• ଓଡ଼ିଶା ଉପକୂଳସ୍ଥିତ ଡଃ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ହେଲା ଉତ୍କ୍ଷେପଣ; ସଶସ୍ତ୍ର ବାହିନୀରେ ସାମିଲ ହେବା ପ୍ରକ୍ରିୟା ତ୍ୱରାନ୍ୱିତ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶା ଉପକୂଳସ୍ଥିତ ଡଃ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ‘ପ୍ରଳୟ’ ଅର୍ଦ୍ଧ-ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। ନଭେମ୍ବର ୫ ତାରିଖ ଦିନ ପ୍ରାୟ ୧୧ଟା ୧୦ ମିନିଟ୍ରେ ଏହି ପରୀକ୍ଷଣ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ପରୀକ୍ଷଣର ସମସ୍ତ ନିର୍ଦ୍ଧାରିତ ଉଦ୍ଦେଶ୍ୟ ସଫଳତାର ସହ ପୂରଣ ହୋଇଛି। ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର) ପକ୍ଷରୁ ନିୟୋଜିତ ବିଭିନ୍ନ ନିରୀକ୍ଷଣ ଓ ତଥ୍ୟ ସଂଗ୍ରହ ଯନ୍ତ୍ରପାତିରୁ ମିଳିଥିବା ତଥ୍ୟ ଏହି ସଫଳତାକୁ ନିଶ୍ଚିତ କରିଛି। ହାଇଦ୍ରାବାଦସ୍ଥିତ ଗବେଷଣା କେନ୍ଦ୍ର ଇମାରତ (ଆରସିଆଇ) ଡିଆରଡିଓର ଅନ୍ୟାନ୍ୟ ପରୀକ୍ଷାଗାର ସହଯୋଗରେ ଏହି କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ ସ୍ୱଦେଶୀ ବିକାଶ କରିଛି। ବିକାଶ ଓ ଉତ୍ପାଦନ ସହଯୋଗୀ ଭାବେ ଭାରତ ଡାଇନାମିକ୍ସ ଲିମିଟେଡ୍ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ନିର୍ମାଣ କରିଛି। ସେନାବାହିନୀର ବ୍ୟବହାରକାରୀ ମୂଲ୍ୟାଙ୍କନ ପରୀକ୍ଷଣର ଅଂଶବିଶେଷ ଭାବେ ଏହି ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଏଥିରେ ଡିଆରଡିଓର ବରିଷ୍ଠ ଅଧିକାରୀ, ଶିଳ୍ପ ସଂସ୍ଥାର ପ୍ରତିନିଧି ଏବଂ ପ୍ରତିରକ୍ଷା ବାହିନୀର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସଫଳ ପରୀକ୍ଷଣ ପରେ ସଶସ୍ତ୍ର ବାହିନୀରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ସାମିଲ କରିବା ପ୍ରକ୍ରିୟା ଖୁବ୍ ଶୀଘ୍ର ଆଗେଇବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ପ୍ରତିରକ୍ଷା ବାହିନୀ ଏବଂ ଶିଳ୍ପ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉନ୍ନତ ଜ୍ଞାନକୌଶଳରେ ସଜ୍ଜିତ ଏହି କ୍ଷେପଣାସ୍ତ୍ର ଭବିଷ୍ୟତର ଉଦୀୟମାନ ବିପଦର ମୁକାବିଲା କରିବା ସହ ଦେଶର ସାମରିକ ବୈଷୟିକ କ୍ଷମତା ଓ କାର୍ଯ୍ୟକ୍ଷମ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ପ୍ରତିରକ୍ଷା ସଚିବ, ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ରାଜେଶ କୁମାର ସିଂହ ମଧ୍ୟ ଏହି ସଫଳ ପରୀକ୍ଷଣରେ ସମ୍ପୃକ୍ତ ସମସ୍ତ ବୈଜ୍ଞାନିକ, ଅଧିକାରୀ ଓ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି।





