ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହାଇସ୍କୁଲ ୟୁନିଟ-୩ ପରିସରରେ ରାଜ୍ୟସ୍ତରୀୟ “ଶିଶୁ ମହୋତ୍ସବ ସୁରଭି “- ୨୦୨୬ ଓ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର “ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ଦକ୍ଷ ନେତୃତ୍ୱ ଓ ନିଷ୍ଠାପର କାର୍ଯ୍ୟଶୈଳୀ ପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସରିଆଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବରେ ରାଜ୍ୟସ୍ତରୀୟ ସମ୍ମାନ ଜନକ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” -୨୦୨୫ ରେ ସମ୍ମାନିତ କରାଯାଇଛି। ପ୍ରକାଶ ଥାଉ କି ଉକ୍ତ ବିଦ୍ୟାଳୟ ଗତ ୨୦୨୩ ରେ ମଧ୍ୟ ଜିଲ୍ଲା ସ୍ତରୀୟ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଅଂଚଳରେ ସୁନାମ ଆଣିଥିଲା। ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ପକ୍ଷରୁ ରାଜଧାନୀ ଭୁବନେଶ୍ୱରଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଦ୍ୟାଳୟର ପ୍ରକୃତି ବନ୍ଧୁ ପ୍ରଧାନଶିକ୍ଷକ ଟଙ୍କଧର ସାହାଙ୍କୁ ଉକ୍ତ ସମ୍ମାନ ଜନକ ପୁରସ୍କାର- ୨୦୨୫ ପ୍ରଦାନ କରାଯାଇଅଛି। ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କର ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ, ନିଷ୍ଠାପର ଉଦ୍ୟମ, ଉଲ୍ଲେଖନୀୟ ଅବଦାନ ପାଇଁ ଉକ୍ତ ସଫଳତା ପାଇବା ସହିତ ପୁରସ୍କାର ଗୋଟିଏ ପଟେ ଉତ୍ସାହ ପ୍ରେରଣା ପ୍ରଦାନ କଲାବେଳେ ଏହାକୁ ପାଇବା ପରେ ଦାଇତ୍ୱ ଓ କର୍ତ୍ତବ୍ୟ ବୋଧ ଆହୁରି ବଢିଯାଏ ବୋଲି ପ୍ରଧାନଶିକ୍ଷକ ମତପ୍ରକାଶ କରିଛନ୍ତି। ଏହି ସମ୍ମାନ ପ୍ରାପ୍ତି ପରେ ଅଂଚଳର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ପୁରାତନ ଛାତ୍ର ଛାତ୍ରୀ,ଜନପ୍ରତିନିଧି ତଥା ବୁଦ୍ଧିଜୀବୀ ମହଲରୁ ବିଦ୍ୟାଳୟକୁ ଶୁଭେଚ୍ଛାର ସୁଅ ଛୁଟୁଛି।





