ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜାତୀୟ କର୍କଟ ସଚେତନତା ଦିବସ ଅବସରରେ କେସିଙ୍ଗା ରୋଡ୍ସ୍ଥିତ ସରସ୍ୱତୀ ନର୍ସିଂ କଲେଜ ପକ୍ଷରୁ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ସମେତ +୨ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସାମିଲ ହୋଇଥିଲେ। କର୍କଟ ରୋଗର କାରଣ, ଲକ୍ଷଣ, ପ୍ରତିରୋଧ ଏବଂ ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ କରିବା ସହ ସମୟୋଚିତ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ସଚେତନତାଧର୍ମୀ ନାଟକ ଓ ନୃତ୍ୟ ପରିବେଷଣ କରି କର୍କଟ ରୋଗର ଭୟାବହତା, ଏହାର ପ୍ରତିରୋଧ ଏବଂ ପ୍ରାରମ୍ଭିକ ଚିହ୍ନଟର ଆବଶ୍ୟକତା ଉପରେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। କଲେଜର ଅଧ୍ୟକ୍ଷ ଡଃ ସୁଧାଂଶୁ ଶେଖର ପାଣିଗ୍ରାହୀଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଦେବପ୍ରିୟା ଦାଶ, ଉତ୍ତମ ସାହୁ ଓ ସୁଶ୍ରୀ ବିନ୍ଦିଆ ରାଜଗୁରୁଙ୍କ ତତ୍ତ୍ୱାବଧାନ ଓ ସହଯୋଗରେ ଏହା ସଫଳ ରୂପାୟନ ହୋଇଥିଲା। କାର୍ଯ୍ୟକ୍ରମ ମାଧ୍ୟମରେ କର୍କଟ ରୋଗକୁ ନେଇ ସମାଜରେ ରହିଥିବା ଭୟ ଓ ଭ୍ରାନ୍ତ ଧାରଣା ଦୂର କରିବା ସହ ରୋଗର କୌଣସି ଲକ୍ଷଣ ପରିଲକ୍ଷିତ ହେଲେ ବିଳମ୍ବ ନକରି ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା। ସଚେତନତା ହେଉଛି ପ୍ରତିରୋଧର ପ୍ରଥମ ପାହାଚ ଏବଂ ପ୍ରାରମ୍ଭିକ ଚିହ୍ନଟ ଜୀବନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଏହି ସନ୍ଦେଶ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା। ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଓ ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ପ୍ରତିଫଳିତ କରିବା ଦିଗରେ ସରସ୍ୱତୀ ନର୍ସିଂ କଲେଜର ଏହି ପଦକ୍ଷେପ ସ୍ଥାନୀୟ ମହଲରେ ପ୍ରଶଂସନୀୟ ହୋଇଛି।





