ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ଦୁଇ ଦିନ ତଳେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଘର୍ଲା ନିକଟରେ ଗାଧୋଉଥିବା ବେଳେ କେନାଲ ପାଣିରେ ବୁଡି ନିଖୋଜ ହେଇଥିଲା ଘର୍ଲା କେନାଲ ପଡାର ଛବି ମାଝୀ ନାମକ ଜନୈକ ୪୦ ବର୍ଷିୟ ଯୁବକ। ଦୁଇ ଦିନ ଧରି ପରିବାର ଲୋକ ଏବଂ ପୁଲିସ ଉପସ୍ଥିତିରେ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ କେନାଲ ପାଣିରେ ଖୋଜିଥିଲେ। କିନ୍ତୁ କୌଣସି ସନ୍ଧାନ ମିଳିନଥିଲା। ଆଜି ଶନିବାର ଜୁନାଗଡ ଥାନା ଅଧିନସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଝାରବନ୍ଧ ନିକଟରେ ଥିବା କେନାଲର ପଥର ବନ୍ଧରେ ମୃତ ଛବି ମାଝୀର ଶବ ଲାଗି ରହିଥିଲା। ଏନେଇ ପରିବାର ଲୋକ ସୂଚନା ପାଇବା ପରେ କଲମପୁର ଥାନା ଅଧିକାରୀ ସୁନିଲ କୋଣ୍ଡାଗୋରୀଙ୍କୁ ସୂଚନା ଦେଇଥିଲେ।ଥାନାଧିକାରୀଙ୍କ ଉପସ୍ଥିତିରେ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ସକାଳ ୧୦ଟା ବେଳେ ମୃତ ଦେହ ଉଦ୍ଧାର କରିଥିଲେ। ଦୀର୍ଘ ୪୨ ଘଣ୍ଟା ପରେ ଉଦ୍ଧାର ହେଲା ମୃତ ଦେହ। ଏହାପରେ ଶବର ବ୍ୟବଚ୍ଛେଦ ପାଇଁ କଲମପୁର ଠାରେ ନିୟୋଜିତ ଶବ ବାହକ ଯାନ ସହାୟତାରେ ଜୟପାଟଣା ସ୍ଥାନାନ୍ତରିତ କରାଯାଇଛି। କଲମପୁର ଥାନାରେ ଏନେଇ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରାଯାଇଛି।





