ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ପାଇଁ ଗର୍ବ ଓ ଗୌରବର ବିଷୟ। ତାଳଚେର ଠାରେ ଅନୁଷ୍ଠିତ ୬୧ତମ ବାର୍ଷିକ ରାଜ୍ୟସ୍ତରୀୟ ଶୁଟିଂ ପ୍ରତିଯୋଗିତାରେ ଲାଞ୍ଜିଗଡ଼ ଅଞ୍ଚଳର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ମୋଟ ୯ଟି ପଦକ ହାସଲ କରି ଅଞ୍ଚଳର ନାଁ ରଖିଛନ୍ତି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଖେଳାଳି ଭାଗ ନେଇଥିଲେ। ଏଥି ମଧ୍ୟରେ ଲାଞ୍ଜିଗଡ଼ର ୩ ଜଣ ଖେଳାଳି ନିଜର ନିଖୁଣ ଲକ୍ଷ୍ୟଭେଦ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏହି ପ୍ରତିଯୋଗିତାରେ ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁରର ପ୍ରଦୀପ ଘଡ଼େଇ ୧ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚମ୍ପାଦେଇପୁର ପଞ୍ଚାୟତ ସ୍ଥିତ ଗୋପିନାଥପୁରର ଦେବେନ୍ଦ୍ର ପ୍ରଧାନ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ ପଦକ ସମେତ ମୋଟ ୬ଟି ପଦକ ଓ ହେମନ୍ତ ପ୍ରଧାନ ୧ଟି ସ୍ୱର୍ଣ୍ଣ ଓ ୧ଟି ବ୍ରୋଞ୍ଜ ପଦକ ଜିତି ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି। ସମୁଦାୟ ୫ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଜିତି ଲାଞ୍ଜିଗଡ଼ ଅଞ୍ଚଳ ରାଜ୍ୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ପୁରା କଳାହାଣ୍ଡି ଜିଲ୍ଲା ପାଇଁ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି। ଏହି ସଫଳତା ଲାଞ୍ଜିଗଡ଼ ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି। ଯୁବ ବର୍ଗଙ୍କ ମଧ୍ୟରେ ଶୁଟିଂ ପ୍ରତି ଆଗ୍ରହ ବଢ଼ିବ ବୋଲି ଆଶା କରାଯାଉଛି। ଖେଳାଳିମାନଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଞ୍ଚଳବାସୀ ଗର୍ବିତ ହେବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।





