ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡ଼ୁଗାଁରୁ ସୁପାଡ଼ ଯିବା ରାସ୍ତା ନିକଟସ୍ଥ ଏକ ଧାନ ବିଲରୁ ମୁଣ୍ଡବିହୀନ ଅଜଣା ମୃତଦେହ ଠାବ ହୋଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି। ମୃତଦେହଟି ମୁଣ୍ଡବିହୀନ ଥିବାରୁ ହତ୍ୟା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଆଜି ଅପରାହ୍ନରେ ଲଡ଼ୁଗାଁ ବନ୍ଧ ପଡା ଜଣେ ଚାଷୀ ସୁପାଡ଼ ଯିବା ରାସ୍ତା ନିକଟରେ ଥିବା ତାଙ୍କ ନିଜ ଚାଷ ଜମିକୁ ଯାଇଥିବା ସମୟରେ ବିଲ ମଧ୍ୟରେ ଏକ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ଖବର ପ୍ରଚାର ହେବା ପରେ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।ସନ୍ଧ୍ୟା ହୋଇଯାଇଥିବାରୁ ଆଜି ମୃତଦେହଉଦ୍ଧାରକରାଯାଇପାରିନାହିଁ।ଆସନ୍ତାକାଲି ମୃତଦେହ ଉଦ୍ଧାର ସହ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ତେବେ ମୃତଦେହଟି କାହାର ଏବଂ କେଉଁ ପରିସ୍ଥିତିରେ ଏଠାକୁ ଆସିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୋଲିସର ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ।





