ଟିଟିଲାଗଡ,୧୨/୧୨:
ଟିଟିଲାଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ ୟୁଥ ମାସ୍ ଅନୁଷ୍ଠାନର ସକ୍ରିୟ ସଦସ୍ୟ କହିଥିବା ରଞ୍ଜନ ଖୁଆସ ସୋମବାର ଦିନ କୁମୁଡା ପାହାଡ ସ୍ଥିତ ଧବଳେଶ୍ବର ଶିବ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରିବା ପରେ ଭୁବନେଶ୍ବର କୁ ପଦଯାତ୍ରା ରେ ବାହାରିଛନ୍ତି । ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଗୁଲମି ଗାଁ ର ରଞ୍ଜନ କହିଛନ୍ତି ଯେ,ସେ ପଦଯାତ୍ରା ରେ ଭୂବନେଶ୍ବର ଯାଇ ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରି ଟିଟିଲାଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି ଉପସ୍ଥାପନ କରିବେ ବୋଲି ପ୍ରକାଶ କରିଛନ୍ତି ।
ସେ ଏହି ଐତିହାସିକ ପଦଯାତ୍ରା ଆରମ୍ଭ କରିଥିବା ବେଳେ ଟିଟିଲାଗଡ ୟୁଥ ମାସ୍ ର ସଦସ୍ୟ ବିଜୟ ମେହେର, ପଙ୍କଜ କୁମାର ନାମଦେବ ଙ୍କ ସହ ସହରର ବହୁ ଯୁବକ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିବା ସହିତ ‘ଜୟ ଟିଟିଲାଗଡ ‘ ର ନାରା ଦେଇଥିଲେ । ମଙ୍ଗଳବାର ସେ ସଇନ୍ତଲା ପହଞ୍ଚିବା ପରେ ସେଠାରେ ତାଙ୍କୁ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁରେନ୍ଦ୍ର ସିଂ ଭୋଇ ତଥା ବିଭିନ୍ନ ଅନୁଷ୍ଠାନ ର ବହୁ ସଦସ୍ୟମାନେ ଭବ୍ଯ ସ୍ବାଗତ ଜଣାଇବା ସହିତ “ଟିଟିଲାଗଡ ଜିଲ୍ଲା ଆମର ଦାବି ” ବୋଲି ଶ୍ଳୋଗାନ ଦେଇଥିଲେ ।୨୬ ବର୍ଷ ଧରି ଜାରି ରହିଥିବା ଟିଟିଲାଗଡ ଜିଲ୍ଲା ମାନ୍ୟତା ଦାବି ନେଇ ସମ୍ପ୍ରତି ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ଆନ୍ଦୋଳନ ର ୪୧ ଦିନ ପରେ ମଧ୍ୟ ସରକାର ଙ୍କ ନିଦ ନ ଭାଙ୍ଗିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଜିଲ୍ଲା ନ ହେଲେ ଭୋଟ ବର୍ଜନ କରାଯିବ ବୋଲି ଅଞ୍ଚଳବାସୀ ଙ୍କ ମୁଖରୁ ଶୁଣିବାକୁ ମିଳୁଛି ।
ଆଜି ସକାଳ ୬ ଟାରୁ ରଞ୍ଜନ ବଲାଙ୍ଗୀର ରୁ ଲୋଇସିଙ୍ଗା ଅଭିମୁଖେ ପଦଯାତ୍ରା କରିଛନ୍ତି । ଟିଟିଲାଗଡ ରୁ ଭୁବନେଶ୍ବର ଅଭିମୁଖେ ପଦଯାତ୍ରା କରୁଥିବାରୁ ରଞ୍ଜନ ଖୁଆସ ଏବେ ବେଶ ଚର୍ଚ୍ଚା ରେ ଥିବା ସହିତ ଅନ୍ୟାନ୍ୟ ଯୁବ ଗୋଷ୍ଠୀ ଙ୍କ ପାଇଁ ସେ ପେରଣାର ଉତ୍ସ ହୋଇଛନ୍ତି ।
Report by :
Bhismasen Mahakur, Reporter Titlagarh odiabarta.in