ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ପକ୍ଷରୁ ଲୋକାର୍ପିତ ହେଲା ଡକ୍ଟର ସାରଙ୍ଗଧର ତ୍ରିପାଠୀଙ୍କ ଅନୂଦିତ ପୁସ୍ତକ ‘ଶେଷପତ୍ର’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତସନନ୍ଦଙ୍କ ପୌରୋହିତ୍ୟରେ ଯୁବ ଗବେଷକ ତଥା ଅନୁବାଦକ ଡକ୍ଟର ସାରଙ୍ଗଧର ତ୍ରିପାଠୀଙ୍କ ଦ୍ୱାରା ମୂଳ ଇଂରାଜୀରୁ ଓଡ଼ିଆ ଭାଷାରେ ଅନୁସୃଜନ ହୋଇଥିବା ନଅଜଣ ଗାଳ୍ପିକଙ୍କ ବାର ଗୋଟି ଗଳ୍ପର ଏକ ମନୋଜ୍ଞ ସଂକଳନ ‘ଶେଷପତ୍ର’ ଉନ୍ମୋଚିତ ହୋଇଯାଇଛି। ଏଥିରେ ଅତିଥି ବକ୍ତା ଭାବରେ ଯୋଗ ଦେଇ ‘ଅକ୍ଷାଂଶ’ ପତ୍ରିକାର ମୁଖ୍ୟ ସଂପାଦକ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଫକୀରମୋହନ ସାହିତ୍ୟ ପରିଷଦର ସଂପାଦକ ଡକ୍ଟର ରତ୍ନାକର ସିଂହ ଓ କବି ଦୀପକ ବୋଷ ପୁସ୍ତକଟିକୁ ଆଲୋଚନା କରିଥିଲେ । ପୁସ୍ତକରେ ସ୍ଥାନିତ ସମସ୍ତ ଗଳ୍ପରେ ଜୀବନବାଦୀ ଚିନ୍ତନ ଓ ମାନବବାଦୀ ଚେତନା ଭରି ରହିଛି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ସଭା ପ୍ରାରମ୍ଭରେ ତପସ୍ବିନୀ ତ୍ରିପାଠୀ ସୁଲଳିତ କଣ୍ଠରେ ଏକ ଭଜନ ପରିବେଷଣ କରିଥିଲେ । ଅନୁବାଦକ ଡ. ସାରଙ୍ଗଧର ତ୍ରିପାଠୀ ତାଙ୍କର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ ଅବସରରେ କହିଲେ ଯେ ଅନୁବାଦ କାର୍ଯ୍ୟଟି କଷ୍ଟସାଧ୍ୟ ହେଲେ ହେଁ ଏହି ସୁନ୍ଦର ଇଂରାଜୀ ଗଳ୍ପଗୁଡ଼ିକ ତାଙ୍କ ମନକୁ ଛୁଇଁଥ‌ିବାରୁ ସେଗୁଡ଼ିକ ଓଡ଼ିଆ ପାଠକମାନଙ୍କ ନିକଟରେ ପହ‌ଞ୍ଚାଇବା ପାଇଁ ସେ ସମସ୍ତ ଶ୍ରମ ସ୍ଵୀକାର କରିଛନ୍ତି । ଅନୁଷ୍ଠାନର ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାକ୍‌ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦିକା ଶାନ୍ତିଲତା ପଣ୍ଡା ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ ଓ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସହରର ବହୁ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.