ଦାଦନ ଶ୍ରମିକ ଚାଲାଣର ମୁଖ୍ୟ ମାଧ୍ୟମ ପାଲଟିଛି ଟୁରିଷ୍ଟ ବସ୍

ନିରବ ଦ୍ରଷ୍ଟା ପ୍ରଶାସନ, ଗଭୀର ନିଦରେ ଶ୍ରମ ବିଭାଗ ! 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ଟୁରିଷ୍ଟ ବସ୍‌ଗୁଡ଼ିକ ଏବେ ବେଆଇନ୍‌ ଭାବେ ଦାଦନ ଶ୍ରମିକ ଚାଲାଣର ମୁଖ୍ୟ ମାଧ୍ୟମ ପାଲଟିଛି। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ୍‌ୱେ ଦେଇ ପ୍ରତିଦିନ ସାଧାରଣ ଯାତ୍ରୀବାହୀ ବସ୍‌ ଭଳି ଟିକେଟ୍‌ କାଟି ଶହ ଶହ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ନିଆଯାଉଛି। ଏସବୁ ଜାଣି ମଧ୍ୟ ଜିଲ୍ଲା ଶ୍ରମ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ, ଏହି ରୁଟ୍‌ରେ ମାତ୍ର ଗୋଟିଏ କି ଦୁଇଟି ବସ୍‌କୁ ରାଜ୍ୟ ବାହାରକୁ ଯିବା ପାଇଁ ଅନୁମତି ଥିବାବେଳେ ତା’ହା ମଧ୍ୟ କୌଣସି କାରଣରୁ ବର୍ତ୍ତମାନ ବନ୍ଦ ହୋଇଛି। ଏହାର ଫାଇଦା ନେଇ ଏହି ରୁଟରେ ପ୍ରତିଦିନ ବେଆଇନ୍‌ ଭାବେ ୧୫ରୁ ୨୦ଟି ଟୁରିଷ୍ଟ ବସ୍‌ ଚଳାଚଳ କରୁଛି। ଧର୍ମଗଡ଼, ଗୋତମୁଣ୍ଡା, ବେହେରା, ଆମପାଣି, ଦେଭୋଗ ଓ ସିନାପାଲି ଅଞ୍ଚଳରୁ କାମ ଧାନ୍ଦା ଅନ୍ୱେଷଣରେ ବାହାରୁଥିବା ଶ୍ରମିକଙ୍କୁ ଲଦି ଏହି ବସ୍‌ଗୁଡ଼ିକ ଚେନ୍ନାଇ, ବିଶାଖାପାଟଣା, ହାଇଦ୍ରାବାଦ, ତେଲେଙ୍ଗାନା ଓ ଜଗଦଲପୁର ଭଳି ସହରକୁ ଯାଉଛି। ସାଧାରଣ ଯାତ୍ରୀବାହୀ ବସ୍‌ର ଅଭାବର ଫାଇଦା ନେଇ ବସ୍‌ ମାଲିକ ଓ ଦଲାଲମାନେ ଅଧିକ ମୁନାଫା କମାଇବା ପାଇଁ କ୍ଷମତାଠାରୁ ଅଧିକ ଯାତ୍ରୀ ନେଉଛନ୍ତି। ଗାଡ଼ି ଭିତରେ ଠେଲାପେଲା ହୋଇ ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ଶ୍ରମିକମାନେ ଯାତ୍ରା କରୁଛନ୍ତି। ଏହାକୁ ଯାତ୍ରୀ କିମ୍ବା ଶ୍ରମିକମାନେ ପ୍ରତିବାଦ କଲେ ବସ୍‌ କଣ୍ଡକ୍ଟର ଓ କର୍ମଚାରୀମାନେ ଗାଳିଗୁଲଜ ଓ ଦୁର୍ବ୍ୟବହାର କରୁଥିବା ନେଇ ବହୁବାର ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ଚର୍ଚ୍ଚା ହେଉଛି ଯେ, କେତେକ ଦାଦନ ଦଲାଲ୍‌ ଏହି ଟୁରିଷ୍ଟ ବସ୍‌ଗୁଡ଼ିକୁ ଲିଜ୍‌ରେ ନେଇ ଚଳାଉଛନ୍ତି। ଏପରିକି କିଛି ସରକାରୀ କର୍ମଚାରୀ ଡ୍ୟୁଟି ସମୟରେ ମୁଖ୍ୟ ରାସ୍ତାରେ ଠିଆ ହୋଇ ଦଲାଲ୍‌ ସାଜି ଟିକେଟ୍‌ କାଟୁଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଏହି ବସ୍‌ଗୁଡ଼ିକ ଧର୍ମଗଡ଼, ଆମପାଣି, ମୈଦଳପୁର, ପାପଡ଼ାହାଣ୍ଡି, ନବରଙ୍ଗପୁର, ଜୟପୁର, ମାଲକାନଗିରି ଓ ମୋଟୁ ଭଳି ଦଶରୁ ଊର୍ଦ୍ଧ୍ୱ ଥାନା ଅତିକ୍ରମ କରି ପ୍ରତିଦିନ ଯା’ଆସ କରୁଛି। ତଥାପି ପୋଲିସ କିମ୍ବା ପରିବହନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ବସ୍‌ ମାଲିକମାନଙ୍କଠାରୁ ପ୍ରଶାସନିକ ସ୍ତରରେ ମାସିକ ମୋଟା ଅଙ୍କର ଚାନ୍ଦା ଆଦାୟ ହେଉଥିବାରୁ ସବୁ ଜାଣିଶୁଣି ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ସାଧାରଣରେ ଚର୍ଚ୍ଚା ଆଲୋଚନା ଯୋରଦାର ହେଉଛି। ବହୁ ଅଭିଯୋଗ ହେବାପରେ କାଁ ଭାଁ କିଛି ବସ୍ କୁ ଫାଇନ କାଟି ପରିବହନ ବିଭାଗ ନିରବ ସାଜିଥିବାବେଳେ ପୋଲିସ ପ୍ରଶାସନ ଚୁପ୍ ବସିଛି। ଏଣେ ସବୁ ଜାଣିଶୁଣି ଶ୍ରମ ବିଭାଗ ଆଖିବୁଜି ଶୋଇ ପଡିଥିବାରୁ ଶହ ଶହ ଶ୍ରମିକ ବିନା ପଞ୍ଜିକରଣରେ ଦଲାଲଙ୍କ ପ୍ରଲୋଭନରେ ପଡ଼ି ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ତୁରନ୍ତ ଏହି ବେଆଇନ୍‌ ଟୁରିଷ୍ଟ ବସ୍‌ ଚଳାଚଳ ଓ ଶ୍ରମିକ ଚାଲାଣ ଉପରେ ରାଜ୍ୟ ପରିବହନ ବିଭାଗ ଓ ଶ୍ରମ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.