•ବାଲିଘାଟରେ ୫୧, ନୁଣିଆଯୋଡ଼ିରେ ୩୫ ମେଢ଼ ବିସର୍ଜନ
•ଶବ୍ଦ ପ୍ରଦୂଷଣ ରୋକିବାରେ ପ୍ରଶାସନର ନିଷ୍କ୍ରିୟତା ଅଭିଯୋଗ, ବାୟୁ ଓ ପରିବେଶ ପ୍ରଦୂଷଣକୁ ନେଇ ଉଦ୍ବେଗ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରରେ ଗୁରୁବାର ଦିନତମାମ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ସମ୍ପନ୍ନ ହୋଇଛି। ବାଲିଘାଟରେ ୫୧ଟି ଓ ନୁଣିଆଯୋଡ଼ିରେ ୩୫ଟି ମେଢ଼ ବିସର୍ଜନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଭସାଣି ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ସହରରେ ୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ସକାଳୁ ଆରମ୍ଭ ହୋଇଥିବା ବିସର୍ଜନ ପ୍ରକ୍ରିୟାରେ ବିଭିନ୍ନ ପୂଜା ମଣ୍ଡପର ମେଢ଼ ସିନେମା ଛକ ଦେଇ ନିର୍ଦ୍ଧାରିତ ବିସର୍ଜନ ସ୍ଥଳକୁ ଯାଇଥିବା ବେଳେ ସନ୍ଧ୍ୟାରେ ସିନେମା ଛକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ତେବେ ଭସାଣି ପରେ ସହରରେ ଶବ୍ଦ, ବାୟୁ ଓ ପରିବେଶ ପ୍ରଦୂଷଣକୁ ନେଇ ବହୁ ବରିଷ୍ଠ ନାଗରିକ ଉଦ୍ବେଗ ପ୍ରକାଶ କରିଛନ୍ତି। ଭସାଣି ଉତ୍ସବ ଅବସରରେ ସହରର ବିଭିନ୍ନ ଅଞ୍ଚଳରୁ ଆସିଥିବା ମେଢ଼ଗୁଡ଼ିକ ସିନେମା ଛକରେ ଏକାଠି ହୋଇ ଲମ୍ବା ଧାଡ଼ିରେ ଶୋଭାଯାତ୍ରା କରିଥିଲେ। ପ୍ରଶାସନ ପକ୍ଷରୁ ସିନେମା ଛକ ଦେଇ ବାଲିଘାଟରେ ବିସର୍ଜନ ପାଇଁ ବ୍ୟବସ୍ଥା କରାଯାଇଥିଲା। ପୁଲିସ ସୂଚନା ଅନୁଯାୟୀ, ବାଲିଘାଟରେ ୫୧ଟି ମେଢ଼ ବିସର୍ଜନ ପାଇଁ ସ୍ଥିର ହୋଇଥିବା ବେଳେ ନୁଣିଆଯୋଡ଼ିରେ ୩୫ଟି ମେଢ଼ ବିସର୍ଜନର ଯୋଜନା ରହିଥିଲା।
ଭସାଣି ଶୋଭାଯାତ୍ରାରେ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ମାଇକ୍ ଓ ଡିଜେ ବାଜୁଥିବାରୁ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ପ୍ରଶ୍ନ ଉଠିଛି। ଶବ୍ଦ ପ୍ରଦୂଷଣ ପ୍ରତି ଜିଲ୍ଲା ପ୍ରଶାସନ ଆଖି ବୁଜି ଦେଇଥିବା ଅଭିଯୋଗ କରିଛନ୍ତି ସହରର କେତେକ ବରିଷ୍ଠ ନାଗରିକ। ଡିଜେ ବାଜା ଉପରେ କଟକଣା ଥିବା ସତ୍ତ୍ୱେ ଶୋଭାଯାତ୍ରାରେ ଅତ୍ୟଧିକ ଶବ୍ଦରେ ମାଇକ୍ ଓ ଡିଜେ ବାଜିବା ଘଟଣା ପ୍ରଶାସନର ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ, ଭସାଣି ପରଦିନ ସକାଳେ ସହରର ପ୍ରାୟ ପ୍ରତ୍ୟେକ ରାସ୍ତା ଅଳିଆ ଆବର୍ଜନାରେ ଭରି ରହିଥିବା ଦେଖାଯାଇଥିଲା। ଆତସବାଜି ଓ ବାଣ ଫୁଟାଇବା ପରେ ଏଣେତେଣେ ପଡ଼ିଥିବା ଟୁକୁରା କାଗଜ ଓ ଅନ୍ୟାନ୍ୟ ଆବର୍ଜନା ସହରର ରାସ୍ତାଘାଟକୁ ଅପରିଷ୍କାର କରିଦେଇଥିଲା। ଉତ୍ସବ ପରେ ତୁରନ୍ତ ସଫେଇ ବ୍ୟବସ୍ଥା କରାଯାଇ ନଥିବାରୁ ସହରର ପରିମଳ ବ୍ୟବସ୍ଥା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ବାୟୁ ପ୍ରଦୂଷଣ, ପରିବେଶ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ଯୋଗୁଁ ସହରବାସୀ ଅତିଷ୍ଠ ହୋଇପଡ଼ିଥିବା ବହୁ ବରିଷ୍ଠ ନାଗରିକ ମତବ୍ୟକ୍ତ କରିଛନ୍ତି। ପର୍ବପର୍ବାଣି ପାଳନ ସହିତ ପରିବେଶର ସୁରକ୍ଷା, ଶବ୍ଦ ନିୟନ୍ତ୍ରଣ ଓ ସହରର ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।
ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୮ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ବରିଷ୍ଠ ପୁଲିସ ଅଧିକାରୀମାନେ ସମଗ୍ର ଭସାଣି ପ୍ରକ୍ରିୟା ଉପରେ ନଜର ରଖିଥିଲେ। ତେବେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଓ ମେଢ଼ଗୁଡ଼ିକର ଲମ୍ବା ଧାଡ଼ି ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। କେତେକ ଅମାନିଆ ଚାଳକ ଜୋରଜବରଦସ୍ତ ଗାଡ଼ି ଭିଡ଼ ମଧ୍ୟକୁ ପୂରାଇବାରୁ ଯାତାୟାତରେ ଅଧିକ ବାଧା ସୃଷ୍ଟି ହୋଇଥିଲା। ଉତ୍ସବର ଆନନ୍ଦ ସହିତ ପରିବେଶର ସୁରକ୍ଷା ଓ ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ଦାୟିତ୍ୱବୋଧ ରଖିବା ଉପରେ ଗୁରୁତ୍ୱ ଦେବାକୁ ସହରର ବରିଷ୍ଠ ନାଗରିକମାନେ ଆହ୍ୱାନ ଦେଇଛନ୍ତି।





