ବିଷମକଟକ ସହର ଦେଇ ୪ ଲେନ୍ ରାସ୍ତା ନିର୍ମାଣ ହେବାର ସମ୍ଭାବନାକୁ ନେଇ ଚର୍ଚ୍ଚା 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକ ସହର ଦେଇ ୪ ଲେନ୍ ରାସ୍ତା ନିର୍ମାଣ ହେବାର ସମ୍ଭାବନାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆଜି ବିଷମକଟକ ସହରରେ ସର୍ଭେ କାର୍ଯ୍ୟ ଚାଲିଥିବା ଜଣାପଡ଼ିବା ପରେ ଆଗକୁ କ’ଣ ହେବ ତାହାକୁ ନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ ଉଠିଛି । ଯଦି ୪ ଲେନ୍ ରାସ୍ତା ବିଷମକଟକ ସହର ମଧ୍ୟ ଦେଇ ନିର୍ମାଣ କରାଯାଏ ତେବେ ରାସ୍ତା ସମ୍ପ୍ରସାରଣ ପାଇଁ ଅନେକ ଗରିବ ଓ ନିରୀହ ପରିବାରଙ୍କ ଘର ପ୍ରଭାବିତ ହେବାର ଆଶଙ୍କା ରହିଛି । ଯେଉଁ ଘରେ ଲୋକମାନେ ବର୍ଷ ବର୍ଷ ଧରି ନିଜ ପରିବାର ସହ ରହିଆସୁଛନ୍ତି ସେହି ଘର ଭାଙ୍ଗିବାର ପରିସ୍ଥିତି ଉପୁଜିଲେ ସେମାନେ କେଉଁଠି ରହିବେ ତାହା ଏବେ ଏକ ବଡ଼ ପ୍ରଶ୍ନ ହୋଇଛି । ଅନ୍ୟପଟେ ବିଷମକଟକ ସହରକୁ ଏଡ଼ାଇ ପାତ୍ରଗୁଡ଼ା ଦେଇ ଚଞ୍ଚଡ଼ାଗୁଡ଼ା ଅଞ୍ଚଳ ମଧ୍ୟ ଦେଇ ବିକଳ୍ପ ରାସ୍ତା ନିର୍ମାଣ କରାଗଲେ କିପରି ହେବ ସେନେଇ ମଧ୍ୟ ବିଭାଗ ତରଫରୁ ବିଚାର କରାଯିବା ଆବଶ୍ୟକ ବୋଲି ଦାବି ଉଠୁଛି । ଏହାଦ୍ୱାରା ସହରର ଗରିବ ପରିବାରଙ୍କ ଘର ଓ ଜୀବିକା ଉପରେ ପଡୁଥିବା ପ୍ରଭାବକୁ କମ୍ କରାଯାଇପାରିବ ବୋଲି ମତ ପ୍ରକାଶ ପାଉଛି । ତେଣୁ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଓ ରାୟଗଡ଼ା ଜିଲ୍ଲା ପ୍ରଶାସନଙ୍କ ନିକଟରେ ଲିଖିତ ଭାବେ ଦାବି ଜଣାଇବାକୁ ଆବଶ୍ୟକତା ରହିଛି । ରାସ୍ତା ନିର୍ମାଣ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଗରିବ ପରିବାରଙ୍କ ସମସ୍ୟା ଏବଂ ବିକଳ୍ପ ରାସ୍ତାର ସମ୍ଭାବନାକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକତା ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.