କୋଟିଆରେ ନିର୍ବାଚନ କରିବ ଆନ୍ଧ୍ର; ଓଡ଼ିଶାର ପ୍ରସ୍ତୁତି କେତେ?

ନିର୍ବାଚନୀ ପ୍ରକ୍ରିୟାକୁ ନେଇ ସୀମାନ୍ତରେ ଉତ୍ତେଜନା; ସରକାରଙ୍କ ଘୋଷଣା ପରେ ପ୍ରଶାସନର ପଦକ୍ଷେପକୁ ଅପେକ୍ଷା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ବିବାଦୀୟ କୋଟିଆ ଅଞ୍ଚଳର ତିନୋଟି ଗ୍ରାମକୁ ନିଜ ପ୍ରଶାସନିକ ବ୍ୟବସ୍ଥାରେ ସାମିଲ କରି ନିର୍ବାଚନ କରାଇବାକୁ ଆନ୍ଧ୍ରପ୍ରଦେଶର ପଦକ୍ଷେପ ପୁଣି ଓଡ଼ିଶା ପାଇଁ ଆହ୍ୱାନ ସୃଷ୍ଟି କରିଛି। ଆନ୍ଧ୍ରର ନିର୍ବାଚନୀ ପ୍ରସ୍ତୁତିକୁ ନେଇ ରାଜନୈତିକ ମହଲରେ ପ୍ରତିବାଦ ଆରମ୍ଭ ହୋଇଥିବାବେଳେ, ଓଡ଼ିଶା ସରକାର ଓ କୋରାପୁଟ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛନ୍ତି, ତାହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି। ୨୦୨୧ରେ ଓଡ଼ିଶାର ତୀବ୍ର ଆପତ୍ତି ସତ୍ତ୍ୱେ ଆନ୍ଧ୍ର କୋଟିଆର ବିବାଦୀୟ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରାଇଥିଲା। ୨୦୨୪ରେ ମଧ୍ୟ ସାଧାରଣ ନିର୍ବାଚନ ସମୟରେ ଏଠାରେ ମତଦାନ କରାଇଥିଲା। ଏବେ ପୁଣି ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣାସିନେରୀ ଭଳି ଗ୍ରାମକୁ ନେଇ ବିବାଦ ମୁଣ୍ଡ ଟେକିଛି। ଆନ୍ଧ୍ର ଏହି ଗ୍ରାମଗୁଡ଼ିକୁ ନିଜ ପ୍ରଶାସନିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ାଉଥିବା ଖବର ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶର ନିର୍ବାଚନ କାର୍ଯ୍ୟକ୍ରମ ଅନୁଯାୟୀ, ମଣ୍ଡଳ ପରିଷଦ ସଭ୍ୟ (ଏମ୍‌ପିଟିସି) ଓ ଜିଲ୍ଲା ପରିଷଦ ସଭ୍ୟ (ଜେଡ୍‌ପିଟିସି) ପାଇଁ ନଭେମ୍ବର ୩ ତାରିଖରେ ମତଦାନ ଏବଂ ନଭେମ୍ବର ୫ ତାରିଖରେ ଭୋଟ ଗଣତି ଧାର୍ଯ୍ୟ ହୋଇଛି। ସେହିପରି ପଞ୍ଚାୟତ ନିର୍ବାଚନ ତିନୋଟି ପର୍ଯ୍ୟାୟରେ ନଭେମ୍ବର ୨୬, ୨୯ ଓ ଡିସେମ୍ବର ୨ ତାରିଖରେ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ବିବାଦୀୟ କୋଟିଆ ଗ୍ରାମଗୁଡ଼ିକରେ କେଉଁ ତାରିଖରେ ମତଦାନ ହେବ, ତାହା ସ୍ପଷ୍ଟ କରିବା ଆବଶ୍ୟକ।

ଘୋଷଣାରେ ସୀମିତ ରହିବ କି ସରକାରଙ୍କ ପଦକ୍ଷେପ?

କୋଟିଆ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଉପରେ ଏବେ ନଜର ରହିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କୋଟିଆ ଓଡ଼ିଶାର ବୋଲି ଦୃଢ଼ ମତ ରଖିବା ସହ ଆନ୍ଧ୍ରର ନିର୍ବାଚନୀ ପଦକ୍ଷେପକୁ ରୋକିବା ଦିଗରେ ସରକାର ପ୍ରସ୍ତୁତ ଥିବା କହିଛନ୍ତି। ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଖବର ପ୍ରକାଶ ପାଇଛି। କିନ୍ତୁ ପ୍ରଶ୍ନ ହେଉଛି, ଏହି ନିର୍ଦ୍ଦେଶ ପରେ ତୃଣମୂଳ ସ୍ତରରେ କି ପଦକ୍ଷେପ ନିଆଯାଇଛି? କୋରାପୁଟ ଜିଲ୍ଲାପାଳ ଓ ପୋଟାଙ୍ଗୀ ବ୍ଲକ ପ୍ରଶାସନ ପରିସ୍ଥିତିର ସମୀକ୍ଷା କରିଛନ୍ତି କି? ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ କି ରିପୋର୍ଟ ଦିଆଯାଇଛି? ଏସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ସାମ୍ନାକୁ ଆସିବା ଦରକାର।ସରକାର କେବଳ ନିଜ ଅଞ୍ଚଳ ଉପରେ ଅଧିକାର ଦାବି କଲେ ହେବ ନାହିଁ। ଆଇନଗତ ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବା ସହ ଆନ୍ଧ୍ର ସରକାରଙ୍କ ସହ ଆନୁଷ୍ଠାନିକ ଆଲୋଚନା, ସମ୍ପୃକ୍ତ ନ୍ୟାୟାଳୟର ନିର୍ଦ୍ଦେଶର ଅନୁପାଳନ ଏବଂ ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଦିଗରେ ଠୋସ୍ ପଦକ୍ଷେପ ନେବା ଜରୁରୀ।

କୋଟିଆବାସୀଙ୍କ ଆସ୍ଥା ଜିତିବା ହିଁ ପ୍ରକୃତ ପରୀକ୍ଷା

କୋଟିଆରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତିକୁ ଦୃଢ଼ କରିବା ପାଇଁ ଗ୍ରାମବାସୀଙ୍କ ମୌଳିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତା, ଜୀବିକା ଓ ସରକାରୀ ଯୋଜନାର ସୁବିଧା ଲୋକଙ୍କ ପାଖରେ ନିୟମିତ ପହଞ୍ଚୁଛି କି ନାହିଁ, ତାହାର ତଦାରଖ ଆବଶ୍ୟକ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣି ତ୍ୱରିତ ସମାଧାନ କରିବା ସହ ପ୍ରଶାସନ ପ୍ରତି ସେମାନଙ୍କ ଆସ୍ଥା ବଢ଼ାଇବା ଦରକାର। କୋଟିଆକୁ ନେଇ ବିବାଦ ଦୀର୍ଘଦିନର। ତେଣୁ ଏହାର ସମାଧାନ ପାଇଁ କେବଳ ରାଜନୈତିକ ବୟାନ ନୁହେଁ, ବରଂ ନିରନ୍ତର ପ୍ରଶାସନିକ ତଦାରଖ, ଆଇନଗତ ପଦକ୍ଷେପ ଓ ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ରହିଛି। କୋଟିଆ ଓଡ଼ିଶାର ବୋଲି ସରକାରଙ୍କ ଦାବି ଯଦି ଦୃଢ଼, ତେବେ ଏହାର ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ମଧ୍ୟ ସେତିକି ଦୃଢ଼ ହେବା ଦରକାର। ଆନ୍ଧ୍ରର ନିର୍ବାଚନୀ ପ୍ରସ୍ତୁତି ମଧ୍ୟରେ ରାଜ୍ୟ ସରକାର ଓ କୋରାପୁଟ ଜିଲ୍ଲା ପ୍ରଶାସନ କେବେ, କିପରି ଏବଂ କେଉଁ ଆଇନଗତ ଆଧାରରେ ପଦକ୍ଷେପ ନେବେ, ତାହା ଜନସାଧାରଣଙ୍କୁ ଜଣାଇବା ଆବଶ୍ୟକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.