ନଭେମ୍ବର ୨୨ରୁ ବୁଢ଼ୀପଦରରେ ଚାଲିବ ଗୋସିଂହ ଦୈତ୍ୟଙ୍କ ରାଜୁତି 

୩୪ତମ କୁମାରସ୍ବାମୀ ମହୋତ୍ସବ ପାଳନ ନେଇ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବ୍ୟାପକ ପ୍ରସ୍ତୁତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି କଳା ସଂସ୍କୃତି ସାହିତ୍ୟ ଐତିହ୍ୟ ପରମ୍ପରାର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ-୨୦୨୬ ଆସନ୍ତା ୨୨ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଚାରି ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ ଗୋସିଂହ ଦୈତ୍ୟ ଦରବାର। ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପରିସରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।  ଏହାକୁ ଦୃଷ୍ଟିରେ ରଖି ଆଜି ଅନୁଷ୍ଠାନ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡାମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଦେବଗିରି-ବୁଢ଼ୀପଦଦରେ ୪ ଦିନ ଧରି ଚାଲିବ ଗୋସିଂହ ଦୈତ୍ୟଙ୍କ ରାଜୁତି। ଦ୍ୱାପର ଯୁଗରେ ଜେନାବଳି ନଗ୍ରରେ ରାଜୁତି କରୁଥିବା ମହାରାଜ ଗୋସିଂହ ଦୈତ୍ୟଙ୍କୁ ଜଣେ ପ୍ରଜାପାଳକ ଶାସକ ଭାବେ ଦର୍ଶାଯାଇ ନାଟକ ଅଭିନିତ ହେବ। ଏଥିରେ ରାଜ୍ୟର ଅନେକ ଲୁପ୍ତପ୍ରାୟ କଳା ସଂସ୍କୃତି ପ୍ରଦର୍ଶିତ ହେବ। ଚଳିତବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଦେବଗିରି ସମ୍ମାନ’ ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ତଥା ଗବେଷକ ଉମାଶଙ୍କର କରଙ୍କୁ ଦିଆଯିବ। ସେହିପରି ସାହିତ୍ୟିକ ଡ. ଗୋପୀନାଥ ବାଗଙ୍କୁ ଦେବଗିରି ସାହିତ୍ୟ ସମ୍ମାନ-୨୦୨୫ ଓ ସାହିତ୍ୟିକ ଡ. ଚନ୍ଦ୍ରଶେଖର ହୋତାଙ୍କୁ ଦେବଗିରି ସାହିତ୍ୟ ସମ୍ମାନ-୨୦୨୬ ପ୍ରଦାନ କରାଯିବ। ଗଙ୍ଗାନାରାୟଣ ଦାଶ ୨୦୨୫ ବର୍ଷ ପାଇଁ ଏବଂ ରବୀନ୍ଦ୍ରନାଥ ଦୋରା ୨୦୨୬ ବର୍ଷ ପାଇଁ ଗୁରୁ ସମ୍ମାନ ପାଇବେ। ଅଶୋକ ପଟ୍ଟନାୟକଙ୍କୁ ୨୦୨୫ ବର୍ଷ ପାଇଁ ଏବଂ ରାଜୀବ ଅଗ୍ରଓ୍ବାଲଙ୍କୁ ୨୦୨୬ ବର୍ଷ ପାଇଁ ସମାଜସେବା ସମ୍ମାନ ପ୍ରଦାନ କରାଯିବ। ସୁମିତ କୁମାର ଅଗ୍ରୱାଲଙ୍କୁ ଉଦ୍ୟୋଗୀ ସମ୍ମାନ, ସତ୍ୟନାରାୟଣ ମୁଣ୍ଡଛିନାଙ୍କୁ ଶିକ୍ଷା ସମ୍ମାନ, ସୁନ୍ଦରଲାଲ ନାଏକଙ୍କୁ ଦେଶସେବା ସମ୍ମାନ, ଦେବଦତ୍ତ ବେହେରାଙ୍କୁ ପ୍ରତିଭା ସମ୍ମାନ, ରେଣୁକା ବିଶିଙ୍କୁ ଲୋକନୃତ୍ୟ ସମ୍ମାନ, ଐଶ୍ୱର୍ଯ୍ୟା ପ୍ରଧାନଙ୍କୁ ସମ୍ଭାବନା ସମ୍ମାନ, ତପିମଣି ଜାନୀଙ୍କୁ ପ୍ରଜ୍ଞା ସମ୍ମାନ, ଡା. ଦୀନବନ୍ଧୁ ସାହୁଙ୍କୁ କଳା ସମ୍ମାନ ଓ ସୌରଭ ମହାପାତ୍ରଙ୍କୁ ଦେବଗିରି ଯୁବ ସମ୍ମାନ ଦିଆଯିବ। ଅନ୍ୟାନ୍ୟ ସମ୍ମାନ ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.