସୂଚନା ଦେଇଛନ୍ତି I






