‘ବାଜ୍ୟାପ୍ତି ସ୍ଥିତିବାନ’ ଜମିର ବିକ୍ରୟ କବଲା ପଞ୍ଜିକରଣ ପାଇଁ ମାଗିଥିଲେ ୧୦ ହଜାର; ୭ ହଜାର ଟଙ୍କା ଲାଞ୍ଚ ଜବତ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍-ରେଜିଷ୍ଟ୍ରାର ତଥା ଓଡ଼ିଶା ରାଜସ୍ୱ ସେବା (ଓଆର୍ଏସ୍) ଅଧିକାରୀ ମନୀଷା ମିଶ୍ରଙ୍କୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଏକ ଜମିର ବିକ୍ରୟ କବଲା ପଞ୍ଜୀକରଣ କରିବା ପାଇଁ ସେ ଜଣେ ଜମି କ୍ରେତାଙ୍କ ଠାରୁ ଏହି ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଅଭିଯୋଗକାରୀ ୦.୧୪ ଏକର ପରିମିତ ଏକ ଜମିର ବିକ୍ରୟ କବଲା ପଞ୍ଜୀକରଣ କରିବାକୁ ଚାହୁଁଥିଲେ। ଉକ୍ତ ଜମିର କିସମ ରେକର୍ଡରେ ‘ବାଜ୍ୟାପ୍ତି ସ୍ଥିତିବାନ’ ବୋଲି ଉଲ୍ଲେଖ ରହିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରାଯାଇ ଏହାର ପଞ୍ଜୀକରଣ କରାଯାଇପାରିବ। ବିଭାଗୀୟ ନିର୍ଦ୍ଦେଶାବଳୀର ଉଦାହରଣ ଦେଇ ଜମି କ୍ରେତା ଏକାଧିକ ଥର ଅନୁରୋଧ କରିଥିଲେ ମଧ୍ୟ ସବ୍-ରେଜିଷ୍ଟ୍ରାର ଏହାକୁ ଗୁରୁତ୍ୱ ଦେଇ ନଥିଲେ। ବରଂ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ପରିମାଣ ୭ ହଜାର ଟଙ୍କାକୁ କମାଇ ଦିଆଯାଇଥିଲା। ଲାଞ୍ଚ ଦାବି ଓ ହଇରାଣ ହରକତରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଜାଲ ବିଛାଇ ଶୁକ୍ରବାର ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମନୀଷା ମିଶ୍ରଙ୍କୁ ଧରିଥିଲା। ତାଙ୍କ ନିକଟରୁ ଲାଞ୍ଚର ସମ୍ପୂର୍ଣ୍ଣ ୭ ହଜାର ଟଙ୍କା ଜବତ କରାଯାଇଛି।ଏହି ଟ୍ରାପ୍ ଅଭିଯାନ ପରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ସମ୍ପର୍କିତ ଅନୁସନ୍ଧାନ ଦୃଷ୍ଟିରୁ ତାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି। ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ ୨୬/୨୦୨୬ରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ମନୀଷା ମିଶ୍ରଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ମନୀଷା ମିଶ୍ର ୨୦୨୪ ମସିହାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସେ ପରୀକ୍ଷାମୂଳକ ନିଯୁକ୍ତି ଅବଧିରେ ବାଲିଆପାଳରେ ସବ୍-ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିଲେ।





