ତ୍ରୟୋଦଶ ବର୍ଷରେ ସାଇନିର୍ମାଲ୍ୟର ଆଧ୍ୟାତ୍ମିକ ମହୋତ୍ସବ; ଯୋଗଦେବେ ୬୦୦ରୁ ଊର୍ଦ୍ଧ୍ୱ ସାଇଭକ୍ତ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାଇଭକ୍ତଙ୍କ ଆଧ୍ୟାତ୍ମିକ ସମାଗମ ଓ ଭକ୍ତିମୟ ପରିବେଶ ମଧ୍ୟରେ ବାଲେଶ୍ୱରରେ ଆସନ୍ତା ଡିସେମ୍ବର ୨୪ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶିରିଡ଼ିସାଇ ସତଚରିତ ସାପ୍ତାହିକ ପାରାୟଣ ଅନୁଷ୍ଠିତ ହେବ। ସାଇନିର୍ମାଲ୍ୟ ଓ ଶିରଡ଼ିସାଇ ସର୍ଭେଣ୍ଟସ ସୋସାଇଟି ପକ୍ଷରୁ ଆୟୋଜିତ ଏହି ଆଧ୍ୟାତ୍ମିକ ମହୋତ୍ସବ ଚଳିତ ବର୍ଷ ତ୍ରୟୋଦଶ ବର୍ଷରେ ପଦାର୍ପଣ କରୁଛି। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୬୦୦ରୁ ଅଧିକ ସାଇଭକ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏହି ଉତ୍ସବର ଆୟୋଜନ ନିମନ୍ତେ ଗୋପାଳଗାଁସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସାଇନିର୍ମାଲ୍ୟ ଓ ଶିରଡ଼ିସାଇ ସର୍ଭେଣ୍ଟସ ସୋସାଇଟିର ଅଧ୍ୟକ୍ଷ ତଥା ଓଡ଼ିଆ ଶ୍ରୀ ଶିରଡ଼ିସାଇ ସତଚରିତର ଅନୁବାଦକ ସତ୍ୟ ଖଡ଼ଗରାୟ ଆଭାସି ମାଧ୍ୟମରେ ବୈଠକରେ ଯୋଗଦେଇ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।
ଆଠଦିନ ବ୍ୟାପୀ ଏହି ପାରାୟଣ ଗୋପାଳଗାଁ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଆୟୋଜିତ ହେବ। ସତଚରିତ ଗ୍ରନ୍ଥର ପୋଥିଯାତ୍ରା ସହ ଉତ୍ସବର ଶୁଭାରମ୍ଭ ହେବ। ଏହି ଯାତ୍ରା ଗୋପାଳଗାଁ ସାଇମନ୍ଦିରରୁ ବାହାରି ପାରାୟଣ ମଣ୍ଡପରେ ପହଞ୍ଚିବ।
ଉତ୍ସବର ଅନ୍ୟତମ ଆକର୍ଷଣ ଭାବେ ଆନ୍ତର୍ଜାତିକ ଆଧ୍ୟାତ୍ମିକ ଗୁରୁ ପୂଜ୍ୟ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ‘ଶ୍ରୀଗୁରୁ ଭାଗବତ’ର ଏଯାବତ୍ ପ୍ରକାଶିତ ଆଠଖଣ୍ଡ ପୁସ୍ତକର ପାରାୟଣ ଓ ଆଲୋଚନା ପ୍ରତ୍ୟହ ଅନୁଷ୍ଠିତ ହେବ। ଏଥିସହ ପ୍ରତିଦିନ ସାଇଲୀଳା ଆଲୋଚନା, ଭଜନ କାର୍ଯ୍ୟକ୍ରମ, ପାଲକି ଯାତ୍ରା, ସାଇଲୀଳା ସମ୍ପର୍କିତ ନାଟକ ଓ ରକ୍ତଦାନ ଶିବିର ଆୟୋଜନ କରାଯିବ।
୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଏହି ପାରାୟଣ ଉତ୍ସବ ସାଇଭକ୍ତଙ୍କ ମଧ୍ୟରେ ଭକ୍ତି, ଆଧ୍ୟାତ୍ମିକ ଚେତନା ଓ ସେବାଭାବର ପ୍ରସାର କରିଆସୁଛି। ଚଳିତ ବର୍ଷ ମଧ୍ୟ ବିଭିନ୍ନ ଆଧ୍ୟାତ୍ମିକ ଓ ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ମହୋତ୍ସବକୁ ସଫଳ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।
ବୈଠକରେ ପ୍ରମୋଦ କୁମାର ପେଡ଼ି, ରାଜକିଶୋର ବେହେରା, ସୁମିତ୍ରା ପରିଡ଼ା, ଇନ୍ଦୁମତି ପଣ୍ଡା, ନମିତା ଦାସ, ପ୍ରକାଶ କୁମାର ସାହୁ, ସଞ୍ଜୟ ମହାପାତ୍ର, ସୁଦୀପ କୁମାର ରାଉତ, ରବିନାରାୟଣ ସାହୁ, ସୂର୍ଯ୍ୟଶଖା ମହାରଣା, ଦିଲ୍ଲୀପ କୁମାର ପଣ୍ଡା, ଦୀପକ ଦାସ, ସତ୍ୟବ୍ରତ ରାଉଳ, ରାଜେନ୍ଦ୍ର ରାଉତଙ୍କ ସମେତ ସାଇନିର୍ମାଲ୍ୟର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ସାଇଭକ୍ତମାନେ ଯୋଗଦେଇଥିଲେ।





