୩ଟି ସ୍ଥାନରେ ଏକକାଳୀନ ଚଢ଼ଉ; ୨ ବାଇକ୍ ଓ ଗୋଟିଏ ସ୍କୁଟି ଜବତ, ଜବତ ସାମଗ୍ରୀର ମୂଲ୍ୟ ୩.୧୬ ଲକ୍ଷ ଟଙ୍କା
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରରେ ବେଆଇନ ଦେଶୀ ମଦ କାରବାର ବିରୋଧରେ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ ପକ୍ଷରୁ ଏକ ବଡ଼ଧରଣର ଚଢ଼ଉ କରାଯାଇ ୩୮୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ବାଇକ୍ ଓ ଗୋଟିଏ ସ୍କୁଟି ଜବତ କରିଛି ଅବକାରୀ ବିଭାଗ। ଗୁରୁବାର ସକାଳ ପ୍ରାୟ ୬ଟା ସମୟରେ ଟାଉନ୍ ଥାନା ଅଧୀନ ପତ୍ରପଡ଼ା ଛକ, ବାଙ୍କାଖଜୁରୀ ଛକ ଓ ହେମକାପଦା ଛକରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ପୁରୁଣା ବାଲେଶ୍ୱର ଅଞ୍ଚଳର ବିଦ୍ୟାଧର ବେହେରା, ଗଣେଶ ମାଝୀ ଓ କାର୍ତ୍ତିକ ମଣ୍ଡଳଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଥିଲା। ଜବତ ହୋଇଥିବା ଦେଶୀ ମଦ ଓ ତିନୋଟି ଦୁଇଚକିଆ ଯାନର ଆନୁମାନିକ ମୂଲ୍ୟ ୩ ଲକ୍ଷ ୧୬ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ତିନୋଟି ପୃଥକ୍ ଅବକାରୀ ମାମଲା ରୁଜୁ କରାଯାଇଛି। ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ର ଆଇଆଇସି ଅଭିରାମ ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ ଏସ୍ଆଇ ଅଲିଭା ମାଝୀ, ଏସ୍ଆଇ ଶିବଶଙ୍କର ସିଂ, ଏଏସ୍ଆଇ ଲମ୍ବୋଦର ମହାନ୍ତ, କନଷ୍ଟେବଳ ନୁହାନ ମୁର୍ମୁ ଓ ଗଣେଶ ସିଂ ସାମିଲ ହୋଇଥିଲେ। ସହରର ତିନୋଟି ପ୍ରମୁଖ ଛକରେ ଏକକାଳୀନ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ ହେବା ଘଟଣା ସହରରେ ବେଆଇନ ମଦ କାରବାରର ବ୍ୟାପକତାକୁ ପଦାରେ ପକାଇଛି। ଏହା ସହିତ ଏପରି କାରବାର ଉପରେ ଅବକାରୀ ବିଭାଗର ନଜରଦାରି ଓ ଚଢ଼ଉ ଅଭିଯାନ ଜାରି ରହିଥିବା ସ୍ପଷ୍ଟ ହୋଇଛି।





