ପ୍ରଥମ ଦିନରେ ଖେଳିଲେ ୪ ଦଳ, ମାଁ ଭୌରବୀ ଏକାଦଶ ଓ ସାଇରନ ଏକାଦଶ ବିଜୟୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଜାରପଡ଼ା ଖେଳପଡ଼ିଆଠାରେ ବେନଗାଁ ଟେନିସ କ୍ରିକେଟ ଲିଗ୍-୨୦୨୬ର ସିଜନ-୩ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ଚାରିଟି ଦଳ ଅଂଶଗ୍ରହଣ କରିଥିବା ବେଳେ ମାଁ ଭୌରବୀ ଏକାଦଶ ଓ ସାଇରନ ଏକାଦଶ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ ରାବଣ ଏକାଦଶ ବନାମ ମାଁ ଭୌରବୀ ଏକାଦଶ ମଧ୍ୟରେ ମୁକାବିଲା ହୋଇଥିଲା। ରାବଣ ଏକାଦଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୧୦ ଉଇକେଟ ହରାଇ ୯୨ ରନ୍ ସଂଗ୍ରହ କରିଥିଲା। ଜବାବରେ ମାଁ ଭୌରବୀ ଏକାଦଶ ୯ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।
ସେହିପରି ଦ୍ୱିତୀୟ ମ୍ୟାଚ୍ ରିୟାଂଶ ଏକାଦଶ ବନାମ ସାଇରନ ଏକାଦଶ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ରିୟାଂଶ ଏକାଦଶ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୯ ଉଇକେଟ ହରାଇ ୯୩ ରନ୍ କରିଥିଲା। ଜବାବରେ ସାଇରନ ଏକାଦଶ ୮ ଓଭର ୧ ବଲ୍ରେ ୬ ଉଇକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ଉଭୟ ବିଜୟୀ ଦଳ ମାଁ ଭୌରବୀ ଏକାଦଶ ଓ ସାଇରନ ଏକାଦଶ ୨ଟି ଲେଖାଏଁ ପଏଣ୍ଟ ହାସଲ କରି ସମାନ ସ୍ଥିତିରେ ରହିଛନ୍ତି।ପ୍ରଥମ ମ୍ୟାଚ୍ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବେନଗାଁ ସରପଞ୍ଚ ପୁରଣା ମାଝୀ ଉପସ୍ଥିତ ରହି ଖେଳର ଶୁଭାରମ୍ଭ କରିଥିଲେ। ଦ୍ୱିତୀୟ ମ୍ୟାଚ୍ରେ ବିଜେପି ନେତା ଶିବରାମ ନାଏକ, ବଳଭଦ୍ର ସାହୁ ଓ ବେନଗାଁ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରଥମ ମ୍ୟାଚ୍ରେ କପିଳେନ୍ଦ୍ର ଦୋରା ଓ ଚିତ୍ର ଦୋରା ଅମ୍ପାୟାର ଦାୟିତ୍ୱ ତୁଲାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ବଳିଆ ସାହୁ ଓ ସିନ୍ଧୁରାଜ ସାହୁ ଖେଳ ପରିଚାଳନା କରିଥିଲେ। କନେଇ ନାଏକ ଓ ବୈଶାଗୁ ମାଝୀ ସ୍କୋର ବୋର୍ଡ ଦାୟିତ୍ୱ ତୁଲାଇଥିବା ବେଳେ ମଳୟରଞ୍ଜନ ବେହେରା ଧାରାବିବରଣୀ ପ୍ରଦାନ କରିଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଆସନ୍ତା ନଭେମ୍ବର ୧୭ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ବେନଗାଁ ଖେଳ ପରିଚାଳନା କମିଟିର ସଭାପତି ନରେନ୍ଦ୍ର ବେହେରା ଓ ସମ୍ପାଦକ ପ୍ରଭାକର ଦୋରା ଏହି ସୂଚନା ଦେଇଛନ୍ତି। ଟୁର୍ଣ୍ଣାମେଣ୍ଟ ଆୟୋଜନରେ ବଳିଆ ସାହୁ, ଡାଳ ବେହେରା, ସୁନୀଲ ହରିଜନ, ଚିତ୍ର ଦୋରା, କପିଳ ଦୋରା, ସିନ୍ଧୁରାଜ ସାହୁ, ବିକାଶ ଦୋରା, ଗୌତମ ଦୋରା, ସୁଧାମ ମାଝୀ, ସୁବ୍ରତ ନାଏକ ଓ କନେଇ ନାଏକ ପ୍ରମୁଖ ସହଯୋଗ କରିଛନ୍ତି।





