ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ସାମିଲ ହେଲା ରାଧାମୋହନ ସ୍କୁଲ

ବାଲେଶ୍ୱର ସଦରର ୬୩୦ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ, ଭିତ୍ତିଭୂମିର ହେବ ଉନ୍ନତିକରଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ରାଜ୍ୟରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଶିକ୍ଷା ଭିତ୍ତିଭୂମିର ସୁଦୃଢ଼ୀକରଣ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ତୃତୀୟ ପର୍ଯ୍ୟାୟରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଓଲନ୍ଦା ସାରଗାଁ ଗ୍ରାମ ପଞ୍ଚାୟତସ୍ଥିତ ରାଧାମୋହନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମିଲ ହୋଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬୩୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଉପଲକ୍ଷେ ରାଧାମୋହନ ବିଦ୍ୟାଳୟ ପରିସରରେ ଆୟୋଜିତ ସ୍ଥାନୀୟ କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଯୋଜନା ଅଧୀନରେ ବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମିର ଉନ୍ନତିକରଣ ସହ ଆଧୁନିକ ଶିକ୍ଷା ଉପଯୋଗୀ ପରିବେଶ, ଉନ୍ନତ ସୁବିଧାସୁଯୋଗ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନୂତନ ଅବସର ସୃଷ୍ଟି ହେବ। ଏହାଦ୍ୱାରା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳରେ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପାଇବାର ସୁଯୋଗ ଲାଭ କରିବେ।

ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ କହିଥିଲେ ଯେ, ଶିକ୍ଷା ହେଉଛି ଏକ ସମୃଦ୍ଧ ସମାଜ ଓ ବିକଶିତ ରାଜ୍ୟ ଗଠନର ମୂଳଦୁଆ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ମାନ ବୃଦ୍ଧି ଏବଂ ଗ୍ରାମାଞ୍ଚଳର ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ନିରନ୍ତର ପ୍ରୟାସ କରୁଛନ୍ତି। ରାଧାମୋହନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହି ଯୋଜନାରେ ସାମିଲ ହେବା ବାଲେଶ୍ୱର ସଦର ଅଞ୍ଚଳର ଶିକ୍ଷା ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଏହା ଆଗାମୀ ପିଢ଼ିର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହେବ।

ବିଧାୟକ ଏହି ଜନହିତକର ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ବାଲେଶ୍ୱର ସଦର ଅଞ୍ଚଳରେ ଶିକ୍ଷାର ବିକାଶ ଓ ଉନ୍ନତ ଶୈକ୍ଷିକ ପରିବେଶ ସୃଷ୍ଟି ଦିଗରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସରପଞ୍ଚ ଆରତୀ ଦାସ, ରବିନାରାୟଣ ପ୍ରଧାନ, ବୃନ୍ଦାବତୀ ପ୍ରଧାନ, ଜିତେନ ଜେନା, ସମିତିସଭ୍ୟା ରଶ୍ମିତା ନାୟକ, ଶିକ୍ଷା ବିଭାଗର ଅଧିକାରୀ ଏବଂ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.