କୋଟିଆରେ ଆନ୍ଧ୍ରର ନିର୍ବାଚନୀ ଚାଲ୍, ଓଡ଼ିଶାର ରଣନୀତି କାହିଁକି ଫେଲ୍?

ବିଜେଡିର ୧୫ ଜଣିଆ ପ୍ରତିନିଧି ଦଳର କୋଟିଆ ଗସ୍ତ; କଂଗ୍ରେସର ପ୍ରତିବାଦ ପରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଅପେକ୍ଷା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ପୁଣି ଚର୍ଚ୍ଚାକୁ ଆସିଛି ବିବାଦୀୟ କୋଟିଆ ଅଞ୍ଚଳ। ଓଡ଼ିଶାର କୋଟିଆ ପଞ୍ଚାୟତର ତିନି ଜଣ ବାସିନ୍ଦା ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ନାମାଙ୍କନ ଦାଖଲ କରିଥିବା ଖବର ପରେ ସୀମା ବିବାଦ ପୁଣି ତୀବ୍ର ହୋଇଛି। ଆନ୍ଧ୍ରର ନିର୍ବାଚନୀ ପ୍ରସ୍ତୁତି ମଧ୍ୟରେ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକର ତତ୍ପରତା ବଢ଼ିଛି। ତେବେ ବର୍ଷ ବର୍ଷ ଧରି ଚାଲିଥିବା ଏହି ବିବାଦର ସ୍ଥାୟୀ ସମାଧାନ କେବେ ହେବ, ତାହା ଏବେ ବଡ଼ ପ୍ରଶ୍ନ।

ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୮ଟି ଗାଁ ମଧ୍ୟରୁ ୨୧ଟି ଗାଁକୁ ନେଇ ଦୀର୍ଘଦିନ ଧରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ରହିଛି। ଉଭୟ ରାଜ୍ୟର ଦାବି ମଧ୍ୟରେ ଏହି ଅଞ୍ଚଳରେ ନିଜର ପ୍ରଭାବ ବଢ଼ାଇବା ପାଇଁ ଆନ୍ଧ୍ର ପକ୍ଷରୁ ବିଭିନ୍ନ ସମୟରେ ପ୍ରଶାସନିକ ଓ ନିର୍ବାଚନୀ ପଦକ୍ଷେପ ନିଆଯାଉଥିବା ଅଭିଯୋଗ ହୋଇଆସୁଛି। ୨୦୨୧ରେ ମଧ୍ୟ ଆନ୍ଧ୍ର ପକ୍ଷରୁ କୋଟିଆ ଅଞ୍ଚଳରେ ନିର୍ବାଚନ କରାଯାଇଥିଲା। ଏବେ ପୁଣି ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ଓଡ଼ିଶାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ବିଜେଡିର ୧୫ ଜଣିଆ ପ୍ରତିନିଧି ଦଳର ଗସ୍ତ

କୋଟିଆ ପ୍ରସଙ୍ଗରେ ରାଜନୈତିକ ତତ୍ପରତା ମଧ୍ୟରେ ବିଜେଡିର ୧୫ ଜଣିଆ ପ୍ରତିନିଧି ଦଳ କୋଟିଆ ଗସ୍ତ କରିଛି। ଦଳର ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ରବି ନନ୍ଦ, ରମେଶ ମାଝୀ ଓ ବିଧାୟକ ମନୋହର ରନ୍ଧାରୀଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଏହି ଗସ୍ତ ମାଧ୍ୟମରେ ଦଳ କୋଟିଆ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ରଖିଛି। ତେବେ ଏହି ଗସ୍ତ ପରେ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ କି ପଦକ୍ଷେପ ନିଆଯିବ, ତାହା ଗୁରୁତ୍ୱପୂର୍ଣ୍ଣ।

କଂଗ୍ରେସର ପ୍ରତିବାଦ, ସାଂସଦଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଏହାର ଦୁଇ ଦିନ ପୂର୍ବରୁ କଂଗ୍ରେସ ପକ୍ଷରୁ କୋଟିଆରେ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ଏଥିରେ ପଟ୍ଟାଙ୍ଗୀ ବିଧାୟକ ଓ ସ୍ଥାନୀୟ ନେତାମାନେ ସାମିଲ ହୋଇଥିବାବେଳେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ହୋଇଥିଲା। ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ଅଭିଯୋଗ ହେଉଛି, କୋଟିଆ ପ୍ରସଙ୍ଗରେ କେବଳ ବୟାନ ନୁହେଁ, ଗାଁ ଗାଁକୁ ଯାଇ ଲୋକଙ୍କ ସମସ୍ୟା ଶୁଣିବା ଓ ସମାଧାନ ପାଇଁ ଉଦ୍ୟମ କରିବା ଆବଶ୍ୟକ।

ଡବଲ ଇଞ୍ଜିନ ସରକାରରେ ବି ସମାଧାନ ଅପେକ୍ଷାରେ

୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ କୋଟିଆ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର ଏବଂ ଆନ୍ଧ୍ରପ୍ରଦେଶରେ ଏନ୍‌ଡିଏ ସହଯୋଗୀ ଟିଡିପି ସରକାର ଥିବା ସତ୍ତ୍ୱେ ବିବାଦର ସ୍ଥାୟୀ ସମାଧାନ ହୋଇପାରିନାହିଁ। ଏହି ପରିସ୍ଥିତିରେ କୋଟିଆ ପ୍ରସଙ୍ଗରେ ଉଭୟ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ଓ ଠୋସ୍‌ ପଦକ୍ଷେପର ଆବଶ୍ୟକତା ରହିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିବା ଜଣାପଡ଼ିଛି। ତେବେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ମଧ୍ୟରେ କୋଟିଆରେ ପ୍ରଶାସନିକ ଉପସ୍ଥିତି, ଲୋକଙ୍କ ମୌଳିକ ସୁବିଧା ଓ ସୀମା ବିବାଦର ସମାଧାନ ହିଁ ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି।

ଲୋକଙ୍କ ଆସ୍ଥା ଜିତିବା ହିଁ ମୁଖ୍ୟ ଚ୍ୟାଲେଞ୍ଜ

କୋଟିଆରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ମୌଳିକ ସୁବିଧାର ସୁଦୃଢ଼ୀକରଣ ସହ ଲୋକଙ୍କ ନିକଟରେ ପ୍ରଶାସନର ନିୟମିତ ଉପସ୍ଥିତି ଜରୁରୀ। ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକର ଗସ୍ତ ଓ ଘୋଷଣା ଅପେକ୍ଷା ସ୍ଥାୟୀ ବିକାଶ ଏବଂ ଲୋକଙ୍କ ଆସ୍ଥା ଜିତିବା ଅଧିକ ଗୁରୁତ୍ୱପୂର୍ଣ୍ଣ। କେବଳ ଆଇନଗତ ଲଢ଼େଇ ନୁହେଁ, କୂଟନୈତିକ ଆଲୋଚନା, ପ୍ରଶାସନିକ ତତ୍ପରତା ଓ ଉନ୍ନୟନମୂଳକ କାର୍ଯ୍ୟ ମାଧ୍ୟମରେ କୋଟିଆରେ ଓଡ଼ିଶାର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.