ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ପବିତ୍ର ବିଜୟା ଦଶମୀର ଶୁଭ ଅବସରରେ ଉନ୍ମୋଚନ ଲାଭ କରିଛି ରୁଦ୍ର ଇ-ପତ୍ରିକାର ଆଦ୍ୟଶକ୍ତି ବିଶେଷାଙ୍କ।ଏହି ବିଶେଷାଙ୍କରେ ପ୍ରକାଶିତ ସମସ୍ତ ବିଭାଗ ଯଥା- କବିତା, ଗଳ୍ପ, ପ୍ରବନ୍ଧ ମା’ ଦୁର୍ଗାଙ୍କୁ ସମର୍ପିତ ହୋଇଛି। ଚିତ୍ରକର ତୋଫାନ ତରେଇଙ୍କ ଦ୍ୱାରା ଅଙ୍କିତ ଚିଲିକାର ଗଣ୍ଡରେ ପୂଜିତ ମା’ କାଳିଜାଇଙ୍କ ଦିବ୍ୟ ରୂପ ପ୍ରଚ୍ଛନ୍ଦପଟ୍ଟରେ ସ୍ଥାନ ପାଇଥିବା ବେଳେ ତାଙ୍କର ଏକ ସ୍ୱତନ୍ତ୍ର ଆଜିର ଚିତ୍ରକଳା ବିଭାଗରେ କିଛି ଚିତ୍ର ସ୍ଥାନ ପାଇଛି। ପରେ ପରେ ପ୍ରତିଷ୍ଠାତା ତଥା ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଦାସଙ୍କ ଏକ ସୁନ୍ଦର ଆଲେଖ୍ୟ ପ୍ରତିଷ୍ଠାତାଙ୍କ ମନନରେ ଦେଖିବାକୁ ମିଳୁଥିବା ବେଳେ ପତ୍ରିକାର ମୁଖ୍ୟ ସମ୍ପାଦକ ଶ୍ରୀମାନ ବାଦଲ ପଲେଇ ସମ୍ପାଦକୀୟ ଲେଖିଛନ୍ତି। ସୌଜନ୍ୟ ସମ୍ପାଦିକା ଭାବରେ ଶ୍ରୀମତୀ ପିଙ୍କିନା ବିଶୋଈ ପତ୍ରିକାର ଦାୟିତ୍ୱ ଗ୍ରହଣ କରି ନୂତନ ସଦସ୍ୟ ହୋଇଛନ୍ତି। ପତ୍ରିକାର ସୂଚୀପତ୍ର ପରେ ରହିଛି ପ୍ରବନ୍ଧ ବିଭାଗ। ସେଥିରେ ମୋଟ ୧୦ ଟି ମନୋଜ୍ଞ ପ୍ରବନ୍ଧ ପ୍ରକାଶ ପାଇଥିବା ବେଳେ ଗଳ୍ପ ବିଭାଗରେ ପ୍ରକାଶ ପାଇଛି ୧୦ରୁ ଉର୍ଦ୍ଧ୍ଵ ହୃଦୟସ୍ପର୍ଶୀ ଗଳ୍ପ। ପରେ ରହିଛି କବିତା ବିଭାଗ ଯେଉଁଥିରେ ଅନେକ ଜ୍ଞାନୀ ଗୁଣି କବି ଓ କବୀଗଣ ମା’ ଦୂର୍ଗାଙ୍କ ଉପରେ କବିତା ଲେଖି ପତ୍ରିକାର ମାନ ବୃଦ୍ଧି କରିଛନ୍ତି। କବିତା ବିଭାଗରେ ମୋଟ ୩୦ ରୁ ଉର୍ଦ୍ଧ୍ଵ କବିତା ପତ୍ରିକାରେ ପ୍ରକାଶ ପାଇଛି। କବିତା ବିଭାଗ ପରେ ‘ ତ୍ରିଶକ୍ତି’ ନାମରେ ଏକ ସ୍ୱତନ୍ତ୍ର ବିଭାଗ ରହିଛି। ଏହି ବିଭାଗରେ ତିନିଜଣ ଶକ୍ତି ସ୍ୱରୂପିଣୀ ନାରୀ ଅତିଥିଙ୍କ ସାକ୍ଷାତକାର ପ୍ରକାଶ ପାଇଛି। ସେହି ତିନିଜଣ ହେଉଛନ୍ତି – ଓଡ଼ିଶାର ଆଗଧାଡ଼ିର ଜଣେ କବୀ ତଥା ଅନୁବାଦିକା ଶ୍ରୀମତୀ ଈପ୍ସିତା ଷଡ଼ଙ୍ଗୀ। ପୁରୀ ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟର ଅଧ୍ୟାପିକା, ଧୀଷଣା ପତ୍ରିକାର ସମ୍ପାଦିକା, ସୁଦକ୍ଷା ସାହିତ୍ୟିକା ସୁଶ୍ରୀ ଶର୍ମିଷ୍ଠା ମହାପାତ୍ର। ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶିକା, ମାତୃ ଏକାଡେମୀର ସଂସ୍ଥାପିକା, ସମାଲୋଚିକା ତଥା ଅଧ୍ୟାପିକା ଶ୍ରୀମତୀ ଶୁଭଶ୍ରୀ ସମ୍ପଦା ମିଶ୍ର। ତିନିଜଣ ଶକ୍ତି ସ୍ୱରୂପିଣୀ ଅତିଥିଙ୍କ ସାକ୍ଷାତକାର ନେଇଛନ୍ତି ପତ୍ରିକାର ସମ୍ପାଦକ ଶ୍ରୀମାନ ବାଦଲ ପଲେଇ। ପରେ ଚିତ୍ରକଳା ବିଭାଗରେ ତୋଫାନ ତରେଇଙ୍କ ଚିତ୍ର ପ୍ରକାଶ ପାଇଛି। ଏହି ପତ୍ରିକା କେବଳ ଏକ ଇ-ପତ୍ରିକା ନୁହେଁ ବରଂ ଏହା ସାହିତ୍ୟକୁ ଆଗକୁ ନେବାର ଗୋଟିଏ ଛୋଟିଆ ପ୍ରୟାସ। ଏହି ପ୍ରୟାସ ଗତ ତିନି ବର୍ଷ ହେବ କାର୍ଯ୍ୟକାରୀ ହୋଇଆସୁଥିବା କଥା ଉଭୟ ସମ୍ପାଦକ ଓ ପ୍ରତିଷ୍ଠାତା ମତ ପ୍ରକାଶ କରିଛନ୍ତି।





