ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ହେବ ଉନ୍ନତି; ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥା ହେବ ଅଧିକ ସୁଦୃଢ଼
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ପାତ୍ରପଡ଼ା ଓ ଶ୍ରୀକୋଣା ଗ୍ରାମ ପଞ୍ଚାୟତରେ ୨ କୋଟି ୭୯ ଲକ୍ଷ ୪ ହଜାର ୭୨୭ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ପ୍ରଥମ ପ୍ରକଳ୍ପରେ ପାତ୍ରପଡ଼ା ଗ୍ରାମ ପଞ୍ଚାୟତର ଆଇଟିଆର୍ ରୋଡ୍ଠାରୁ ଘିସୁଆଁ ରୋଡ୍ ପର୍ଯ୍ୟନ୍ତ ସଡ଼କ ନିର୍ମାଣ ପାଇଁ ୧ କୋଟି ୪୬ ଲକ୍ଷ ୩୦ ହଜାର ୩୪ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ସେହିପରି ଶ୍ରୀକୋଣା ଗ୍ରାମ ପଞ୍ଚାୟତରେ ଆଇଟିଆର୍ ରାସ୍ତାଠାରୁ ପୋଖରୀ ଦେଇ ମୁସଲିମ୍ ସାହି ପର୍ଯ୍ୟନ୍ତ ସଡ଼କ ନିର୍ମାଣ ନିମନ୍ତେ ୧ କୋଟି ୩୨ ଲକ୍ଷ ୭୪ ହଜାର ୬୯୩ ଟଙ୍କା ଅଟକଳ କରାଯାଇଛି। ଏହି ଦୁଇଟି ସଡ଼କ ପ୍ରକଳ୍ପ ସମ୍ପୃକ୍ତ ପଞ୍ଚାୟତର ବିଭିନ୍ନ ଜନବସତିକୁ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ସହ ସଂଯୋଗ କରିବ। ଏହାଦ୍ୱାରା ଗ୍ରାମାଞ୍ଚଳର ଗମନାଗମନ ସୁବିଧା ବୃଦ୍ଧି ପାଇବା ସହ କୃଷି, ସ୍ଥାନୀୟ ବ୍ୟବସାୟ ଓ ଗ୍ରାମୀଣ ଅର୍ଥନୀତିକୁ ଗତି ମିଳିବ ବୋଲି ଆଶା କରାଯାଉଛି।
ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେଉଛନ୍ତି। ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଅଞ୍ଚଳରେ ଉନ୍ନତ ଗମନାଗମନ ସୁବିଧା ସୁନିଶ୍ଚିତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ସହାୟକ ଯନ୍ତ୍ରୀ ଉପେନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରାଙ୍କ ସମେତ ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଅନନ୍ତ ନାୟକ, କାର୍ତ୍ତିକ ରାଉତ, ଅଜୟ ନାୟକ, ଅଜୟ ବିଶ୍ୱାଳ, ଅଶୋକ ଦାସ, ଅସୀମ ମହାନ୍ତି, ରାଧାକୃଷ୍ଣ ମାଝୀ, ଶ୍ରୀମନ୍ତ ମଣ୍ଡଳ, ବୁଲବୁଲି ଖାଣ୍ଡାର, ଜୟନ୍ତ ଓଝା, ପ୍ରତାପ ନାୟକ ଓ ଜଗା ଦାସ ପ୍ରମୁଖ ଉପସ୍ଥିତ ଥିଲେ।





