ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଶ୍ରୀ ଅନ୍ନ ଅଭିଯାନ ଆନୁକୂଲ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ସିଲଦାସ୍ଥିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-୨୦୨୬ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ପ୍ରାରମ୍ଭରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପୁଷ୍ଟିକର ଖାଦ୍ୟ ସାମଗ୍ରୀର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ମାଣ୍ଡିଆର ବହୁମୁଖୀ ବ୍ୟବହାର ଓ ପୁଷ୍ଟିଗତ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହାପରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା ସନ୍ତୋଷ କୁମାର ରଥ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଗବନ୍ଧୁ ପଟେଲ ମଞ୍ଚାସୀନ ଥିଲେ।
ଚଳିତ ବର୍ଷ ମାଣ୍ଡିଆ ଦିବସର ବିଷୟବସ୍ତୁ ‘ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବବିବିଧତା’ ଉପରେ ଆଧାରିତ ଥିଲା। ଏହି ଅବସରରେ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟର ପୋଷଣଗତ ଗୁଣବତ୍ତା, ସ୍ୱାସ୍ଥ୍ୟ ଉପକାରିତା ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀର ଗୁରୁତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ମାଣ୍ଡିଆ ଚାଷର ପ୍ରସାର, ଦୈନନ୍ଦିନ ଖାଦ୍ୟରେ ଏହାର ବ୍ୟବହାର ବୃଦ୍ଧି ଏବଂ ଚାଷୀମାନଙ୍କୁ ଏହି ଚାଷ ପ୍ରତି ଅଧିକ ଉତ୍ସାହିତ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଜିଲ୍ଲାର ପାଞ୍ଚଟି ବ୍ଲକ୍‌ରୁ ୧୦ ଜଣ ପ୍ରଗତିଶୀଳ ମାଣ୍ଡିଆ ଚାଷୀଙ୍କୁ ଚାଷ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, କୃଷି ବିଭାଗର ଅଧିକାରୀ, ଚାଷୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.