ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏନଏସି ଅଧିନସ୍ଥ ସର୍ଗିଗୁଡ଼ା ରେଳବାଇ ଫାଟକ ରୁ ନର୍ଲାରୋଡ ହନୁମାନ ମନ୍ଦିର ଯାଏଁ ଚାଲିଛି ରାସ୍ତାକାମ। ପିଡବ୍ଲୁଡି ବିଭାଗ ଅଧିନରେ ରାସ୍ତାକାମ ଚାଲିଛି। ଜେସିବି ମେସିନ ସାହାଯ୍ୟରେ ଗୋଟିଏ ଫୁଟ ଖୋଳି ପୁରୁଣା କଂକ୍ରିଟ ଓ ତା ଉପରେ ଆଗରୁ ହୋଇଥିବା ପିଚୁକୁ ବାହାର କରି ତା’ ଉପରେ ପଡୁଛି ମେଟଲ୍ ମିଶା ପଥର ଗୁଣ୍ଡ। ୧୫ ଦିନ ହୋଇଗଲା ରେଳବାଇ ଫାଟକ ପଟୁ କାମ ଆରମ୍ଭ ହୋଇଥିବା ବେଳେ ସର୍ଗିଗୁଡ଼ା ମାଝୀ ପଡା ପର୍ଯ୍ୟନ୍ତ ପୁରୁଣା ରାସ୍ତା ଖୋଳା ହୋଇଛି। ଲୋକଙ୍କ ଯିବା ଆସିବା ଗାଡ଼ି, ମୋଟର ବାଇକ ଚାଲିବାରେ ଯାହା ତ ଅସୁବିଧା ହେଉଛି ସେ କଥା ଛାଡ। ଆଉ ରାସ୍ତା କାମ ସମୟରେ କିଛି ଦିନ ତ ସେମିତି ଅସୁବିଧା ହେବା ସ୍ୱାଭାବିକ। ହେଲେ ଉକ୍ତ ରାସ୍ତା ପାର୍ଶ୍ୱ ଦେଇ ସର୍ଗିଗୁଡ଼ା, ମାଝୀ ପଡା ଓ ନର୍ଲାରୋଡକୁ ଆରଡବ୍ଲୁଏସଏସ ବିଭାଗ ତରଫରୁ ହୋଇଛି ପାନୀୟ ଜଳ ଯୋଗାଣ। ହେଲେ ଅନ୍ଧାଧୁମ୍ ଭାବରେ ଜେସିବି ମେସିନ ସାହାଯ୍ୟରେ ମାଟି ଖୋଳା ଚାଲିଥିବାରୁ ରାସ୍ତା ଦୁଇ ପାର୍ଶ୍ୱରେ ଯାଇଥିବା ପାଇପ୍ ଲାଇନ ଗୁଡ଼ିକ ଫାଟି ଜଳମୟ ଓ କାଦୁଅ ପଚ ପଚ ହେଉଛି ରାସ୍ତା। ଗାଡ଼ି ମୋଟର ଚାଲିବା ତ ଦୂରର କଥା, ଲୋକଙ୍କ ଗମନା ଗମନ ମଧ୍ୟ ଜଟିଳ ହୋଇ ପଡିଛି। ଏହାବାଦ ଜେସିବି ମେସିନରେ ରାସ୍ତା ଖୋଳା ଯୋଗୁଁ ସପ୍ଲାଏ ପାଣି ପାଇପ ଫାଟିବା ସହ ଦୁଇପଟେ ନିଜ ନିଜ ଘରକୁ ପାଣି ସଂଯୋଗ ନେଇଥିବା ଲୋକଙ୍କ ପାଇପ ଗୁଡ଼ିକ ଫାଟି ଯିବା ଫଳରେ ଲୋକେ ଖର୍ଚ୍ଚାନ୍ତ ହୋଇ ମିସ୍ତ୍ରୀ ଲଗେଇ ପାଇପ କାମ କରୁଥିବା ଦେଖିବାକୁ ମିଳୁଛି। ପାଣି ସପ୍ଲାଏ ପାଇଁ ରାସ୍ତା ଦୁଇପଟେ ଯାଇଥିବା ମୁଖ୍ୟ ପାଇପ ଲାଇନ ଫାଟିଯିବ ଫଳରେ ସର୍ଗିଗୁଡ଼ା ଓ ନର୍ଲାରୋଡକୁ ଜଳ ଯୋଗାଣରେ ବ୍ୟାଘାତ ଉପୁଜୁଛି। ଚାରିଦିନ ସର୍ଗିଗୁଡ଼ାକୁ ଜଳ ଯୋଗାଣ ବନ୍ଦ ହୋଇ ପଡ଼ିଥିଲା। ବିଭାଗ ତରଫରୁ ସେଗୁଡ଼ିକ ମରାମତି କରାଯିବ ପରେ ସର୍ଗିଗୁଡ଼ାକୁ ଜଳ ଯୋଗାଣ ଚାଲିଛି। ଏବେ ଗୋଟିଏ ସପ୍ତାହ ହୋଇଗଲା ନର୍ଲାରୋଡକୁ ପାନୀୟ ଜଳ ଯୋଗାଣ ଠପ୍ ହୋଇ ପଡିଛି। ରାସ୍ତାକାମ ସମୟରେ ପିଡବ୍ଲୁଡି ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ହେଉ ନଥିବାରୁ ପାନୀୟ ଜଳ ଯୋଗାଣ ପାଇପ ସବୁ ଫାଟି ଲୋକେ ହଇରାଣ ହରକତ ହେଉଥିବା ଆଲୋଚନା ହେଉଛି। ଅନ୍ୟପକ୍ଷେ ପାନୀୟ ଜଳ ଯୋଗାଣ ଠପ୍ ହୋଇ ପଡ଼ିଥିବାରୁ ବୋଲଣା ଶୁଣୁଛନ୍ତି ଆରଡବ୍ଲୁଏସଏସ ବିଭାଗୀୟ କନିଷ୍ଠ ଯନ୍ତ୍ରୀ। ରାସ୍ତା କାମ ସରିବାକୁ ଆଉ ମାସଟେ ଲାଗିଯିବ। ଏଥିରେ ସ୍ଥାନୀୟ ଦୁଇ ଗ୍ରାମର ଲୋକେ ପାନୀୟ ଜଳ ଟିକକ ପାଇଁ ହନ୍ତସନ୍ତ ହେଉଛନ୍ତି। ଏଣୁ ଏଥିପ୍ରତି ନର୍ଲା ଏନଏସି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।






