ତେଜୁଛି ବଂଶଧାରା ବଞ୍ଚାଅ ଆନ୍ଦୋଳନ

ଗୁଣପୁରରୁ ଆରମ୍ଭ ହେବ ଗଣଆନ୍ଦୋଳନ

ଖୁବ ଶୀଘ୍ର ଫାଇଲ୍ ହେବ ପି ଆଇ ଏଲ୍

 

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ବଂଶଧାରା କେବଳ ଏକ ନଦୀ ନୁହେଁ ଏହା ଆମର ଜୀବନଧାରା, ଆମ ମାଟିର ପରିଚୟ,ଆମ ଅସ୍ତିତ୍ୱ ଓ ଆମ ସଂସ୍କୃତି ର ଏକ ଅବିଚ୍ଛିନ୍ନ ଅଂଶ ଏଣୁ ବଂଶଧାରା ନଦୀ ଉପରେ ପ୍ରସ୍ତାବିତ ନେରେଡି ବହୁମୁଖୀ ପ୍ରକଳ୍ପ ଯୋଗୁଁ ଗୁଣୁପୁର – କାଶୀନଗର ଅଞ୍ଚଳର ମାଟି, ଜୀବନ, ଜୀବିକା ଓ ଅସ୍ମିତା ପ୍ରତି ଯେଉଁ ଆଶଙ୍କା ସୃଷ୍ଟି ହୋଇଛି | ତାହା ବିରୋଧରେ ପ୍ରତିବାଦ କରିବା ପାଇଁ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ଡାକରା ଦେଇଛି | ଗୁଣପୁରର ସମସ୍ତ ରାଜନୈତିକ ଦଳ, ସାମାଜିକ ଓ ସାଂସ୍କୃତିକ ସଂଗଠନ, କୃଷକ, ଶ୍ରମିକ, ଯୁବକ, ଛାତ୍ର, ମହିଳା, ବୁଦ୍ଧିଜୀବୀ, ବ୍ୟବସାୟୀ, ଆଇନଜୀବୀ ଏବଂ ସମସ୍ତ ସଚେତନ ନାଗରିକଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛି ମହାମଞ୍ଚ । ରାୟଗଡା ଓ ଗଜପତି ମାଟିର ଏକ ଇଞ୍ଚ ଜମି ମଧ୍ୟ ଅନ୍ୟାୟ ଭାବେ ଜଳମଗ୍ନ ହେବାକୁ ଦେବା ନାହିଁ ବୋଲି ଆାଗମି ସେପ୍ଟେମ୍ବର ୧୪ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନେରେଡି ପ୍ରକଳ୍ପ ବିରୋଧରେ ବିକ୍ଷୋଭ, ଗଣ ପ୍ରତିବାଦ ଓ ଅନଶନ ପାଇଁ କରାଯିବ ଏବଂ ସେପ୍ଟେମ୍ବର ୧୫ ତାରିଖ ଦିନ ପାରଳାଖେମୁଣ୍ଡି ଠାରେ ଅନଶନ କରିବାକୁ ଡାକରା ଦେଇଛି ମହାମଞ୍ଚ । ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଓ ଆଇନ ସମ୍ମତ ଉପାୟରେ ନିଜର ଅଧିକାରର ସୁରକ୍ଷା ପାଇଁ ଲଢ଼ିବା କୁ ମଞ୍ଚ ସୂଚନା ଦେଇଛି । ନ୍ୟାୟ ନମିଳିଲେ ମାସ ମାସ ଧରି ଗଣତାନ୍ତ୍ରିକ ଭାବେ ଲଢ଼ିବା ପାଇଁ ମଧ୍ୟ ଆହ୍ବାନ ଦେଇଛି ମଞ୍ଚ । ଏଠାରେ ସୂଚନା ଯୋଗ୍ୟଯେ ବଂଶଧାରାର ସୁରକ୍ଷା ପାଇଁ ଦଶନ୍ଧି ପୂର୍ବେ ମହାନ ଜନନେତା କମ୍ରେଡ୍ ନାଗଭୂଷଣ ପଟ୍ଟନାୟକ ସଂଗ୍ରାମ କରିଥିଲେ । ମଞ୍ଚ ଦାବି କରି ସୂଚନା ଦେଇଛି ବଂଶଧାରାର ଜଳକୁ କେବଳ ତଳ ମୁଣ୍ଡକୁ ବହିଯିବାକୁ ଦେଇ ନୁହେଁ ଉପରମୁଣ୍ଡରେ ଯଥା ସାଧ୍ୟ ଡ୍ୟାମ/ରିଜର୍ଭର ନିର୍ମାଣ କରି ଜଳ ସଂରକ୍ଷଣ ଓ ନିଅମିତ ବ୍ୟବହାର କରାଯାଉ ଯାହା ଦ୍ବାରା ଓଡ଼ିଶାର ନ୍ୟାୟସଙ୍ଗତ ଜଳ ଅଧିକାରର ସୁ ବ୍ୟବହାର ହୋଇପାରିବ ଏବଂ ଗୁଡାରିରୁ ନାଇରା, ପଦ୍ମପୁର, ଗୁଣୁପୁର ଓ କାଶୀନଗର ପର୍ଯ୍ୟନ୍ତ କୃଷିର ବିକାଶ ହୋଇପାରିବ । ମଞ୍ଚ ୭ଦଫା ଦାବି, ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲର ରାୟ ଓ ପ୍ରଚଳିତ ଆଇନ ଅନୁଯାୟୀ ଓଡ଼ିଶାର ନ୍ୟାୟସଙ୍ଗତ ଜଳ ଅଧିକାର ସୁନିଶ୍ଚିତ,ଗୁଡାରି ଅଞ୍ଚଳରେ ଡ୍ୟାମ/ରିଜର୍ଭର ନିର୍ମାଣ, ଓଡ଼ିଶାର ଜଳ ଅଧିକାରର ସୁ ବ୍ୟବହାର,କୃଷି ବିକାଶ ଓ ବନ୍ୟା ନିୟନ୍ତ୍ରଣ ଲକ୍ଷ୍ୟରେ ଗୁଡାରି ଅଞ୍ଚଳରେ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ସରକାର ସ୍ପଷ୍ଟ ଓ ଲିଖିତ ସମୟବଦ୍ଧ କାର୍ଯ୍ୟକ୍ରମ ଘୋଷଣା, ୧୦୬ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ସ୍ଥଗିତ ରଖିବା, ଓଡ଼ିଶାର ଜଳ ଅଧିକାର, ପ୍ରଭାବିତ ଲୋକଙ୍କ ଅଧିକାର ଓ ସମସ୍ତ ଆଇନଗତ ପ୍ରସଙ୍ଗରେ ସ୍ପଷ୍ଟ ଲିଖିତ ଆଶ୍ୱାସନ ନ ମିଳିବା ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଓ ସମ୍ପର୍କିତ ପରବର୍ତ୍ତୀ ପ୍ରକ୍ରିୟା ସ୍ଥଗିତ ରଖିବା, ନେରେଡି ପ୍ରକଳ୍ପର ସମସ୍ତ ତଥ୍ୟ ସାର୍ବଜନୀନ କରିବା, ପ୍ରକଳ୍ପ ର ଡିଜାଇନ୍, ଜଳଧାରଣ କ୍ଷମତା, ଜଳ ବଣ୍ଟନ, ଜମି ଅଧିଗ୍ରହଣ, ପରିବେଷିୟ ପ୍ରଭାବ ଓ ଓଡ଼ିଶା ଉପରେ ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କିତ ସମସ୍ତ ତଥ୍ୟ ସ୍ୱଚ୍ଛ ଭାବରେ ସାର୍ବଜନୀନ କରିବା, ଓଡ଼ିଶା– ଆନ୍ଧ୍ର ଯୁଗ୍ମ ଯାଞ୍ଚ କମିଟି ଗଠନ, ପ୍ରକଳ୍ପର ପ୍ରାଯୁକ୍ତିକ, ଭୌଗୋଳିକ, ଜଳବିଜ୍ଞାନ ଓ ପରିବେଷିୟ ପ୍ରଭାବର ନିରପେକ୍ଷ ଯାଞ୍ଚ ପାଇଁ ଏକ ଯୁଗ୍ମ ଯାଞ୍ଚ କମିଟି ଗଠନ କରାଯାଇ ଏହାର ରିପୋର୍ଟ ସାର୍ବଜନୀନ କରିବା, ପ୍ରଭାବିତ ପରିବାରଙ୍କ ସମସ୍ତ ଅଧିକାର ସୁରକ୍ଷିତ ରଖିବା ଓ ବଂଶଧାରା ଏକ ଆନ୍ତଃରାଜ୍ୟ ନଦୀ ହୋଇଥିବାରୁ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରି ଓଡ଼ିଶାର ଜଳ ଅଧିକାର ଓ ଆଇନଗତ ସ୍ୱାର୍ଥ ସୁରକ୍ଷିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମଞ୍ଚ ଦାବି କରିଛି | ଡିଭିଏମ ର ସଭାପତି ଗୌର ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇ କହିଛନ୍ତି ମହାମଞ୍ଚ ସଦାବେଳେ ଆଞ୍ଚଳିକ ବୈଶମ୍ୟକୁ ବିରୋଧ କରିବା ସହ ବିକାଶର ବୈକେନ୍ଦ୍ରିକରଣ ପାଇଁ ଆନ୍ଦୋଳନ ଜାରି ରଖିଛି । ଏଣୁ ଆଗାମି ଦିନ ବଂଶଧାରା ନଦୀ ସୁରକ୍ଷା ପାଇଁ ପି ଆଇ ଏଲ ଫାଇଲ କରାଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.