ଉତ୍କଳ ଆଲୁମିନାରେ ସ୍ଥାୟୀ ନିଯୁକ୍ତିକୁ ନେଇ ପ୍ରଥମ ତ୍ରିପାକ୍ଷିକ ବୈଠକ

ରାୟଗଡ,୧୨/୯ : ଶିଳ୍ପାଞ୍ଚଳ ରାୟଗଡ ଜିଲ୍ଳାରେ ଗଢି ଉଠିଛି ତିନୋଟି ବଡ ବଡ ଶିଳ୍ପାନୁଷ୍ଠାନ ସହ ଅନେକ କ୍ଷୁଦ୍ର ଉଦ୍ୟୋଗ ଗୁଡିକ । ତେବେ ବେକାରୀ ସମସ୍ୟାରେ ଉବୁଟୁବୁ ରାୟଗଡ ଜିଲ୍ଳାର କାଶିପୁର ବ୍ଳକରେ ଥିବ ଆଦିତ୍ୟ ବିରଲା ଗ୍ରୁପର ଉତ୍କଳ ଆଲୁମିନା କମ୍ପାନୀ, ଥେରୁବାଲି ସ୍ଥିତ ଇମ୍ଫା, ଜେକେପୁରର ଜେକେ କାଗଜ କଳ ଓ ଲାଂଜିଗଡ ସ୍ଥିତ ବେଦାନ୍ତ ଆଦି କମ୍ପାନୀରେ ସ୍ଥାନୀୟ ଅଂଚଳର ଯୁବକଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାରେ ପଛଘୁଂଚା ଦିଆଯାଉଥିବାରୁ ଏହି ସମସ୍ୟାର ସମାଧାନ ଦିଗରେ ଜୋରଦାର ଆନ୍ଦୋଳନ କରାଯାଇ ଦାବି ଉପସ୍ଥାପନା କରାଯାଉଛି । ଏଭଳି ଏକ ସମସ୍ୟା ନେଇ ଉତ୍କଳ ଆଲୁମିନା କମ୍ପାନୀରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବା ବେଳେ ଏହାର ସ୍ଥାୟୀ ସମାଧାନ ନେଇ ବୁଧବାର ଦିନ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟି ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଶାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଉତ୍କଳ ଆଲୁମିନା କମ୍ପାନୀର ମାନବ ସମ୍ବଳ ଓ ଲୋକ ସଂପର୍କ ବିଭାଗର ଉପସଭାପତି ଟି.ଏମ.ପ୍ରକାଶ, ପ୍ରଶାସନିକ ବିଭାଗର ପ୍ରବନ୍ଧକ ସୁକାନ୍ତ ମହାପାତ୍ର, ମାନବ ସମ୍ବଳ ବିଭାଗର ପ୍ରବନ୍ଧକ ବ୍ରଜବିଦ୍ଧୁ ଛଟୋଇ ଓ ସିଏସଆର ବିଭାଗର ଡିଜିଏମ ଶିବଶଙ୍କର ମହାପାତ୍ର ଉପସ୍ଥିତ ରହିଥିବା ବେଳେ ଜିଲ୍ଳା ପ୍ରଶାସନ ତରଫରୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ସୁନୀଲ ଖରା, ଏସଡିପିଓ ତପନ ନାରାୟଣ ରଥ,ଦୋରାଗୁଡା ଥାନାଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା ସହ ଆନ୍ଦୋଳନକାରୀଙ୍କ ମଧ୍ୟରୁ ୧୪ଜଣ ଉପସ୍ଥିତ ରହି ଆଲୋଚନା କରିଥିଲେ । ଦୀର୍ଘ ବର୍ଷ ଧରି ଉତ୍କଳ ଆଲୁମିନା କମ୍ପାନୀ ଅଧୀନର ପାରିପାଶ୍ୱିର୍କରେ ଥିବା ୨୪ଖଣ୍ଡ ଗ୍ର୍ରାମର ଜମିହରା, ବିସ୍ଥାପିତ, କ୍ଷତିଗ୍ରସ୍ତ ଓ ପ୍ରଭାବିତ ପରିବାରର ୧୯୧ଜଣ ଯୁବକଯୁବତୀଙ୍କୁ ଆଇଟିଆଇ ତାଲିମ ପ୍ରଦାନ ପରେ ସଂପ୍ରସାରିତ ଉତ୍କଳ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରି ସେମାନଙ୍କୁ ନିୟମିତ କର୍ମଚାରୀଭାବେ ମାନ୍ୟତା ଦେବାର ପ୍ରତିଶୃତି ଦେଇଥିବା ବେଳେ ତାଲିମ ଶେଷ ହେବା ପରେ କମ୍ପାନୀ ଅଧୀନରେ ଥିବା ସବ-କମ୍ପାନୀଗୁଡିକରେ ଟ୍ରେଡ୍ ବେସିସ୍ ରେ ନିୟମିତ କର୍ମଚାରୀ ଭାବେ ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ ତାଲିମ ପ୍ରାପ୍ତ ସହ ବିସ୍ଥାପିତ, କ୍ଷତିଗ୍ରସ୍ତ ଓ ପ୍ରଭାବିତ ପରିବାର ହୋଇଥିବାରୁ କର୍ମଚାରୀ ଭାବେ କାର୍ଯ୍ୟରତ ଥିବାରୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ଦୀର୍ଘ ଦିନ ଧରି ଉତ୍କଳ ଆଲୁମିନା କମ୍ପାନୀରେ ଆନ୍ଦୋଳନ କରି ଆସୁଥିଲେ । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ତରଫରୁ ଏହାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ସେପ୍ଟେମ୍ବର ୧୧ତାରିଖରେ ପ୍ରଥମ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଶତାଧିକ ଆନ୍ଦୋଳନକାରୀମାନେ ବୁଧବାର ଦିନ ଉକ୍ତ କାର୍ଯ୍ୟାଳୟକୁ ଆସିଥିଲେ । ଯାହାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଏହି ବୈଠକରେ ତାଲିମପ୍ରାପ୍ତ ଯୁବକଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ କୈାଣସି ପ୍ରତିବନ୍ଧକ ରଖାଯାଇନାହିଁ କେବଳ କମ୍ପାନୀରେ ପଦ ଖାଲି ହେଲେ ପର୍ଯ୍ୟାୟ କ୍ରମେ ବରିଷ୍ଠତା,ବଅନୁଭବୀ କର୍ମଚାରୀମାନଙ୍କୁ ପ୍ରାଥମିକତାରେ ନିଯୁକି ପ୍ରଦାନ କରାଯିବ ବୋଲି ଉତ୍କଳ ଆଲୁମିନା କମ୍ପାନୀ କର୍ତୁପକ୍ଷ ପ୍ରକାଶ କରିଥିବା ବେଳେ ଆନ୍ଦୋଳନକାରୀ ମାନଙ୍କ ତରଫରୁ କେଉଁ ପ୍ରକ୍ରିୟା କ୍ରମେ ନିଯୁକ୍ତି ପ୍ରଦାନ କରାଯିବ ସେ ନେଇ କୈାଣସି ସ୍ପଷ୍ଟ ନିଷ୍ପତି ହୋଇ ପାରିନଥିବାରୁ ଆସନ୍ତା ଅକ୍ଟୋବର ୨୨ତାରିଖରେ ପୁଣି ଥରେ ଦ୍ୱିତୀୟ ବୈଠକ ହେବ ବୋଲି ସର୍ବସମ୍ମତି କ୍ରମେ ସହମତି ପ୍ରକାଶ ପାଇଥିଲା । ପ୍ରକାଶ ଥାଉ କି,ଉତ୍କଳ ଆଲୁମିନା କମ୍ପାନୀରେ ୪୦୦୦ରୁ ଉର୍ଦ୍ଧ କର୍ମଚାରୀମାନେ କାର୍ଯ୍ୟରତ ଥିବା ବେଳେ କାଶିପୁର ବ୍ଳକର ପାଖାପାଖି ୨୩୦୦ଜଣ କର୍ମଚାରୀ କମ୍ପାନୀରେ କାର୍ଯ୍ୟ କରୁଥିବା ନେଇ କମ୍ପାନୀ କର୍ତୁପକ୍ଷ ସୂଚନା ଦେଇଛନ୍ତି । ଅପରପକ୍ଷେ କମ୍ପାନୀର କୋର୍ପୋରେଟ୍ ପାରିପାଶ୍ୱିକ ସାମାଜିକ ଦାୟିତ୍ୱବୋଧ ନିୟମାନୁସାରେ ଅଂଚଳର ବେକାର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ତାଲିମ ଦେଇ ସେମାନଙ୍କୁ ରୋଜଗାରକ୍ଷମ କରାଯାଉଥିବା ବେଳେ ବିଭିନ୍ନ ମୈାଳିକ ସୁବିଧାଗୁଡିକ ଯୋଗାଇ ଦିଆଯାଉଥିବା ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News  & Views update 👇
https://bit.ly/OBgroup3
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.