ଓଡ଼ିଆ ବାର୍ତ୍ତା/ କୋରାପୁଟ( ସୁନ୍ଦର କୁମାର ପାଣି): କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମରେ ଆନ୍ଧ୍ରର ନିର୍ବାଚନୀ ଦଳର କିଛି ବ୍ୟକ୍ତି ଭୋଜି ଆୟୋଜନ କରି ସ୍ଥାନୀୟ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରୁଥିବା ଦେଖିବାକୁ ମିଳିଛି। କୋଟିଆ ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ଏଭଳି କାର୍ଯ୍ୟକଳାପ ଜିଲ୍ଲା ପ୍ରଶାସନର ତଦାରଖ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଉପଜିଲ୍ଲାପାଳ ଅଞ୍ଚଳରେ ରହି ସ୍ଥିତି ତଦାରଖ କରୁଥିବା ସତ୍ତ୍ୱେ ଏହି କାର୍ଯ୍ୟକଳାପ ସମ୍ପର୍କରେ ପ୍ରଶାସନ ଅବଗତ ଥିଲା କି ନାହିଁ, ତାହା ସ୍ପଷ୍ଟ ହେବା ଆବଶ୍ୟକ। ଏହି ଘଟଣାକୁ ନେଇ ବିଜେଡି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। କୋଟିଆରେ ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦଳ ଦାବି କରିଛି। ଏବେ ଜିଲ୍ଲା ପ୍ରଶାସନ ଏହି ଘଟଣାରେ କି ପଦକ୍ଷେପ ନେଉଛି ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କିପରି ପାଳନ ହେଉଛି, ତାହା ଉପରେ ନଜର ରହିଛି।





