ଜୁନାଗଡ,୨୦/୧୦ : କଳାହାଣ୍ଡିର ବରପୂତ୍ର ଆଦିବାସୀ ବୀର ରେଣ୍ଡୋ ମାଝୀ ଇଂରେଜ ମାନଙ୍କ ସହ ଲଢି ସହିଦ ହୋଇ ଏହି ମାଟି ପାଇଁ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରି ଯାଇଛନ୍ତି । ତାଙ୍କର ଅମର ଗାଥାକୁ ମନେ ପକାଇବାକୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ସହିଦ ଦିବସ ପାଳିତ ହୋଇ ଆସୁଛି । ସେହି କ୍ରମରେ ଜୁନାଗଡ଼ ସହର ସ୍ଥିତ ବିଶେଶ୍ୱର ମନ୍ଦିର ପରିସରରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋପୀନାଥ ଶବରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଆଦିବାସୀ ସଂଘ ବ୍ଲକ ସଭାପତି ସୁପରସନ ଭୋଇ, ଭାସ୍କର ଭୋଇ, ବଳିୟାର ଭୋଇ, କୃଷ୍ଣ ଚନ୍ଦ୍ର ଭୋଇ ଓ ଲାଲବାହାଦୁର ଯାନୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଡିସେମ୍ବର ୧୦ ତାରିଖରେ ରେଣ୍ଡୋ ମାଝୀଙ୍କ ସହିଦ ଦିବସ କିପରି ଧୁମ ଧାମରେ ପାଳିତ ହୋଇ ପାରିବ ସେନେଇ ବୈଠକରେ ଚର୍ଚ୍ଚା ଆଲୋଚନା ହୋଇଥିଲା । ବୈଠକରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in






