ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏନ ଏ ସି ଅଧିନସ୍ଥ ସର୍ଗିଗୁଡ଼ା ୟୁପି ସ୍କୁଲ ରୁ ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ରହିଥିବା ୬୦ ବସ୍ତା ଚାଉଳରୁ ୨୫ ବସ୍ତା ଚୋରୀ ହୋଇଥିବା ନେଇ ନର୍ଲା ଥାନାରେ କେସ ଦାୟର କରିଛନ୍ତି ନର୍ଲାରୋଡ ବଜରଙ୍ଗବାଲି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ। ଖବରରୁ ଜଣା ପଡିଛି ଯେ କରୋନା ପରେ ଗତ ୫ ବର୍ଷ ହୋଇଗଲା ସର୍ଗିଗୁଡ଼ା ୟୁପି ସ୍କୁଲ ର ଛାତ୍ର ଛାତ୍ରୀ ଙ୍କୁ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ପ୍ରଦାନ କରି ଆସୁଛନ୍ତି। ଆଗରୁ ବିଦ୍ୟାଳୟରେ ୧୫ କ୍ୱିଣ୍ଟାଲ ଚାଉଳ ଗଚ୍ଛିତ ରହିଥିଲା। ଏବଂ ଦଶହରା ଛୁଟି ପୂର୍ବରୁ ପୁଣି ତିନି ମାସର ଚାଉଳ ଆସିଥିଲା ବିଦ୍ୟାଳୟକୁ। ଏଭଳି ମୋଟ ୬୦ ବସ୍ତା ଚାଉଳ ଗଚ୍ଛିତ ରହିଥିଲା। ଏହି ଛୁଟି ଭିତରେ ବିଦ୍ୟାଳୟ ବନ୍ଦ ରହିଥିବା ସମୟରେ ସୁଯୋଗ ଉଣ୍ଡି ଚୋରମାନେ ଚାଉଳ ଗଚ୍ଛିତ ରହିଥିବା ଷ୍ଟୋର ରୁମ ର ତାଲାଭାଙ୍ଗି ୨୫ ବସ୍ତା ଚାଉଳ ଚୋରୀ କରିଥିବା ନେଇ ଥାନାରେ ଏତେଲା ଦେଇଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ସନ୍ଧ୍ୟାରାଣୀ ଗୌଡ, ସମ୍ପାଦିକା ଉର୍ମିଳା ଜେନା ସଦସ୍ୟା ଇନ୍ଦୁମତି ଗୌଡ, ସ୍କୁଲ କମିଟିର ସଦସ୍ୟା ତଥା ୱାର୍ଡ ସଭ୍ୟା କାନ୍ତି ବାରିକ ଓ ୱାର୍ଡ ସଭ୍ୟ ଥବିର ମହାନନ୍ଦ।
ଗତକାଲି ବଦଳି ହୋଇଯାଇଥିବା ପୂର୍ବତନ ପ୍ରଧାନ ଶିକ୍ଷକ କୁଲଦୀପ ମାଝୀ ନୂଆ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଚାର୍ଜ ଦେବାପାଇଁ ବିଦ୍ୟାଳୟ କୁ ଆସି ମୁଖ୍ୟ ଗେଟ ତାଲା ଖୋଲିବା ପରେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ହୋଇଥିବା କଥା ଜଣା ପଡ଼ିଥିଲା। ଏତେଲା ଆଧାରରେ ନର୍ଲା ଆଇଆଇସି କୈବଲ୍ୟ ସେଠ ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ଦୀପ୍ତିକାନ୍ତ ବାରିକ ଓ ଏ ଏସ ଆଇ ପ୍ରଦୀପ ସେଠୀ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳକୁ ଆସି ତଦନ୍ତ କରିଥିଲେ।

ସନ୍ଧାନୀ କୁକୁର ଏପଟେ ସର୍ଗିଗୁଡ଼ା ପ୍ରହରୀ ମଣ୍ଡପ ଯାଏଁ ଆସି ଫେରି ଯାଇଥିଲା। ଚୋରମାନେ ରାତିରେ ସ୍କୁଲ ର ମୁଖ୍ୟ ଫାଟକ ପାର୍ଶ୍ୱସ୍ଥ ପାଚେରୀ ଡେଇଁ ଗାଡ଼ି ଯୋଗେ ଚାଉଳ ନେଇଯାଇ ଥାଇପାରନ୍ତି ବୋଲି ପୋଲିସ ଅନୁମାନ କରି ତଦନ୍ତ ଜାରୀ ରଖିଛି। ସ୍କୁଲ ନିକଟସ୍ଥ ବିଲଡ଼ିଂ ର ସି ସି ଟି ଭି ଫୁଟେଜ ଦେଖିଲେ ଅଧିକ ତଥ୍ୟ ମିଳିବ। ଖୁବ ଶୀଘ୍ର ଚୋର ଧରା ପଡିବେ ବୋଲି କହିଛନ୍ତି ଏସ ଆଇ ଶ୍ରୀ ବାରିକ।





