ପରିବେଶ ସୁରକ୍ଷା ସହ ରକ୍ତଦାନ ଓ ବିପନ୍ନଙ୍କ ସେବାରେ ନିୟୋଜିତ ପରିବେଶ ଯୋଦ୍ଧା ସୁମନ୍ତ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବ୍ୟାପକ ଗଛକଟା, ଜଳବାୟୁ ପରିବର୍ତ୍ତନ ଓ ବାୟୁ ପ୍ରଦୂଷଣ ଆଜି ସମଗ୍ର ବିଶ୍ୱ ପାଇଁ ଗମ୍ଭୀର ଆହ୍ୱାନ ସୃଷ୍ଟି କରିଛି। ଏଭଳି ସମୟରେ ପ୍ରକୃତିର ସୁରକ୍ଷା ସହ ଏକ ସବୁଜ ଓ ସୁନ୍ଦର ପୃଥିବୀ ଗଢ଼ିବାର ସଂକଳ୍ପ ନେଇ ନିରନ୍ତର କାର୍ଯ୍ୟ କରୁଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ର କୁଡ଼ିଆ ପଞ୍ଚାୟତ ଅନ୍ତର୍ଗତ ପେଗରପଡ଼ା ଗ୍ରାମର ସୁମନ୍ତ କୁମାର ଜେନା। ବୃତ୍ତିରେ ବ୍ୟବସାୟୀ ହୋଇଥିଲେ ମଧ୍ୟ ପରିବେଶ ସୁରକ୍ଷା, ରକ୍ତଦାନ ଅଭିଯାନ ଓ ଅସହାୟଙ୍କ ସେବା ତାଙ୍କ ଜୀବନର ପ୍ରମୁଖ ଲକ୍ଷ୍ୟ ପାଲଟିଛି। ସ୍ୱର୍ଗତ ସୁରେନ୍ଦ୍ରନାଥ ଜେନା ଓ ବାସନ୍ତୀ ଦେବୀଙ୍କ ସୁପୁତ୍ର ସୁମନ୍ତଙ୍କ ମନରେ ପିଲାବେଳୁ ପ୍ରକୃତି ପ୍ରତି ଗଭୀର ଭଲପାଇବା ରହିଥିଲା। ବିଦ୍ୟାଳୟରେ ପଢ଼ିବା ସମୟରେ ପରିବେଶ ସମସ୍ୟା ସମ୍ପର୍କରେ ଜାଣିବା ପରେ ତାଙ୍କ ମନରେ ଏକ ଚିନ୍ତା ଜନ୍ମ ନେଇଥିଲା—ଗଛ କାଟି ଚାଲିଲେ, ନୂଆ ଗଛ ନ ଲଗାଇଲେ ଏବଂ ପ୍ରକୃତିର ସୁରକ୍ଷା ନ କଲେ ଆମର ଭବିଷ୍ୟତ କ’ଣ ହେବ? ଏହି ପ୍ରଶ୍ନ ତାଙ୍କ ଜୀବନର ଦିଗ ବଦଳାଇ ଦେଇଥିଲା। ପାଠପଢ଼ା ଶେଷ କରିବା ପରେ ସେ ଗଛ ଲଗାଇବା କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ ୨୦୧୬ ମସିହା ପରଠାରୁ ପରିବେଶ ସୁରକ୍ଷାକୁ ଅଧିକ ସମୟ ଦେଇ ଏହି କାର୍ଯ୍ୟକୁ ନିଜ ଜୀବନର ଅଭିନ୍ନ ଅଂଶ କରିନେଇଛନ୍ତି। ପ୍ରାୟ ଏକ ଦଶନ୍ଧି ଧରି ସେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରି ଆସୁଛନ୍ତି। ମନ୍ଦିର, ବିଦ୍ୟାଳୟ, ରାସ୍ତାକଡ଼ ଓ ଅନ୍ୟାନ୍ୟ ଖାଲି ସ୍ଥାନରେ ଗଛ ଲଗାଇବା ସହ ସେଗୁଡ଼ିକର ଯତ୍ନ ଓ ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦେଉଛନ୍ତି।
ସୁମନ୍ତଙ୍କ ଉଦ୍ୟମରେ ଏଯାବତ୍ ପ୍ରାୟ ୨୧ ହଜାରରୁ ଅଧିକ ଗଛ ରୋପଣ କରାଯାଇଛି। ପ୍ରତିବର୍ଷ ପ୍ରାୟ ତିନି ମାସ ଧରି ସେ ବୃକ୍ଷରୋପଣ କରୁଥିବା ବେଳେ ଅବଶିଷ୍ଟ ସମୟରେ ଗଛଗୁଡ଼ିକର ଯତ୍ନ ନେବାରେ ନିୟୋଜିତ ରହୁଛନ୍ତି। ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ତାପରୁ ମଣିଷ ଓ ଅନ୍ୟ ଜୀବଜନ୍ତୁଙ୍କୁ ରକ୍ଷା କରିବା ସହ ପରିବେଶକୁ ଶୀତଳ ଓ ସବୁଜ ରଖିବା ତାଙ୍କ ଅଭିଯାନର ଅନ୍ୟତମ ଉଦ୍ଦେଶ୍ୟ।

ବୃକ୍ଷରୋପଣରେ ସୀମିତ ନ ରହି ଜଙ୍ଗଲ କ୍ଷୟ ରୋକିବା ପାଇଁ ମଞ୍ଜି ବୁଣିବା, ପ୍ଲାଷ୍ଟିକ୍ମୁକ୍ତ ପରିବେଶ ଗଠନ, ଗ୍ରୀଷ୍ମଦିନରେ ତୃଷାର୍ତ୍ତଙ୍କ ପାଇଁ ଜଳଛତ୍ର ଖୋଲିବା ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ଭଳି ବିଭିନ୍ନ ଜନହିତକର କାର୍ଯ୍ୟରେ ସେ ସକ୍ରିୟ ଭାବେ ଜଡ଼ିତ। ପରିବେଶ ସୁରକ୍ଷାର ବାର୍ତ୍ତାକୁ ସମାଜର ସବୁ ସ୍ତରରେ ପହଞ୍ଚାଇବା ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଭିନ୍ନ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ପ୍ରକୃତିର ସୁରକ୍ଷା ପାଇଁ ଆଗେଇ ଆସିବାକୁ ପ୍ରେରିତ କରୁଛନ୍ତି।
ପରିବେଶ ସୁରକ୍ଷା ସହିତ ରକ୍ତଦାନ ଅଭିଯାନରେ ମଧ୍ୟ ସୁମନ୍ତ ଜେନା ଜଣେ ସକ୍ରିୟ ସଂଗଠକ। ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ଉପସଭାପତି ଭାବେ ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ ଓ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରୁଛନ୍ତି। କାହାରିକୁ ଜରୁରୀ ରକ୍ତର ଆବଶ୍ୟକତା ପଡ଼ିଲେ ରକ୍ତଦାତାଙ୍କ ସହ ଯୋଗାଯୋଗ କରି ରକ୍ତ ଯୋଗାଡ଼ କରିବାରେ ସେ ତତ୍ପରତା ଦେଖାଇଥାନ୍ତି। ତାଙ୍କର ଏହି ଉଦ୍ୟମ ଅନେକ ରୋଗୀ ଓ ସେମାନଙ୍କ ପରିବାର ପାଇଁ ସହାୟକ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସୁମନ୍ତଙ୍କ ମାନବିକତାର ପରିଚୟ ମିଳିଥାଏ। ବନ୍ୟା ଭଳି ବିପତ୍ତିରେ ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଲେ ସେ ଅସହାୟ ଲୋକଙ୍କ ପାଖରେ ଠିଆ ହୋଇ ସମ୍ଭବ ସହଯୋଗ ଯୋଗାଇ ଦେଇଥାନ୍ତି। ତାଙ୍କର ସେବା, ସହଯୋଗ ଓ ସମାଜ ପ୍ରତି ଦାୟିତ୍ୱବୋଧ ଅନେକ ଯୁବକଙ୍କ ପାଇଁ ପ୍ରେରଣା ପାଲଟିଛି।ପରିବେଶ ସୁରକ୍ଷା କ୍ଷେତ୍ରରେ ତାଙ୍କର ନିଷ୍ଠା ଓ ଅବଦାନ ପାଇଁ ସୁମନ୍ତ ଜେନା ରାଜ୍ୟ ସରକାରଙ୍କ ‘ପ୍ରକୃତି ବନ୍ଧୁ’ ପୁରସ୍କାର ସମେତ ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଛନ୍ତି।

ନିଜର ଭବିଷ୍ୟତ ଯୋଜନା ସମ୍ପର୍କରେ ସେ କହନ୍ତି, “ଜୀବନର ଶେଷ ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ପାଇଁ କାମ କରିବି। ଆଗକୁ ଆହୁରି ଅଧିକ ଗଛ ଲଗାଇ ଆମ ଆଖପାଖକୁ ସବୁଜ ଓ ସୁନ୍ଦର କରିବାକୁ ଚେଷ୍ଟା କରିବି।” ବ୍ୟକ୍ତିଗତ ଜୀବନର ବ୍ୟସ୍ତତା ମଧ୍ୟରେ ପ୍ରକୃତି ଓ ମାନବସେବା ପାଇଁ ସମୟ ବାହାର କରି ସୁମନ୍ତ ଜେନା ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି ନିରନ୍ତର ପ୍ରୟାସ ପ୍ରମାଣ କରେ ଯେ ପରିବେଶ ସୁରକ୍ଷା କେବଳ ସରକାର ବା କୌଣସି ସଂସ୍ଥାର ଦାୟିତ୍ୱ ନୁହେଁ; ପ୍ରକୃତି ପ୍ରତି ନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧ ଥିଲେ ଜଣେ ବ୍ୟକ୍ତି ମଧ୍ୟ ସମାଜରେ ବଡ଼ ପରିବର୍ତ୍ତନ ଆଣିପାରିବେ।





